ଧାମରା: ଭିନ୍ନକ୍ଷମ ଝିଅ ପାଇଁ ସରକାରୀ ସୁବିଧା ସାତ ସପନ ପାଲଟିଛି। ୪୦ବର୍ଷ ବୟସର ଜନ୍ମରୁ ଭିନ୍ନକ୍ଷମ ଝିଅର ଆଶାବାଡି ସାଜିଛନ୍ତି ୮୦ବର୍ଷର ବୃଦ୍ଧ ପିତାମାତା। ଭାଗ୍ୟକୁ ଆଦରି ଭିନ୍ନକ୍ଷମ ଝିଅକୁ ଧରି ବାହୁନି ବାହୁନି କାନ୍ଦୁଛି ଜନ୍ମଦାତ୍ରୀ ମାଆ। ପରିଣତ ବୟସରେ ବୃଦ୍ଧ ବାପା ପରର ମୁଲ ଲାଗି ଯାହା ଆଣନ୍ତି ସେଥିରେ ଓଳିଏ ଖାଇଲେ ୨ ଓଳି ଉପବାସରେ କାଟୁଛନ୍ତି ଏହି ପରିବାର। ବୃଦ୍ଧ ଦମ୍ପତିଙ୍କ ଦୁଇଟି ପୁଅ ଥିଲେ ମଧ୍ୟ ସେମାନେ ଏ ବୟସରେ ବୃଦ୍ଧ ବାପମାଆ ଏବଂ ଭିନ୍ନକ୍ଷମ ଭଉଣୀକୁ ହାତଛାଡି ଚାଲି ଯାଇଛନ୍ତି। ଆଖିର ଲୁହକୁ ଓଠରେ ପିଇ ଭିନ୍ନକ୍ଷମ ଝିଅକୁ ଧରି ଦିନ କାଟୁଛନ୍ତି ଏହି ବୃଦ୍ଧ ଦମ୍ପତି। ଏମିତି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବାଂଶଡା ଥାନା ଅନ୍ତର୍ଗତ ଖଦାଳପୋଖରୀ ପଂଚାୟତ ଖଦାଳପୋଖରୀ ଗ୍ରାମରେ। ସନ୍ଥ ଦାସଙ୍କ ଝିଅ ରମା ଦାସ, ବୟସ ୪୦ପାର ହେଲାଣି। ଜନ୍ମରୁ ସେ ଭିନ୍ନକ୍ଷମ। ରାଜ୍ୟ ସରକାରଙ୍କ ସମସ୍ତ ସରକାରୀ ସୁବିଧାରୁ ବଞ୍ଚିତ ରମା। ୮୦ ବର୍ଷ ବୟସର ବୃଦ୍ଧ ପିତାମାତା ଭିନ୍ନକ୍ଷମ ଝିଅର ଆଶାବାଡି ସାଝିଛନ୍ତି। ଭିନ୍ନକ୍ଷମ ଝିଅକୁ ସମସ୍ତ ସରକାରୀ ସୁବିଧା ଯୋଗାଇ ଦେବା ପାଇଁ ଦୀର୍ଘ ବର୍ଷ ଧରି ସରକାରଙ୍କୁ ଆକୁଳ ନିବେଦନ କରିଥିଲେ ମଧ୍ୟ ପ୍ରଶାସନ ନିଦାବିଷ୍ଣୁ ସାଜିଛି। ଆଜି ପର୍ଯ୍ୟନ୍ତ କେହି ତାଙ୍କ ଗୁହାରି ଶୁଣୁ ନାହାନ୍ତି। ଭଙ୍ଗା ଦଦରା ଘରେ ଭାଗ୍ୟକୁ ଆଦରି ଭିନ୍ନକ୍ଷମ ଝିଅକୁ ଧରି ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି। ତୁରନ୍ତ ଏହି ଭିନ୍ନକ୍ଷମ ଝିଅକୁ ସମସ୍ତ ସରକାରୀ ସୁବିଧା ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
୪୦ ବର୍ଷୀୟ ଭିନ୍ନକ୍ଷମ ଝିଅର ଆଶାବାଡ଼ି ୮୦ବର୍ଷର ପିତାମାତା; ସରକାରୀ ସହାୟତା ପାଇଁ ଆକୁଳ ନିବେଦନ
Popular Categories



