ଭୁବନେଶ୍ୱର :ମାଘ ଶୁକ୍ଳ ପଞ୍ଚମୀ ତିଥିରେ ମା’ ସରସ୍ବତୀଙ୍କ ଆବାହନ ତଥା ପୂଜା ବନ୍ଦନା କରାଯାଇଥାଏ। ବସନ୍ତର ଅୟମାରମ୍ଭରେ ଧରଣୀ ମା’ ସକଳ ସୌନ୍ଦର୍ଯ୍ୟକୁ ଅଙ୍ଗୀଭୂତ କରି ସକଳ ପରିପୂର୍ଣ୍ଣତାରେ ଅଭିସିକ୍ତ ହୋଇ ମଙ୍ଗଳମୟୀ ଆଦ୍ୟାଶକ୍ତିର ପଦପ୍ରାନ୍ତରେ ପୂଜାର୍ଚ୍ଚନା ବାଢ଼େ ଏହି ପୁଣ୍ୟ ଦିବସରେ। ଓଡ଼ିଶାରେ ଘରେଘରେ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟ, ସଂଘ, କ୍ଲବ୍ରେ ମୂର୍ତ୍ତି ପୂଜା ହୁଏ, ପୁଷ୍ପମାଲ୍ୟରେ ସୁଶୋଭିତ ସରସ୍ବତୀ ମୂର୍ତ୍ତି ଘଣ୍ଟ, ଘଣ୍ଟା, ଶଙ୍ଖ ଆଦି ବାଦ୍ୟବାଦନ ମଧ୍ୟରେ ପୂଜିତ ହୁଅନ୍ତି। ଭୋଗ ଆକାରରେ ଖଇ, ଉଖୁଡ଼ା, ନଡ଼ିଆ ଫଳ ଆଦି ବଢ଼ାଯାଇଥାଏ। ଆଜି ସମଗ୍ର ରାଜ୍ୟରେ ବିଦ୍ୟାଦାତ୍ରୀ ସରସ୍ବତୀଙ୍କ ପାରମ୍ପରିକ ରୀତିନୀତିରେ ପାଳିତ ହେଉଛି।
ବସନ୍ତ ପଞ୍ଚମୀର ପୌରାଣିକ କଥା ଅନୁଯାୟୀ, ସୃଷ୍ଟିକର୍ତ୍ତା ବ୍ରହ୍ମା ପୃଥିବୀରେ ଜୀବଜନ୍ତୁ ଓ ମନୁଷ୍ୟର ସୃଷ୍ଟି କରିଥିଲେ ମଧ୍ୟ ଏହାକୁ ନେଇ ସନ୍ତୁଷ୍ଟ ନଥିଲେ। ସେହି ସମୟରେ ଭଗବାନ ବିଷ୍ଣୁଙ୍କ ଅନୁମତି କ୍ରମେ ବ୍ରହ୍ମା ନିଜ କମଣ୍ଡଳରୁ ଜଳ ନେଇ ପୃଥିବୀ ପୃଷ୍ଠରେ ଛିଞ୍ଚି ଥିଲେ। ସେଥିରୁ ବୀଣାଧାରୀ ମା’ ସରସ୍ବତୀ ପ୍ରକଟ ହୋଇଥିଲେ।
ମା’ଙ୍କର ଗୋଟିଏ ହାତରେ ବୀଣା ରହିଥିବା ବେଳେ ଅନ୍ୟ ହାତଟି ମୁଦ୍ରା ଢଙ୍ଗରେ ରହିଥିଲା। ସେହିପରି ଅନ୍ୟ ଦୁଇ ହାତରେ ପୁସ୍ତକ ଓ ମାଳା ଥିଲା। ମା’ ସରସ୍ବତୀ ବୀଣା ବାଦନରେ ସମଗ୍ର ବିଶ୍ବର ଜୀବଙ୍କ ବାଣୀ ପ୍ରାପ୍ତ ହୋଇଥିଲା।
ମା’ ସରସ୍ବତୀ ଜୀବଙ୍କୁ ବାଣୀ ଦେବା ସହ ବୁଦ୍ଧି ଓ ବିଦ୍ୟା ମଧ୍ୟ ଦେଇଥିଲେ । ତେଣୁ ମା’ ସରସ୍ବତୀଙ୍କୁ ବୁଦ୍ଧି ଓ ବିଦ୍ୟାର ଦେବୀ କୁହାଯାଏ। ମାଘ ଶୁକ୍ଳପକ୍ଷ ପଞ୍ଚମୀ ତିଥିକୁ ମା’ ସରସ୍ବତୀଙ୍କ ଜନ୍ମ ଦିବସ କୁହାଯାଏ। ତେଣୁ ଏହି ଦିନ ତାଙ୍କର ପୂଜା ଆରାଧନା କରାଯାଏ।
ସରସ୍ବତୀଙ୍କୁ ବଗୀଶ୍ବରୀ, ଭଗବତୀ, ଶାରଦା, ବୀଣାବାଦନୀ ଏବଂ ବାଗ୍ଦେବୀ ବ୍ୟତୀତ ଅନ୍ୟ ନାମରେ ମଧ୍ୟ ପୂଜା କରାଯାଏ। ସଙ୍ଗୀତର ଉତ୍ପତ୍ତି କରିବା କାରଣରୁ ତାଙ୍କୁ ସଙ୍ଗୀତର ଦେବୀ କୁହାଯାଏ।



