ସଂଘବଦ୍ଧ ଆକ୍ରମଣରେ ଯୁବକ ମୃତ, ଥାନା ବାରଣ୍ଡାରେ ମୃତଦେହ ରଖି ଧାରଣା

ବାସୁଦେବପୁର : ବାସୁଦେବପୁର ସ୍ଥିତ ନାୟକାଣିଡ଼ିହି ଥାନା ଅଂଚଳରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ପୂର୍ବ ଶତ୍ରୁତାରୁ ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବକର ଜୀବନ ଯାଇଛି। ମୃତକ ଜଣଙ୍କ କରଞ୍ଜଆଡିଆ ଗାଁର ବଇରି ମଳିକଙ୍କ ପୁଅ ନବଘନ ମିଳିକ(୪୪ )ବୋଲି ସୂଚନା ମିଳିଛି। ପୂର୍ବ ଶତ୍ରୁତାରୁ ଆକ୍ରମଣ କରାଯାଇଥିବା କୁହାଯାଇଛି।ତେବେ ଅଭିଯୋଗ ପରେବି ପୁଲିସର ଶିଥିଳତାକୁ  ନେଇ ଉତ୍ତେଜନା ପ୍ରକାଶ ପାଇଛି। ପରିବାର ସହିତ ସଂପର୍କୀୟ ମୃତଦେହକୁ ଥାନା ବାରଣ୍ଡାରେ ରଖି ନ୍ୟାୟ ଦାବିରେ ଧାରଣାରେ ବସିଛନ୍ତି।

ଅଭିଯୋଗ ଅନୁଯାୟୀ, ନବଘନ ଘର ତିଆରି ପାଇଁ ରାସ୍ତାରେ ମାଟି ପକାଇଥିଲେ। ଏହି ଘଟଣାକୁ ନେଇ ପାଖପଡ଼ୋଶୀ ପରିବାର ସହିତ ପାଟିତୁଣ୍ଡ ହୋଇଥିଲା।  ପଡୋଶୀ ପରିବାର ସଦସ୍ୟ ନବକୁ ଧମକ ଦେଇଥିଲେ। ଗତ ୨ ତାରିଖ ସନ୍ଧ୍ୟାରେ ନବଘନ ନିଜର ସମ୍ପର୍କୀୟକୁ ନେଇ ଘଣ୍ଟେଶ୍ବର ବଜାରକୁ ମେଡିସିନ ପାଇଁ ଯାଇଥିଲେ। ରାତିପ୍ରାୟ ୮ ଟାରେ ବାଲିଆପାଳ ଘାଟ ପାରିହୋଇ ଘରକୁ ଫେରିଥିଲେ। ଘାଟ ରାସ୍ତାର ମନ୍ଦିର ନିକଟରେ ଦୀପକ ମିଳିକ(୩୫)ଙ୍କ ସମେତ ୯ ଜଣ ଯୁବକ ମାରଣାସ୍ତ୍ରରେ ନବକୁ ସଂଘବଦ୍ଧ ଆକ୍ରମଣ କରି ଫେରାର ହୋଇଥିଲେ। ସମସ୍ତ ମୁଦାଲାଙ୍କ ଘରଙ୍କ କରଞ୍ଜଆଡିଆ ଗାଁରେ। ସାଥିରେ ଥିବା ସମ୍ପର୍କୀୟ ଓ  ପରିବାର ଖବର ପାଇ ନବକୁ ଉଦ୍ଧାରକରି ବାସୁଦେବପୁର ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସାପରେ ନବର ଅଵସ୍ଥା ଗୁରୁତର ଥିବାରୁ କଟକ ନେଇଯାଇଥିଲେ। ଗତକାଲି ଅପରାହ୍ନରେ ନବର ମୃତ୍ୟୁ ଘଟିଥିଲା। ଏହି ଖବର ଗାଁରେ ଉତେଜନା ସୃଷ୍ଟି କରିଥିଲା। ମଙ୍ଗଳବାର ସନ୍ଧ୍ୟାରେ ନବର ମୃତଦେହ ପହଂଚିବା ପରେ ଉତେଜନା ଦିଗୁଣା ହୋଇଥିଲା। ପରିବାର ସହିତ ଉତ୍ୟକ୍ତ ଲୋକ ଥାନାର ମୁଖ୍ୟ ଫାଟକରେ ଶବରଖି ଧାରଣାରେ ବସିଥିଲେ। ଶେଷରେ ଠେଲାପେଲା ପରେ ଫାଟକରେ ଧସେଇ ପଶି ଥାନା ବାରଣ୍ଡାରେ ମୃତଦେହ ରଖି ଧାରଣା ଦେଇଥିଲେ। ପୁଲିସର ଅବହେଳାକୁ ଦାୟୀ କରିଥିଲେ। ଦୋଷୀ ମାନଙ୍କୁ ଗିରଫ ନକରିବାଯାଏଁ ଥାନା ବାରଣ୍ଡାରୁ ମୃତଦେହ ଉଠିବନି ବୋଲି ଦାବି କରି ଧାରଣା ଦେଇଛନ୍ତି ଲୋକେ ।

Comments are closed.