ଭୁବନେଶ୍ବର : ତାଳଚେରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ୩ ଜଣଙ୍କୁ ଗିରଫ କଲା ତାଳଚେର ପୁଲିସ । ୩ ଜଣ ସାମ୍ବାଦିକ ମନୀଲ ମହାରଣା, ଆନମ ନାଜ ଓ ସାହିଦ୍ ଖାନ୍ ଗିରଫ ହେବା ନେଇ ଏସଡିପିଓ ସୂଚନା ଦେଇଛନ୍ତି । ଏହା ପରେ ମନିଲ କାର୍ଯ୍ୟକରୁଥିବା ଗଣମାଧ୍ୟମ ସଂସ୍ଥାରୁ ତାଙ୍କ ନିଯୁକ୍ତିକୁ ରଦ୍ଦ କରାଯାଇଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ ସାମ୍ବାଦିକ ମନୀଲ ମହାରଣା ଏବଂ ଏକ ଓ୍ବେବ ପୋର୍ଟାଲରେ କାର୍ଯ୍ୟରତ ସାମ୍ବାଦିକ ରବୀନ୍ଦ୍ର ସେଠଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ ନେଇ ଶନିବାର ରାସ୍ତା ମଝିରେ ଗଣ୍ଡଗୋଳ ସହ ମାରପିଟ୍ ହୋଇଥିଲା । ଏଥିରେ ସାମ୍ବାଦିକ ରବୀନ୍ଦ୍ର ସେଠ୍ ଆହତ ହୋଇଥିଲେ । ତାଙ୍କୁ ପ୍ରଥମେ ତାଳଚେର ଓ ପରେ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଉଭୟଙ୍କ ମାରପିଟ୍ ସମୟର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା । ଏବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୁଲିସ ସମ୍ପୃକ୍ତ ଥିବା ୩ ଜଣଙ୍କୁ ଗିରଫ କରିଛି ।



