ସମାଜ ଡିଜିଟାଲ ଡେସ୍କ: ମହାରାଷ୍ଟ୍ରରୁ ଅଣାଯାଇ ଗୁରୁବାର ସନ୍ଧ୍ୟାରେ ସିମିଳିପାଳ ଅଭୟାରଣ୍ୟରେ ପହଞ୍ଚିଥିବା ବାଘୁଣୀ ଜିନ୍ନତ ଖୁଆଡ଼ ଭିତରେ ପ୍ରଥମ ଶିକାର କରିଛି। ଶୁକ୍ରବାର ରାତି ପ୍ରାୟ ୧୦ଟାରେ ଜିନ୍ନତ ରହୁଥିବା ସ୍ଵତନ୍ତ୍ର ଖୁଆଡ଼ ଭିତରକୁ ଏକ ବାରହା ଛଡ଼ାଯାଇଥିଲା। ଯାହାକୁ ଗୋଡ଼ାଇ ଗୋଡ଼ାଇ ଶିକାର କରିଥିଲା ଜିନ୍ନତ। ସିମିଳିପାଳରେ ପହଞ୍ଚିବା ପରେ ଜିନ୍ନତର ଏହା ପ୍ରଥମ ଶିକାର ଥିଲା।
ମହାରାଷ୍ଟ୍ରରୁ ଆସି ପହଞ୍ଚିବା ପରେ ତା’ର ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସ୍ଵାସ୍ଥ୍ୟ ଠିକ୍ ଥିବା ନେଇ ରିପୋର୍ଟ ମିଳିବା ପରେ ତା’କୁ ସ୍ଵତନ୍ତ୍ର ଖୁଆଡ଼ ଭିତରକୁ ଛଡ଼ାଯାଇଥିଲା। ମହାରାଷ୍ଟ୍ରର ତଡୋବା ଅଭୟାରଣ୍ୟରେ ଏହି ବାଘୁଣୀର ନାମ ଜିନ୍ନତ ରଖାଯାଇଥିଲା। ଏଠାକୁ ଆସିବା ପରେ ତା’ର ନାମ ଗଙ୍ଗା ରଖାଯିବ ବୋଲି କୁହାଯାଇଥିଲା। କିନ୍ତୁ ଏଠାରେ ବି ତା’ର ପୂର୍ବ ନାମରେ ପରିଚିତ ହେବ ବୋଲି ପିସିସିଏଫ ଡ. ସୁଶାନ୍ତ ନନ୍ଦ ସୂଚନା ଦେଇଥିଲେ। ଜିନ୍ନତର ବୟସ ଏବେ ୩ ବର୍ଷ।



