www.samajalive.in
Tuesday, December 9, 2025
16.1 C
Bhubaneswar

ଶିକ୍ଷକ ବାଟ ହୁଡ଼ିବାର କାରଣ

ଶିକ୍ଷାର୍ଥୀ, ଶିକ୍ଷକ, ଗୋଷ୍ଠୀ ଓ ବିଦ୍ୟାଳୟ ହେଉଛି ଶିକ୍ଷାର ପ୍ରମୁଖ ବିନ୍ଦୁ। ସୁସମନ୍ୱୟ ରଖି ଆଗେଇଲେ ଶିକ୍ଷାର ସଫଳତା ସମ୍ଭବ ହୋଇଥାଏ। ପ୍ରତ୍ୟେକ ପିଲା ସ୍କୁଲ ଆରମ୍ଭ କରିବା ସମୟରେ ତା’ର ପ୍ରଥମେ ପରିଚୟ ହୁଏ ଶିକ୍ଷକଙ୍କ ସହିତ। ସେ ହିଁ ପିଲାଙ୍କର ହାତ ଧରି ଶିକ୍ଷଣ ଯାତ୍ରାରେ ପାହାଚ ପରେ ପାହାଚ ଅତିକ୍ରମ କରିବା ପାଇଁ ମାର୍ଗଦର୍ଶନ କରିଥାନ୍ତି। ଜଣେ ଭଲ ଶିକ୍ଷକ ପିଲା ଉପରେ ଜୀବନବ୍ୟାପୀ ସ୍ଥାୟୀ ଛାପ ପକାଇପାରନ୍ତି ଏବଂ ପିଲା ପାଇଁ ସ୍କୁଲକୁ ସବୁଠାରୁ ସୁନ୍ଦର ସ୍ଥାନ କରିପାରନ୍ତି। ଶିକ୍ଷକମାନେ ଚିରକାଳ ସମାଜର ମେରୁଦଣ୍ଡ। ସେ ସମାଜ ପରିବର୍ତ୍ତନର କର୍ଣ୍ଣଧାର। ସେମାନେ ଆମର ପରିଚୟକୁ ପ୍ରମାଣିତ କରନ୍ତି, ଉତ୍କର୍ଷତାକୁ ଉତ୍ସାହିତ କରନ୍ତି ଏବଂ ଦୃଢ଼ ଅଭ୍ୟାସକୁ ପ୍ରେରଣା ଦିଅନ୍ତି। ଆମେ ସମସ୍ତେ ଜଣେ ଶିକ୍ଷକଙ୍କ ଦ୍ୱାରା ପ୍ରଭାବିତ ହୋଇଛୁ ଯିଏ ଆମ ଜୀବନର ପଥ ଗଢ଼ିବାରେ ସାହାଯ୍ୟ କରିଛନ୍ତି। କୁହାଯାଏ ଶିକ୍ଷକତା ହେଉଛି ଏପରି ଏକ ବୃତ୍ତି ଯାହା ଅନ୍ୟ ସମସ୍ତ ବୃତ୍ତିକୁ ସୃଷ୍ଟି କରିଥାଏ।

ବିଦ୍ୟାଳୟରେ ଜଣେ ଶିକ୍ଷକଙ୍କ କର୍ତ୍ତବ୍ୟ ବିଭିନ୍ନ ପ୍ରକାରର। ନିଜ ଦାୟିତ୍ୱ ନିର୍ବାହ ସହ ନିଜକୁ ଓ ଅନ୍ୟକୁ ନିର୍ଦେଶ ଦେବା, ପାଠ ଯୋଜନା ପ୍ରସ୍ତୁତ କରିବା, ମୂଲ୍ୟାଙ୍କନ, ଶ୍ରେଣୀଗୃହ ପରିଚାଳନା, ଗୃହକାର୍ଯ୍ୟ ପ୍ରଦାନ, ଗ୍ରେଡ କରିବା, ପ୍ରଗତିକୁ ଡକ୍ୟୁମେଣ୍ଟସନ୍‌‌ କରିବା, ଶିକ୍ଷାଗତ କାର୍ଯ୍ୟକଳାପ ଯୋଜନା କରିବା ଏବଂ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସହ ଯୋଗାଯୋଗ ଇତ୍ୟାଦି ମଧ୍ୟରେ ନିଜକୁ ସାମିଲ କରିଥାନ୍ତି। ସେମାନଙ୍କର ଲକ୍ଷ୍ୟ ହେଉଛି ଜ୍ଞାନ ପ୍ରଦାନ କରିବା, ଶିକ୍ଷଣକୁ ପ୍ରୋତ୍ସାହିତ କରିବା ଏବଂ ଛାତ୍ରଛାତ୍ରୀଙ୍କ ବିକାଶକୁ ଉତ୍ସାହିତ କରିବା ଦିଗରେ ପ୍ରେରିତ କରିବା। ଏଥିପାଇଁ ବିଭିନ୍ନ ବିଷୟରେ ଏବଂ ବିଭିନ୍ନ ଶିକ୍ଷଣ ସ୍ତରରେ ପିଲାଙ୍କ ଦକ୍ଷତା ହାସଲ ସହ ଛାତ୍ରଛାତ୍ରୀଙ୍କୁ ଶିକ୍ଷିତ କରିବା ଏବଂ ଶିକ୍ଷା ପ୍ରତି ଆଗ୍ରହ ବୃଦ୍ଧି କରିବା ପାଇଁ ଶିକ୍ଷକମାନେ ଆକର୍ଷଣୀୟ ପାଠ ଯୋଜନା ପ୍ରସ୍ତୁତ କରିଥାନ୍ତି। ଏତିକି ଭିତରେ ଶିକ୍ଷକଙ୍କ ଦାୟିତ୍ୱ ସୀମିତ ଥିଲେ ଶିକ୍ଷକ ନିଜସ୍ୱ ସୃଜନ ବଳରେ ସମାଜର ହିତ ସାଧନ ଲାଗି ଅନେକ କିଛି କରି ପାରନ୍ତା।

- Advertisement -

ଶିକ୍ଷକଙ୍କ ପାଇଁ ଏବେ ବଡ଼ ଚ୍ୟାଲେଞ୍ଜ ହେଉଛି ନିଜର ବୃତ୍ତି। ପିଲାଙ୍କୁ ପାଠ ପଢେଇବା ଯେତିକି ବଡ଼ ଆହ୍ବାନ ନୁହେଁ, ନିଜ ଚାକିରିକୁ ବଞ୍ଚେଇ ରଖିବା ଶିକ୍ଷକଙ୍କର ସବୁଠୁ ବଡ଼ ଚିନ୍ତା। ସ୍ୱାଭାବିକ ଶିକ୍ଷଣ ପ୍ରକ୍ରିୟା ସହ ଉଦ୍‌ଭ୍ରାନ୍ତ ପିଲାଙ୍କୁ ଶିକ୍ଷାନୁରାଗୀ କରାଇବା, ସରକାରୀ ଅନୁଦାନର ସଫଳ ବିନିଯୋଗ, ଠିକ ସମୟରେ ବିନିଯୋଗ ପତ୍ର ଦାଖଲ, ବିଦ୍ୟାଳୟର ଆନୁଷଙ୍ଗିକ ରେକର୍ଡପତ୍ରର ସମୟାନୁସାରେ ପରିଚାଳନା, ଗୋଷ୍ଠୀ ସହ ସୁସମ୍ପର୍କ, ବିଭିନ୍ନ ସରକାରୀ ଓ ବେସରକାରୀ ଏଜେନ୍ସି ସହ ସମନ୍ୱୟ, ନିର୍ବାଚିତ ପ୍ରତିନିଧିଙ୍କ ସହ ସଫଳ ଭାବ ଉଦ୍ରେକ, ଭଲ ପରୀକ୍ଷା ଫଳ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଯଥେଷ୍ଟ ଧ୍ୟାନ ଦେବା ଶିକ୍ଷକ ପାଇଁ ପ୍ରାରମ୍ଭିକ ଦାୟିତ୍ୱ ହୋଇପଡ଼ିଛି। ତାରି ଭିତରେ ପ୍ରାୟତଃ ପ୍ରତିଦିନ ତୁହାକୁ ତୁହା ବିଭାଗ ପକ୍ଷରୁ ସୂଚନା ମଗାଯିବ ଏବଂ ତାହାର ବି ତୁରନ୍ତ ଉତ୍ତର ଦେବାକୁ ହେବ। ମଧ୍ୟାହ୍ନଭୋଜନ ପରିଚାଳନା ଲାଗି ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀ ସହ ସୁସମ୍ପର୍କ ସ୍ଥାପନ ଜରୁରୀ। ଅଣ୍ଡା, ମାଣ୍ଡିଆ ଲଡୁର ନିତିଦିନିଆ ବିବରଣୀ ଯାଞ୍ଚ କାର୍ଯ୍ୟ। ବିଦ୍ୟାଳୟର ଦୁର୍ବଳ ଭିତ୍ତିଭୂମି ଓ ଶିକ୍ଷକଙ୍କ ଅଭାବ ଭିତରେ ଘନଘନ ବିଭିନ୍ନ ପ୍ରକାର ଶିକ୍ଷକ ତାଲିମରେ ଯୋଗଦାନ ପାଇଁ ବାଧ୍ୟବାଧକତା। ଗୋଟିଏ ତାଲିମ ସରିଲା ବେଳକୁ ଅନ୍ୟଟି ଆରମ୍ଭ। ଏସବୁ ଭିତରେ ଶିକ୍ଷକଟି ବାଟ ହୁଡିଯାଏ ଏବଂ ପ୍ରବଳ ତାଲିମ ଜନିତ ବିରକ୍ତି ସ୍ପଷ୍ଟ ପରିଦୃଶ୍ୟ ହୁଏ। ବାସ୍ତବରେ ବର୍ଷରେ ଯେତେ ସମୟ ଶିକ୍ଷକ ତାଲିମ ଗ୍ରହଣ କରନ୍ତି ସେହି ତାଲିମକୁ ବିଦ୍ୟାଳୟସ୍ତରରେ ସଫଳତାର ସହ ପ୍ରୟୋଗ କରିବାକୁ ସେତିକି ସମୟ ପାଆନ୍ତି ନାହିଁ। ଫଳରେ ତାଲିମ ପରବର୍ତ୍ତୀ ନିଷ୍କର୍ଷ ବସ୍ତୁତଃ ଫଳଶୂନ୍ୟ ହୋଇପଡ଼ିଥାଏ। ଏହାର ଆକଳନ ଲାଗି ଏ ଯାବତ୍‌ ସୁବ୍ୟବସ୍ଥା ସମ୍ଭବ ହୋଇପାରିନି।

ଆଉ ଏକ ମୁଖ୍ୟ ଦିଗ ହେଲା ଗୋଟିଏ ଶିକ୍ଷା ବର୍ଷ ଭିତରେ ଜଣେ ଶିକ୍ଷକ କେତେ ସମୟ ପ୍ରତ୍ୟକ୍ଷ ଭାବେ ଶିକ୍ଷଣ ପ୍ରକ୍ରିୟା ସହ ଜଡ଼ିତ ହୋଇ ରହିପାରୁଛି। ମୌଳିକ ଶିକ୍ଷାଦାନ ବ୍ୟତୀତ ବିଭିନ୍ନ ସରକାରୀ କାର୍ଯ୍ୟରେ ଶିକ୍ଷକଙ୍କ ନିୟୋଜନ, ବର୍ଷ ସାରା ତାଲିମ, ନିୟମିତ ଛୁଟି ସହ ତତ୍କାଳ ଘୋଷିତ ଛୁଟି ଆଦିକୁ ଯଦି ହିସାବ କରାଯାଏ ଶିକ୍ଷକ, ଶିକ୍ଷାର୍ଥୀ ଓ ଶ୍ରେଣୀଗୃହର ସମୟ ପୂର୍ବାପେକ୍ଷା ଆଶାତୀତ ଭାବେ ହ୍ରାସ ପାଇଛି। ଏସବୁ କାରଣ ହେତୁ ପ୍ରକୃତ ଶିକ୍ଷାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସାଧନ ଏବେ ବହୁ ଦୂରରେ ବୋଲି ସମସ୍ତଙ୍କର ହୃଦବୋଧ ହେଉଛି। ଏମିତିକି ଏହି ବାସ୍ତବତା ବର୍ଷର ବିଭିନ୍ନ ସମୟରେ ସରକାରୀ ଓ ବେସରକାରୀ ସ୍ତରରେ ହେଉଥିବା ସାମଗ୍ରିକ ଶିକ୍ଷା ଆକଳନ ରିପୋର୍ଟରେ ପ୍ରତିଫଳିତ ହେଉଛି ଥରକୁ ଥର। କୁହାଯାଉଛି ଶିକ୍ଷାର ମାନ ହ୍ରାସ ପାଉଛି। ପୂର୍ବାପେକ୍ଷା ଅବଶ୍ୟ ବିଦ୍ୟାଳୟର ସ୍ଥିତିରେ ଉନ୍ନତି ଘଟିଛି। ବିଜ୍ଞାନାଗାର, ଇ-ଲାଇବ୍ରେରୀ, ଡିଜିଟାଲ ବୋର୍ଡ ଭଳି ବହୁ ସାଧନ ଦିଆ ହୋଇଛି। ହେଲେ ଏସବୁର ସଫଳ ବ୍ୟବହାର ଓ ଶିକ୍ଷକ-ଶିକ୍ଷାର୍ଥୀ ମଧ୍ୟରେ ସଫଳ ଭାବ ବିନିମୟ ଲାଗି ବିଦ୍ୟାଳୟରେ ଏକ ଉତ୍କୃଷ୍ଟ ବାତାବରଣ ଅଛି କି? ବିଭିନ୍ନ ଚାପ ପ୍ରୟୋଗକାରୀଙ୍କ ଅଯଥା ହସ୍ତକ୍ଷେପରୁ ମୁକ୍ତି ସାଙ୍ଗକୁ ଶିକ୍ଷକଙ୍କୁ ନିଜର ମୌଳିକ କର୍ତ୍ତବ୍ୟ ସମ୍ପାଦନ ଲାଗି ଉପଯୁକ୍ତ ସମୟ ଓ ସୁଯୋଗ ଦେବା ଏବଂ ଶିକ୍ଷକଙ୍କ ପାଇଁ ଭୟମୁକ୍ତ ବାତାବରଣ ସୃଷ୍ଟି କରିବା ସମ୍ପ୍ରତି ଶିକ୍ଷା ବ୍ୟବସ୍ଥା ପାଇଁ ନିହାତି ଜରୁରୀ। ନଚେତ ଏମିତି ଚାଲିଥିବ! ଶିକ୍ଷକ ଆଉ କ’ଣ କରିବ? ନିଜ ଚାକିରି ବଞ୍ଚେଇବାକୁ ଯାହା କାମ କରୁଥିବ!

ଦ୍ଵିତୀ ଚନ୍ଦ୍ର ସାହୁ

ଇନ୍ଦିରା ନଗର, ରାୟଗଡ଼ା

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories