www.samajalive.in
Monday, December 8, 2025
27.1 C
Bhubaneswar

ଆଇଆଇସି, ଏସ୍‌ଆଇଙ୍କ କ୍ଷମତା ବଢ଼ିଲା

ଭୁବନେଶ୍ବର: ଅନୁସୂଚିତ ଜାତି (ଏସସି) ଓ ଅନୁସୂଚିତ ଜନଜାତି (ଏସଟି) ବର୍ଗଙ୍କୁ ତ୍ବରିତ ନ୍ୟାୟ ଦେବାକୁ ପ୍ରଚେଷ୍ଟା କରିଛନ୍ତି ରାଜ୍ୟ ସରକାର। ରାଜ୍ୟରେ ଥାନା ଅଧିକାରୀ (ଇନ୍ସପେକ୍ଟର ଇନ୍ ଚାର୍ଜ) ଏବଂ ସବ୍‌ଇନ୍ସପେକ୍ଟର (ଏସ୍ଆଇ)ଙ୍କ କ୍ଷମତାକୁ ବଢ଼ାଇଛନ୍ତି। ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଣିକି ସେମାନେ ଅନୁସୂଚିତ ଜାତି (ଏସସି) ଓ ଅନୁସୂଚିତ ଜନଜାତି (ଏସଟି) ମାମଲାର ତଦନ୍ତ କରିପାରିବେ। ପୂର୍ବରୁ ସେମାନଙ୍କ ପାଇଁ ତଦନ୍ତ ଉପରେ କଟକଣା ଥିବାବେଳେ କେବଳ ଉପର ରାଙ୍କ ପୁଲିସ ଅଧିକାରୀ ତଦନ୍ତ କରିବାର ବ୍ୟବସ୍ଥା ରହିଥିଲା। ଫଳରେ ମାମଲାର ତଦନ୍ତ ବିଳମ୍ବିତ ହେଉଥିଲା। ଏହାକୁ ଦୃଷ୍ଟିରେ ରଖି ପରିବର୍ତ୍ତିତ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ଡିଏସପି ପାହ୍ୟାର ଅଧିକାରୀଙ୍କୁ ଏହି କ୍ଷମତା ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦେଶକ୍ରମେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁଙ୍କ ସ୍ବାକ୍ଷରରେ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ ପାଇଛି। ପୁଲିସ ଇନ୍ସପେକ୍ଟର ଏବଂ ସବ-ଇନ୍ସପେକ୍ଟରଙ୍କୁ ଏହି ଆଇନ ଅନୁଯାୟୀ ଗିରଫ, ତଦନ୍ତ ଏବଂ ମାମଲା ରୁଜୁ କରିବା ପାଇଁ କ୍ଷମତା ପ୍ରଦାନ କରାଯାଇଛି। ପୂର୍ବରୁ ଏହି କ୍ଷମତା ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୁଲିସ କିମ୍ବା ତଦୂର୍ଦ୍ଧ୍ବ ପାହ୍ୟାର ଅଧିକାରୀଙ୍କ ପାଇଁ ସଂରକ୍ଷିତ ଥିଲା। ତଦନ୍ତ ପ୍ରକ୍ରିୟା ବିଳମ୍ବିତ ହେବାରୁ ଗୃହ ବିଭାଗ ପକ୍ଷରୁ ଇନ୍ସପେକ୍ଟର ଏବଂ ସବ-ଇନ୍ସପେକ୍ଟରଙ୍କୁ ତଦନ୍ତ ଦାୟିତ୍ବ ଦିଆଯାଇଛି। ମାମଲାର ତଦନ୍ତବେଳେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସ୍ବତନ୍ତ୍ର ଅଦାଲତରେ ମାମଲା ଦାଖଲ କରିବାର କ୍ଷମତା ମିଳିଛି। ଏଣିକି ସେମାନେ ଆଇନ ଅନୁଯାୟୀ ନିଜ କ୍ଷମତାର ବ୍ୟବହାର ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ।

ପୂର୍ବରୁ ଝାଡ଼ଖଣ୍ଡ, ବିହାର, ମଧ୍ୟପ୍ରଦେଶ, ଛତିଶଗଡ଼ ଓ କେରଳ ଭଳି ରାଜ୍ୟରେ ଅନୁସୂଚିତ ଜାତି (ଏସସି) ଓ ଅନୁସୂଚିତ ଜନଜାତି (ଏସଟି) ମାମଲାର ଥାନା ଅଧିକାରୀ (ଇନ୍ସପେକ୍ଟର ଇନ୍ ଚାର୍ଜ) ଏବଂ ଏସ୍ଆଇଙ୍କୁ ତଦନ୍ତ କ୍ଷମତା ମିଳିଥିଲା। ଓଡ଼ିଶାରେ ଏବେ ଏହି ନୂଆ ବ୍ୟବସ୍ଥା ଲାଗୁ ହୋଇଛି। ପୂର୍ବପରି ଡିଏସ୍‌ପି ମଧ୍ୟ ଏହି ମାମଲାରେ ତଦନ୍ତ କରିବେ। ଡିଏସ୍‌ପିଙ୍କ ସହ ଆଇଆଇସି ଏବଂ ଏସଆଇ ମଧ୍ୟ ତଦନ୍ତ ପ୍ରକ୍ରିୟାରେ ସାମିଲ ହେବେ। ଫଳରେ ରୁଜୁ ମାମଲାର ତଦନ୍ତ ଶୀଘ୍ର ଶେଷ ହେବ। ଅଧିକ ସମ୍ବେଦନଶୀଳ ମାମଲାରେ ଏସପିଙ୍କ ନିର୍ଦେଶକ୍ରମେ ପୂର୍ବପରି ଡିଏସ୍‌ପି କିମ୍ବା ଉପର ରାଙ୍କର ଅଧିକାରୀ ତଦନ୍ତ କରିପାରିବେ। ଗୃହ ବିଭାଗ ପକ୍ଷରୁ ଆଇନ, ଏସସି ଓ ଏସଟି ବିଭାଗ ମତ ନେବା ପରେ ବିଜ୍ଞପ୍ତି ପ୍ରକାଶ ପାଇଛି।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

Related Articles

Popular Categories