ଭୁବନେଶ୍ବର: ଆଗାମୀ ଗ୍ରୀଷ୍ମ ପ୍ରବାହ ଓ କ୍ରମାଗତ ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜନସାଧାରଣଙ୍କ ଜୀବନ ଓ ଜୀବିକାର ସୁରକ୍ଷା ପାଇଁ ବ୍ୟାପକ ପ୍ରସ୍ତୁତି ସହିତ ଜନସଚେତନତାକୁ ପ୍ରାଧାନ୍ୟ ଦିଆଯାଉଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ନିର୍ଦ୍ଦେଶକ୍ରମେ ଗ୍ରୀଷ୍ମ ପ୍ରବାହ ସମୟରେ ଜନଜୀବନର ସୁରକ୍ଷା ପାଇଁ ଆବଶ୍ୟକ ତ୍ୱରିତ ପଦକ୍ଷେପ, ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଆବଶ୍ୟକ ସ୍ୱାସ୍ଥ୍ୟ ସାମଗ୍ରୀର ସଂରକ୍ଷଣ ତା’ସହ ଅନ୍ୟାନ୍ୟ ସମସ୍ତ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ(ଡିପିଏଚ୍) ଡା. ନୀଳକଣ୍ଠ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ମଙ୍ଗଳବାର ସ୍ଥାନୀୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟଠାରେ ଅନୁଷ୍ଠିତ ହୋଇଯାଇଛି।
ଅତ୍ୟଧିକ ଗରମର ଜନସ୍ୱାସ୍ଥ୍ୟ ପ୍ରଭାବକୁ ସୁପରିଚାଳନା କରିବା ପାଇଁ ଏକ ବ୍ୟାପକ ଆଭିମୁଖ୍ୟର ଆବଶ୍ୟକତା ଉପରେ ଡା. ମିଶ୍ର ଗୁରୁତ୍ୱାରୋପ କରିଥିଲେ। ଗ୍ରୀଷ୍ମ ପ୍ରବାହର ପ୍ରଭାବକୁ ହ୍ରାସ କରିବା ପାଇଁ ଇଂଟ୍ରାଭେନସ୍ ଫ୍ଲୁଇଡ୍, ଓରାଲ୍ ରିହାଇଡ୍ରେସନ୍ ସଲ୍ୟୁସନ୍(ଓଆରଏସ), ଆବଶ୍ୟକୀୟ ଔଷଧ, ଏୟାର କୁଲର/ଶୀତତାପ ନିୟନ୍ତ୍ରିତ କକ୍ଷ ଏବଂ ସର୍ବୋପରି ପାୱାର ବ୍ୟାକଅପ୍ ସିଷ୍ଟମ୍ ଭଳି ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥାର ଉପଲବ୍ଧତା ସୁନିଶ୍ଚିତ କରିବା ଉପରେ ସ୍ୱାସ୍ଥ୍ୟ ବିଭାଗ ଯଥେଷ୍ଟ ପ୍ରଯତ୍ନଶୀଳ। ଏହାବ୍ୟତୀତ ଗ୍ରୀଷ୍ମ ପ୍ରବାହର ଆକ୍ରାନ୍ତଙ୍କ ପାଇଁ ପର୍ଯ୍ୟାପ୍ତ ଶଯ୍ୟା ପ୍ରସ୍ତୁତ କରି ରଖିବା ସହ ଚିକିତ୍ସାର ସମସ୍ତ ସୁବିଧା ସୁନିଶ୍ଚିତ କରିବାକୁ ସମସ୍ତ ୩୦ଟି ଜିଲ୍ଲାର ସ୍ୱାସ୍ଥ୍ୟ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ ପ୍ରକାଶ କରିଛନ୍ତି।
ଆଗାମୀ ଗ୍ରୀଷ୍ମ ପ୍ରବାହକୁ ଗୁରୁତ୍ୱର ସହ ନେଇ ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ସମ୍ପ୍ରସାରିତ କରିଛି ବିଭାଗ। ଏହି ପ୍ରଶିକ୍ଷଣକୁ ତୃଣମୂଳସ୍ତର ଯାଏଁ ସମ୍ପ୍ରସାରିତ କରାଯାଉଛି, ଯାହା ଫଳରେ ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀମାନେ ଗ୍ରୀଷ୍ମଜନିତ ସ୍ୱାସ୍ଥ୍ୟ ସମସ୍ୟାର ତ୍ୱରିତ ଏବଂ ପ୍ରଭାବଶାଳୀ ଚିକିତ୍ସା ଜନସାଧାରଣଙ୍କୁ ଦେଇପାରିବେ ବୋଲି ଡା. ମିଶ୍ର ଆଶାବ୍ୟକ୍ତ କରିଛନ୍ତି।
ଅତ୍ୟଧିକ ଗରମ ପରିଲକ୍ଷିତ ହେଉଥିବା ଅଞ୍ଚଳ ବିଶେଷ କରି ଖଣିଖାଦାନ ଥିବା ଅଞ୍ଚଳର ଜନସାଧାରଣଙ୍କୁ ଅତିରିକ୍ତ ସମ୍ବଳ ଏବଂ ସୁରକ୍ଷା ଯୋଗାଇ ଦେଇ, ସେହି ସ୍ଥାନଗୁଡିକରେ ବିଶେଷ ଧ୍ୟାନ ଦେବାପାଇଁ ପରାମର୍ଶ ଦିଆଯାଇଛି। ଏହା ସହିତ ଗ୍ରୀଷ୍ମ ପ୍ରବାହ ସମୟର ସମ୍ବେଦନଶୀଳତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ଜନସାଧାରଣଙ୍କୁ ବ୍ୟବହାରିକ ପରାମର୍ଶ ପ୍ରଦାନ କରିବା ପାଇଁ ସାରା ରାଜ୍ୟରେ ସୂଚନା, ଶିକ୍ଷା ଓ ଯୋଗାଯୋଗ(ଆଇ.ଇ.ସି) ଅଭିଯାନକୁ ତ୍ୱରାନ୍ୱିତ କରିବା ପାଇଁ ସ୍ଥାନୀୟ ସ୍ୱାସ୍ଥ୍ୟ ପ୍ରଶାସନକୁ ନିର୍ଦେଶ ଦିଆଯାଇଛି। ଅତୀତର ଅନୁଭୂତିରୁ ଶିକ୍ଷାଲାଭ କରି ସମସ୍ତ ପ୍ରସ୍ତୁତିକୁ ଠିକ୍ ସମୟରେ ଏବଂ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟକାରୀ କରିବା ଉପରେ ଡା. ମିଶ୍ର ଗୁରୁତ୍ୱାରୋପ କରିଥିଲେ।
ଆଗାମୀ ଗ୍ରୀଷ୍ମ ପ୍ରବାହର ଆହ୍ୱାନର ମୁକାବିଲା ପାଇଁ ଆମେ ପ୍ରସ୍ତୁତ ଅଛୁ। ସ୍ୱାସ୍ଥ୍ୟକର୍ମୀ, ଜିଲ୍ଲା ଅଧିକାରୀ ଏବଂ ଜନସାଧାରଣଙ୍କ ମିଳିତ ଉଦ୍ୟମରେ ଆମେ ଠିକ୍ ସମୟରେ ଚିକିତ୍ସା ସହାୟତା ଯୋଗାଇଦେବା, ସଚେତନତା ସୃଷ୍ଟି କରିବା ଏବଂ ଅତ୍ୟଧିକ ଗରମର ପ୍ରଭାବକୁ ହ୍ରାସ କରିବା ପାଇଁ ସମସ୍ତ ଆବଶ୍ୟକ ଭିତ୍ତିଭୂମି ଏବଂ ସମ୍ବଳ ଉପଲବ୍ଧ କରାଇବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଡା. ମିଶ୍ର ଉଲ୍ଲେଖ କରିଛନ୍ତି।
ଏହି ବୈଠକରେ ଉତ୍ତାପ ଜନିତ ରୋଗର ନୋଡାଲ ଅଫିସର ଡା. ବସନ୍ତ ପ୍ରଧାନ, ରାଜ୍ୟ ସର୍ଭିଲାନ୍ସ ଅଫିସର ଡା. ଅଶୋକ ପାଇକରାୟ, ଅତିରିକ୍ତ ନିର୍ଦ୍ଦେଶିକା ଡା. ଶେଫାଳୀ ମଲ୍ଲିକ, ଅତିରିକ୍ତ ନିର୍ଦ୍ଦେଶିକା ଡା. ପ୍ରତିଭା ପ୍ରଧାନଙ୍କ ସମେତ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ।



