ଭୁବନେଶ୍ବର : ଜେଜେମା କହିଥିବା କାହାଣୀରେ ଥରେ ଗୋଟିଏ ରାଜ୍ୟର ରାଜା ନିଜ ରାଜକୁମାରୀଙ୍କୁ ପଚାରିଲେ, ଦୁନିଆରେ ତାଙ୍କର ସବୁଠାରୁ ପ୍ରିୟ କିଏ? ଯେଉଁଥିରେ, ସ୍ପଷ୍ଟ ଭାବରେ ରାଜା ତାଙ୍କ ପ୍ରିୟ ଝିଅର ମୁହଁରୁ ନିଜର ନାମ ଶୁଣିବାକୁ ଚାହୁଁଥିଲେ; କିନ୍ତୁ ଯେତେବେଳେ ରାଜକୁମାରୀ ଜଣକ ‘ଲୁଣ’ ବୋଲି ଉତ୍ତର ଦେଲେ, ରାଜା ରାଗିଗଲେ ଏବଂ ତାଙ୍କୁ ତାଙ୍କ ଦୃଷ୍ଟିରୁ ଦୂରରେ ରହିବାକୁ ଆଦେଶ ଦେଲେ। କିଛି ବର୍ଷ ପରେ, ସ୍ବାସ୍ଥ୍ୟଗତ କାରଣବଶତଃ ଯେତେବେଳେ ରାଜବୈଦ୍ୟଙ୍କ ପରାମର୍ଶ ଅନୁସାରେ ରାଜାଙ୍କୁ ଲୁଣ ବିନା ସ୍ୱାଦହୀନ ଖାଦ୍ୟ ଖାଇବାକୁ ବାଧ୍ୟ କରାଗଲା, ସେତେବେଳେ ରାଜା ଲୁଣର ମୂଲ୍ୟ ବୁଝିପାରିଥିଲେ। ତେବେ, ଲୁଣ କେବଳ ଏକ ମୌଳିକ ସ୍ୱାଦ ନୁହେଁ, ଏହା ପ୍ରତିଟି ବ୍ୟକ୍ତି ବଞ୍ଚିବା ପାଇଁ ମଧ୍ୟ ଅତ୍ୟାବଶ୍ୟକ। ଲୁଣର ରାସାୟନିକ ନାମ ସୋଡିୟମ୍ କ୍ଲୋରାଇଡ୍, ଯାହା ମଣିଷ ମସ୍ତିଷ୍କର ସୂକ୍ଷ୍ମ ବୈଦ୍ୟୁତିକ ପ୍ରକ୍ରିୟାଗୁଡ଼ିକୁ ନିୟନ୍ତ୍ରଣ କରେ। ଏତଦ୍ ବ୍ୟତୀତ, ଏହା ଶରୀରରେ ଜଳ ସଂରକ୍ଷଣ ସନ୍ତୁଳନ ବଜାୟ ରଖିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଅନେକ ସମୟରେ ଲୁଣ-ଚିନି ମିଶ୍ରଣ ବ୍ୟବହାର କରି ଚିକିତ୍ସା ମଧ୍ୟ କରାଯାଏ। ଏହା ଛଡା, ବିଭିନ୍ନ ଆଚାର ପ୍ରସ୍ତୁତି ଏବଂ ସେଗୁଡିକର ସଂରକ୍ଷଣ, ଦାଗ ସଫା କରିବା, ଗ୍ରୀସ୍ ବାହାର କରିବା ଏବଂ ସ୍ପଞ୍ଜକୁ ସତେଜ, ଜୋତା ଦୁର୍ଗନ୍ଧ ଦୂର, ପିତ୍ତଳ କିମ୍ବା ତମ୍ବାକୁ ପଲିସ୍ କରିବା, ରାସାୟନିକ ଶିଳ୍ପ ଯଥା, କଷ୍ଟିକ୍ ସୋଡ଼ା, କ୍ଲୋରିନ୍ ଏବଂ ସୋଡିୟମ୍ ବାଇକାର୍ବୋନେଟ୍ ସମେତ ବିଭିନ୍ନ ରାସାୟନିକ ପଦାର୍ଥ, ସାବୁନ ଏବଂ ଡିଟରଜେଣ୍ଟ ଉତ୍ପାଦନ, ମାଂସ ପ୍ୟାକିଂ, ମାଛ ଚିକିତ୍ସା ଏବଂ ଚମଡା ପ୍ରକ୍ରିୟାକରଣ ଭଳି ଶିଳ୍ପରେ ବ୍ୟବହାର, ପାରମ୍ପରିକ ଔଷଧ ଯଥା ପାଚନ ସ୍ୱାସ୍ଥ୍ୟ ଏବଂ ଗଳା ଯନ୍ତ୍ରଣା ଦୂର କରିବା, ଥଣ୍ଡା ଅଞ୍ଚଳରେ ବରଫ ଏବଂ ତୁଷାର ତରଳାଇବା ଏବଂ ମୃତ୍ତିକା ସ୍ଥିରୀକରଣ ପ୍ରକ୍ରିୟାରେ ଓ ଚମଡ଼ା ସଂରକ୍ଷଣ ତଥା ଶୀତଳୀକରଣ ଆଦି ନିମନ୍ତେ ଲୁଣର ବ୍ୟବହାର ଗୁରୁତ୍ବପୂର୍ଣ୍ଣ।
୨୦୧୩ ମସିହାରେ ଏକ ସର୍ଭେ ରିପୋର୍ଟ ଅନୁଯାୟୀ, ଓଡ଼ିଶାର ବାର୍ଷିକ ଲୁଣ ବ୍ୟବହାର ପ୍ରାୟ ୪.୨୫ ଲକ୍ଷ ଟନ୍ ଥିଲା, ଯେଉଁଥିରୁ ୨.୭୫ ଲକ୍ଷ ଟନ୍ ସାଧାରଣ ଆୟୋଡିନ୍ ଯୁକ୍ତ ଲୁଣ ଏବଂ ୧.୫ ଲକ୍ଷ ଟନ୍ ବିଶୋଧିତ ଆୟୋଡିନ୍ ଯୁକ୍ତ ଲୁଣ। ଓଡ଼ିଶାରେ ଆଠଟି ଆୟୋଡିନକରଣ ପ୍ଲାଣ୍ଟ ଅଛି, ସେଥିମଧ୍ୟରୁ ସାତୋଟି ଗଞ୍ଜାମରେ ଏବଂ ଗୋଟିଏ ବାଲେଶ୍ୱରରେ। ଏହି ପରିପ୍ରେକ୍ଷୀରେ ବାର୍ଷିକ ପ୍ରାୟ ୦.୫ ଲକ୍ଷ ଟନ୍ ଲୁଣ ଓଡ଼ିଶାର ମୁଖ୍ୟତଃ ଗଞ୍ଜାମ, ବାଲେଶ୍ୱର ଏବଂ ପୁରୀ ଜିଲାରେ ଉତ୍ପାଦନ କରାଯାଏ। ରାଜ୍ୟର ଲୁଣ ଆବଶ୍ୟକତାଠାରୁ ଏହା ପାଖାପାଖି ୮୦ ପ୍ରତିଶତ କମ୍। ଫଳସ୍ବରୂପ, ନିଜର ଆବଶ୍ୟକତାକୁ ପୂରଣ କରିବାକୁ ଓଡିଶା ଦେଶର ଅନ୍ୟାନ୍ୟ ରାଜ୍ୟରୁ ଲୁଣ ଆମଦାନୀ କରିଥାଏ। ଗୁଜରାଟ, ରାଜସ୍ଥାନ, ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟରୁ ବାର୍ଷିକ ପ୍ରାୟ ୨.୫ ଲକ୍ଷ ଟନ୍ ଲୁଣ ଆମଦାନୀ କରାଯାଇଥାଏ; କିନ୍ତୁ ଇତିହାସର ସ୍ବର୍ଣ୍ଣାଭ ପୃଷ୍ଠା କହେ, ଲୁଣ ଉପରେ ବ୍ରିଟିଶଙ୍କ ଦ୍ବାରା ସ୍ଥିର କରାଯାଇ ଥିବା ଟିକସ ବିରୁଦ୍ଧରେ ଗାନ୍ଧିଜୀ ୧୯୩୦ ମସିହାରେ ଅହିଂସାତ୍ମକ ଉପାୟରେ ଲବଣ ସତ୍ୟାଗ୍ରହ ଆରମ୍ଭ କରିଥିଲେ। ଗୋପବନ୍ଧୁ ଚୌଧୁରୀ ଏବଂ ହରେକୃଷ୍ଣ ମହତାବଙ୍କ ଭଳି ପ୍ରମୁଖ ବ୍ୟକ୍ତିତ୍ୱମାନଙ୍କର ନେତୃତ୍ୱ ତଥା ଗୁରୁତ୍ୱପୂର୍ଣ୍ଣ ଭୂମିକା ସାହାଯ୍ୟରେ ଓଡ଼ିଶାରେ ସଂଗଠିତ ଲବଣ ସତ୍ୟାଗ୍ରହ ଉକ୍ତ ଆନ୍ଦୋଳନର ଏକ ପ୍ରମୁଖ ଅଂଶ ପାଲଟିଥିଲା। ଏହା ଭାରତର ସ୍ବାଧୀନତା ପାଇଁ ମଧ୍ୟ ଏକ ବିଶାଳ ପଥ ପ୍ରସ୍ତୁତ କରିଥିଲା। ତେବେ, ଓଡିଶା ରାଜ୍ୟ ଅତୀତରେ ଲୁଣ ଉତ୍ପାଦନରେ ସ୍ୱାବଲମ୍ବୀ ଥିଲା ଏବଂ ଓଡ଼ିଶାର ଲୁଣ ଶିଳ୍ପ ରାଜ୍ୟ ଅର୍ଥନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବରେ ମଧ୍ୟ ବିବେଚିତ ହେଉଥିଲା; କିନ୍ତୁ ବିଭିନ୍ନ କାରଣ ଯୋଗୁଁ ବର୍ତ୍ତମାନ ସମୟରେ ଏଥିରେ ଅନେକ ହ୍ରାସ ଘଟିଛି ଏବଂ ଓଡିଶା ଏକ ଲୁଣ ଉତ୍ପାଦନକାରୀ ରାଜ୍ୟ ହୋଇଥିଲେ ମଧ୍ୟ ନିଜର ଆବଶ୍ୟକତା ଓ ଚାହିଦା ପୂରଣ କରିବାକୁ ଏହା ଅନ୍ୟ ଅଞ୍ଚଳରୁ ଆମଦାନୀ ଉପରେ ନିର୍ଭର କରୁଛି।
ଓଡ଼ିଶାର ଉପକୂଳ ପ୍ରାୟ ୫୪୭.୭ କିଲୋମିଟର ପରିବ୍ୟାପ୍ତ, ଯାହା ରାଜ୍ୟରେ ଲୁଣ ଉତ୍ପାଦନ କରିବା ନିମନ୍ତେ ସବୁଠାରୁ ବଡ ଭିତ୍ତିଭୂମି ଓ ଆଧାର ସୃଷ୍ଟି କରିଥାଏ। ତେବେପ୍ରଶ୍ନ ହେଉଛି, ରାଜ୍ୟରେ ଲୁଣ ଉତ୍ପାଦନ କ୍ଷେତ୍ରରେ ଏତେ ସବୁ ସମ୍ଭାବନା ଥାଇ ମଧ୍ୟ ରପ୍ତାନି କରିବା ଦୂରର ବିଷୟ, ରାଜ୍ୟ ନିଜର ବାର୍ଷିକ ଆବଶ୍ୟକତାର ଶତକଡା ୨୫ ଭାଗ ଉତ୍ପାଦନ ତଥା ପୂରଣ କରିବାକୁ ସକ୍ଷମ ନୁହେଁ କାହିଁକି? ଏହି ପରିପ୍ରେକ୍ଷୀରେ, ଗୋଟିଏ ଛୋଟ ଅନୁସନ୍ଧାନରୁ ଏହାର କିଛି କାରଣ ନଜରକୁ ଆସିଲା ଯେ, ଲୁଣ ଚାଷୀମାନେ ସେମାନଙ୍କର ଲୁଣ ଫାର୍ମରେ ସମୁଦ୍ର ପାଣି ପମ୍ପ କରିବା ପାଇଁ ମୋଟର ଚଳାଇବା ନିମନ୍ତେ ବିଦ୍ୟୁତ୍ ବ୍ୟବହାର କରିଥାନ୍ତି। ଫଳସ୍ବରୂପ, ଅଧିକ ବିଦ୍ୟୁତ୍ ଶୁଳ୍କର ସମ୍ମୁଖୀନ ହୁଅନ୍ତି, ଯାହା ଉତ୍ପାଦନ କାର୍ଯ୍ୟ ଖର୍ଚ୍ଚକୁ ପ୍ରଭାବିତ କରିଥାଏ। ଏହା ବ୍ୟତୀତ, ବିଭିନ୍ନ କୃଷି ଉତ୍ପାଦ ପରି ଲୁଣର ସର୍ବନିମ୍ନ ସହାୟକ ମୂଲ୍ୟ ନ ଥିବାରୁ ଲୁଣ ଚାଷୀ ଏବଂ ଲୁଣ ସମବାୟ ସମିତିଗୁଡ଼ିକ ସେମାନଙ୍କର ଉତ୍ପାଦ ବିକ୍ରୟ ଏବଂ ଉଚିତ ମୂଲ୍ୟ ହାସଲ କରିବାରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଦୁର୍ବଳ ପରିବହନ ବ୍ୟବସ୍ଥା ମଧ୍ୟ ସେମାନଙ୍କ କାର୍ୟ୍ୟର ଖର୍ଚ୍ଚକୁ ଅନେକ ସମୟରେ ପ୍ରଭାବିତ କରିଥାଏ। ଏହା ଛଡା ଭଲ ନିବେଶର ଅଭାବ, ସରକାରୀ ସ୍ତରରେ ଲୁଣ ଶିଳ୍ପକୁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନରେ ଶିଥିଳତା ଆଦି ରାଜ୍ୟରେ ଲୁଣ ଶିଳ୍ପ ନିମ୍ନଗାମୀ ହେବାର ଅନ୍ୟତମ କାରକ ଅଟନ୍ତି। ଏହି ପରିପ୍ରେକ୍ଷୀରେ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ ଗୁଜରାଟ ଭଳି ପ୍ରମୁଖ ଲୁଣ ଉତ୍ପାଦନକାରୀ ରାଜ୍ୟ ଲୁଣ ଚାଷକୁ କୃଷି ମାନ୍ୟତା ଦେବା ଭଳି ଓଡ଼ିଶା ସରକାର କୃଷି କ୍ଷେତ୍ର ସହିତ ଲୁଣ ଶିଳ୍ପକୁ ସମାନ ଭାବରେ ବିଚାର କରିବା ଉଚିତ। ବିଭିନ୍ନ କୃଷି ଉତ୍ପାଦ ପରି ଲୁଣର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି), ଉତ୍ପାଦ ବିକ୍ରୟ ଏବଂ ଉଚିତ ମୂଲ୍ୟ ହାସଲ କରିବାରେ ବ୍ୟବସ୍ଥା କରିବା ଜରୁରୀ।
ରାକେଶ ପଣ୍ଡା
ବନ୍ଦାଳୋ, ଟାଙ୍ଗୀ, କଟକ



