ସମାଜ ଡିଜିଟାଲ ଡେସ୍କ: ଗତ ଅକ୍ଟୋବର ୧ ତାରିଖରେ ଇରାନ ପକ୍ଷରୁ ଇସ୍ରାଏଲ ଉପରେ ୨୦୦ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା। ଏହାର ଜବାବରେ ନୀରବ ରହିଥିଲା ଇସ୍ରାଏଲ। ହେଲେ ଇରାନଙ୍କୁ ଧ୍ବଂସ କରିଦେବ ବୋଲି ଇସ୍ରାଏଲ ଚେତାବନୀ ଦେଇଥିଲା। ବର୍ତ୍ତମାନ ସୁଦ୍ଧା ଇସ୍ରାଏଲ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ହେଲେ ଇସ୍ରାଏଲର ଚେତାବନୀ ଇରାନର ନିଦ ହଜାଇ ଦେଇଛି। ଇସ୍ରାଏଲ ପୁନର୍ବାର ଇରାନ ବିରୋଧରେ ଏକ ବଡ଼ ଧରଣର ଆକ୍ରମଣ ହେବ ବୋଲି କହିଛି।
ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ୟୋଆବ ଗ୍ୟାଲାଣ୍ଟ କହିଛନ୍ତି, ଅକ୍ଟୋବର ୧ରେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣ ପାଇଁ ଇରାନ ବିରୋଧରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ(ଆଇଡିଏଫ) ପକ୍ଷରୁ କରାଯିବାକୁ ଥିବା ଆକ୍ରମଣ ବଡ଼ ଧରଣର ହେବ। ଇରାନର ଆକ୍ରମଣ ଭୁଲ ଥିଲା। ଏହା ପରୋଧରେ ଆମର ଆକ୍ରମଣ ଘାତକ, ସଠିକ୍ ଏବଂ ଆଶ୍ଚର୍ଯ୍ୟଜନକ ହେବ। ଇରାନକୁ ଜଣାପଡ଼ିବ ନାହିଁ ଯେ କ’ଣ ହେଲା କିପରି ହେଲା, ସେମାନେ କେବଳ ପରିଣତି ଦେଖିବେ।



