ବାଲିପାଟଣା: ବାଲିପାଟଣା ମାଟିର ମହାନ୍ ବିପ୍ଲବୀ କବି ଅନନ୍ତ ପଟ୍ଟନାୟକଙ୍କ ପ୍ରତିଭାକୁ କେହି ଭାଷାରେ ବର୍ଣ୍ଣନା କରିବା ଅସମ୍ଭବ। ଓଡ଼ିଶା ଇତିହାସରେ ତାଙ୍କର ପ୍ରତିଭା ସ୍ୱର୍ଣ୍ଣାକ୍ଷରରେ ରହିଛି ଓ ରହିବ। ତାଙ୍କୁ ନେଇ କେବଳ ବାଲିପାଟଣା ନୁହେଁ, ସାରା ଓଡ଼ିଶା ଗର୍ବିତ। ଅନନ୍ତ ପଟ୍ଟନାୟକ ଥିଲେ ଏକାଧାରାରେ ଜଣେ କବି, ସଂଗଠକ, ଗାଳ୍ପିକ, ଶିଶୁ ସାହିତ୍ୟିକ, ନାଟ୍ୟକାର ତଥା ପ୍ରଗତିଶୀଳ ମାନବୀୟତାରେ ବିଭେଦହୀନ ସଂସ୍କୃତି। ଓଡ଼ିଆ ଭାଷା, ସାହିତ୍ୟ କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ ଓ ଅବିସ୍ମରଣୀୟ ବୋଲି ବାଲିପାଟଣା ଛକ ଦୁର୍ଗାମାଧବ କଲ୍ୟାଣ ମପଣ୍ଡପଠାରେ ଏ ମାଟିର ବରପୁତ୍ର ତଥା କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ ସ୍ୱର୍ଗତ କବି ଅନନ୍ତ ଚରଣ ପଟ୍ଟନାୟକଙ୍କ ସ୍ମୃତିସଭାରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବରିଷ୍ଠ ସାମ୍ବାଦିକ ତଥା ବାଗ୍ମୀ ପ୍ରଦ୍ୟୁମ୍ନ ଶତପଥୀ ତାଙ୍କର ଅଭିଭାଷଣରେ କହିଥିଲେ।
ଓଡ଼ିଶା ସାହିତ୍ୟ ଏକାଡ଼େମୀ ତରଫରୁ ଆୟୋଜିତ ଏହି ସ୍ମୃତିସଭାରେ ସଭାପତିତ୍ୱ କରିଥିଲେ କବି ଡ. ଫନି ମହାନ୍ତି। ସଭାରେ ମୁଖ୍ୟ ବକ୍ତା ଭାବରେ ବରିଷ୍ଠ ଓଡ଼ିଆ ପ୍ରଧ୍ୟାପକ ଡ. ଭବାନୀ ଶଙ୍କର ଦାଶ ଯୋଗଦେଇ କବିଙ୍କ ସମ୍ପର୍କରେ ବହୁ ମୂଲ୍ୟବାନ ତଥ୍ୟ ରଖିଥିଲେ। ପ୍ରାଚୀଧାରାର ସମ୍ପାଦକ ଭଗବାନ ସାହୁ, ସାହିତ୍ୟ ଏକାଡ଼େମୀ ପକ୍ଷରୁ ଚିନ୍ମୟ ସାହୁ, ଇଞ୍ଜିନିୟର କାମିନୀକାନ୍ତ ଦାଶ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ। ପ୍ରାରମ୍ଭରେ କବି ଅଭିମନ୍ୟୁ ନାୟକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଉପସ୍ଥିତ ଥିଲେ । ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ଜଣେ ପ୍ରତିଷ୍ଠିତ ପ୍ରଶାସକ ତଥା ଇଞ୍ଜିନିୟର ସରୋଜ କୁମାର ମହାପାତ୍ରଙ୍କୁ ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।



