ଫୁଲବାଣୀ: ବର୍ଷକର ଧାନ ଫସଲ ଜଳିପୋଡ଼ି ପାଉଁଶ ହୋଇଯାଇଛି। ଚାଷୀ ମୁଣ୍ଡରେ ବର୍ଷକର ଖାଦ୍ୟ ଚିନ୍ତା ଭାରୀ ପଡ଼ିଛି। ଏପରି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ଝିଞ୍ଜିରିଗୁଡ଼ା ପଞ୍ଚାୟତର କିରାମା ଗ୍ରାମରେ। ସୂଚନା ଅନୁଯାୟୀ, ଅଦିନିଆ ବର୍ଷାରେ ଧାନ ସୁବୁ ପାଣିରେ ଭିଜି ଯାଇଥିବାବେଳେ ତାକୁ ସଂଗ୍ରହ କରି ଖଳାରେ ଶୁଖାଇ ମଳିବାକୁ ଚିନ୍ତା କରୁଥିବାବେଳେ ରବିବାର ଅଚାନକ ସେଥିରେ ନିଆଁ ଲାଗି ଯାଇଥିବା ଦେଖିବାକୁ ମିଳିଛି। ଗ୍ରାମବାସୀମାନେ ଚର୍ଚ୍ଚ ଯିବା ସମୟରେ ହଠାତ୍ ଖଳାରେ ଧାନ ହୁତୁ ହୁତୁ ହୋଇ ଜଳୁଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ପାଖରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ। ପାଖରେ ପାଣିର ଅଭାବ ଯୋଗୁ ତାହା ସମ୍ଭବ ହୋଇ ପାରି ନଥିଲା। ଅନ୍ୟ ପକ୍ଷରେ ଅଗ୍ନିଶମ ବାହିନୀ ୪୦କିମି ଦୂରରେ ଥିବାରୁ କେହି ସୂଚନା ମଧ୍ୟ ଦେଇ ନଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ଅଳ୍ପ କିଛି ଧାନକୁ ଉଦ୍ଧାର କରାଯାଇଥିବାବେଳେ ଅଧିକ ଧାନ ଫସଲ ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଚାଷୀ ମୁଣ୍ଡରେ ଚିନ୍ତାର ବୋଝ, ବର୍ଷକର ଖାଦ୍ୟ ଯୋଗାଡ଼ କରିବ କୁଆଡୁ? ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ଗ୍ରାମର ଜୟ ପ୍ରକାଶ ବସ୍ତୀରାୟ ଓ ଶ୍ୟାମ ମାଝୀଙ୍କ ପରିବାର। ପାଳଗଦା ପୋଡ଼ିଯିବାରୁ ଗୋରୁ ଗାଈଙ୍କର ବର୍ଷକର ଖାଦ୍ୟ ମଧ୍ୟ ହରେଇ ବସିଛନ୍ତି ଚାଷୀ। ଏହି ଦୁର୍ଦ୍ଦଶା ସମୟରେ ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାର ସହାୟତା ପ୍ରଦାନ କରି ଚାଷୀ ଚିନ୍ତା ଦୂର କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
Popular Categories



