କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ପୁଲିସର ଏନକାଉଣ୍ଟରରେ ଆହତ ହୋଇଛନ୍ତି ଦୁର୍ଦ୍ଦାନ୍ତ ଅପରାଧୀ ଗଣେଶ ମଲ୍ଲିକ। ସୋମବାର ବିଳମ୍ବିତ ରାତିରେ କଜଳା-ନାନକା ମଝି ହାଲପୁର ଛକରେ ସଦର ଥାନା ଏବଂ ସ୍ପେଶାଲ ସ୍କ୍ବାଡ ପକ୍ଷରୁ ଏହି ଏନକାଉଣ୍ଟର ହୋଇଥିବା ସୂଚନା ମିଳିଛି। ଗଣେଶଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଛି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ କେନ୍ଦ୍ରାପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ସେଠାରୁ ତାଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।
ଗଣେଶଙ୍କ ନାଁରେ ରାଜ୍ୟର ବିଭିନ୍ନ ଥାନାରେ ହତ୍ୟା ସମେତ ୧୦ରୁ ଅଧିକ ମାମଲା ରହିଛି। ରାଉରକେଲା, କେନ୍ଦୁଝର ଓ କେନ୍ଦ୍ରାପଡ଼ାର ବିଭିନ୍ନ ଥାନାରେ ଏହିସବୁ ମାମଲା ରହିଥିବା ବେଳେ ସେ ୫ବର୍ଷ ହେବ ଫେରାର ଥିଲେ। ସୋମବାର ସେ କେନ୍ଦ୍ରାପଡ଼ାରେ ଥିବା ନେଇ ପୁଲିସକୁ ସୂଚନା ମିଳିବା ପରେ ତାଙ୍କୁ ଧରିବାକୁ ଉଦ୍ୟମ କରାଯାଇଥିଲା। ପୁଲିସ ଏବଂ ସ୍ପେଶାଲ ସ୍କ୍ବାଡର ଏକ ଟିମ ତାଙ୍କୁ ପିଛା କରୁଥିବା ବେଳେ ହାଲପୁର ଛକ ନିକଟରେ ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଆହତ ଗଣେଶଙ୍କ ନିକଟରୁ ପୁଲିସ ଏକ ବନ୍ଧୁକ ଜବତ କରିଛି।



