www.samajalive.in
Tuesday, December 9, 2025
16.1 C
Bhubaneswar

ଘୋଷଣାରେ ଅଟକିଛି ପର୍ଯ୍ୟଟନ ସ୍ଥଳୀ ବିକାଶ

ପାତ୍ରପୁର: ଆଜି ବିଶ୍ଵ ପର୍ଯ୍ୟଟନ ଦିବସ। ରାଜ୍ୟରେ ପର୍ଯ୍ୟଟନର ବିକାଶ ପାଇଁ ସରକାର ଅନେକ ପଦକ୍ଷେପ ନେଉଥିବାବେଳେ ବିଡ଼ମ୍ବନାର ବିଷୟ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକରେ ବହୁ ପର୍ଯ୍ୟଟନ ସ୍ଥଳ ସରକାରଙ୍କ ଦୃଷ୍ଟି ଆଡୁଆଳରେ ରହିଛି। ସରକାର ଗଞ୍ଜାମ ଜିଲ୍ଲାର ବାଳ କୁମାରୀ ପୀଠ ସହିତ ଦିଗପହଣ୍ଡି, ରଙ୍ଗେଇଲୁଣ୍ଡା, ପାତ୍ରପୁର ଏବଂ ଚିକିଟି ବ୍ଲକର ୧୭ଗୋଟି ପର୍ଯ୍ୟଟନ ସ୍ଥଳକୁ ୧୧ ବର୍ଷ ପୂର୍ବେ ପର୍ଯ୍ୟଟନର ମାନ୍ୟତା ଦେଇଥିଲେ। ଏହି ତିନି ବ୍ଲକର ସମସ୍ତ ମନ୍ଦିର ଦର୍ଶନୀୟ ସ୍ଥାନକୁ ନେଇ ଟୁରିଜିୟମ ସେଣ୍ଟର ପ୍ରତିଷ୍ଠା ସହ ଅଞ୍ଚଳର ବିକାଶ ହେବା ଲକ୍ଷ୍ୟ ରହିଥିଲା। ସେଥି ମଧ୍ୟରୁ ପାତ୍ରପୁର ବ୍ଲକର ତୁମ୍ୱା ପଞ୍ଚାୟତର ପୁରାଣ ପ୍ରସିଦ୍ଧ ପର୍ଶୁରାମ କୁଣ୍ଡ, ଜରଡାର ସାରଥି ଧାମ ଏବଂ ଭୈରୀ ଚାଞ୍ଚଡାର ଶୈବ ପୀଠ ରହିଥିଲା। ତେବେ ଇତି ମଧ୍ୟରେ ଭୈରୀ ଚାଞ୍ଚଡ଼ା ପୀଠ ଉନ୍ନତି ପାଇଁ ପଦକ୍ଷେପ ନିଆଯାଇ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଅନ୍ୟ ଦୁଇଟି ପୀଠ ପ୍ରତି ସରକାରଙ୍କ ଦୃଷ୍ଟି ପଡ଼ିନାହିଁ। ତିତଲି ବାତ୍ୟାରେ ମହେନ୍ଦ୍ର ତନୟା ନଦୀରେ ବନ୍ୟା ଆସିବା ଫଳରେ ପର୍ଶୁରାମ କୁଣ୍ଡ ସ୍ଥାନଟି ସମ୍ପୂର୍ଣ୍ଣ ନଷ୍ଟ ହେଉଛି। ପର୍ଶୁରାମ କିଛିଦିନ ତପସ୍ୟା କରିବା ପାଇଁ ମହେନ୍ଦ୍ର ପାହାଡରେ ଅବସ୍ଥାନ କରିଥିବାବେଳେ ପର୍ଶୁରାମ କୁଣ୍ଡକୁ ତିଳ ତର୍ପଣ ପାଇଁ ଆସୁଥିବା ପ୍ରବାଦ ରହିଛି। ଏହି ସ୍ଥାନରେ ମାତା ସୀତାଙ୍କ କୁଣ୍ଡ ସହିତ ବହୁକୁଣ୍ଡ ରହିଥିଲା, ଯାହାକି ଗ୍ରୀଷ୍ମ ଋତୁରେ ନଦୀରେ ପାଣି ସୁଖିଯିବା ପରେ ମଧ୍ୟ କୁଣ୍ଡରେ ପାଣି ରହୁଥିଲା। ମାଘ ସପ୍ତମୀ ତିଥିରେ ଭକ୍ତମାନେ ଏହି କୁଣ୍ଡରେ ବୁଡ଼ ପକାଇବା, ମହେନ୍ଦ୍ର ପାହାଡ଼ରେ ଅବସ୍ଥିତ ପଞ୍ଚୁ ପାଣ୍ଡବଙ୍କ ମନ୍ଦିରକୁ ଯାଇ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରୁଥିଲେ। ପରବର୍ତ୍ତୀ ସମୟରେ ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ଏହି କ୍ଷେତ୍ରର କିଛି ଉନ୍ନତି ପାଇଁ ପଦକ୍ଷେପ ନିଆଯାଇ କାର୍ଯ୍ୟ ଆରମ୍ଭ କରିଥିଲେ।

ସେହିପରି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ କାଞ୍ଚି ଅଭିଯାନବେଳେ ମହେନ୍ଦ୍ର ପର୍ବତରେ ଅବସ୍ଥାନବେଳେ ଅପୂଜ୍ୟ ହୋଇ ରହୁଥିବା ସାରଥୀଙ୍କ ସ୍ବପ୍ନାଦେଶ ହୋଇଥିଲା। ଗଜପତି ମହାରାଜା ସାରଥୀଙ୍କୁ ଉଦ୍ଧାର କରି ଜରଡାର ତତ୍କାଳୀନ ଜମିଦାରଙ୍କୁ ହସ୍ତାନ୍ତର କରିବା ପରେ ଜରଡାରେ ପ୍ରଭୁଙ୍କ ମନ୍ଦିର ନିର୍ମାଣ ହୋଇଛି। ପ୍ରତି ବର୍ଷ ସାରଥିଙ୍କ ଯାତ୍ରାବେଳେ ଭକ୍ତଙ୍କ ଭିଡ଼ ହୁଏ। ଏହି ରଥ ଟଣା ହେଲେ କୁଆଡେ ପୁରୀ ରଥ ଟଣା ଯାଉଥିବା ଲୋକ ମୁଖରୁ ଶୁଣିବାକୁ ମିଳେ। ବର୍ଷ ତମାମ ଏହି ଦୁଇ ପୁରାଣ ବର୍ଣ୍ଣିତ କ୍ଷେତ୍ରକୁ ପର୍ଯ୍ୟଟକଙ୍କ ଭିଡ ପରିଲକ୍ଷିତ ହୁଏ। ପ୍ରାକୃତିକ ପରିବେଶ ମଧ୍ୟରେ ପାତ୍ରପୁର ବ୍ଲକଟି ଜଙ୍ଗଲ ଘେରା ମଧ୍ୟରେ ରହିଛି। ଏ ମଧ୍ୟରେ ଏହି ତିନି ସ୍ଥାନ ସମେତ ଅଞ୍ଚଳର ବିଭିନ୍ନ ସ୍ଥାନକୁ ପକ୍କା ରାସ୍ତା ନିର୍ମାଣ ହୋଇଛି। ଏହି ବ୍ଲକର ସାରଥି ଧାମ ପରେ ପର୍ଶୁରାମ କୁଣ୍ଡ ପଡ଼ୁଥିବା ଆଗକୁ ଗଲେ ବାରହା ପଥର ନିକଟ ନଦୀର ମନୋରମ ପାର୍ବତ୍ୟ ଶଯ୍ୟା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି। ସେହିପରି ତାଳ ବାଡ ନିକଟରେ ଥିବା ମନଲୋଭା ହୋମ ଗଣ୍ଡରେ ଆନ୍ଧ୍ର ପ୍ରଦେଶ ପର୍ଯ୍ୟଟକମାନଙ୍କ ଭିଡ ପ୍ରତିବର୍ଷ ଜମି ଥାଏ। ଅଞ୍ଚଳର ଅନ୍ୟତମ ଦେବୀ ପୀଠ ନୂଆଁଗଡ଼ କୁରେଇଶୁଣି ରାଜା ରାଜୁଡ଼ା ଅମଳରୁ ରହିଥିବାବେଳେ ନିକଟରେ ବାଘଲଟି ଜଳଭଣ୍ଡାର ନିର୍ମାଣ ହେବା ସହ ଗଜପତି ଜିଲ୍ଲାକୁ ରାସ୍ତା ଖୋଲିବା ପରେ ବର୍ଷ ତମାମ ପର୍ଯ୍ୟଟକ ଭିଡ ପରିଲକ୍ଷିତ ହେଉଛି। ବାଘଲଟି ଡ୍ୟାମଠାରୁ ଅନତି ଦୂର ଆଙ୍କୁଲି ପଞ୍ଚାୟତର ଦୂତିକା ସାହି ଜଙ୍ଗଲର ରଙ୍ଗୁଡ ନିକଟରେ ଥିବା ଅସୁର ଝୋଲା ଜଳପ୍ରପାତ ରହିଛି। ଏହି ପ୍ରପାତରୁ ପ୍ରାୟ ୬୦ମିଟର ଉଚ୍ଚରୁ ପାଣି ଖସିବା ଦୃଶ୍ୟ ବହୁତ ସୁନ୍ଦର ଦେଖା ଯାଉଛି। ଏପରିକି ପ୍ରପାତଠାରୁ ବହିଥିବା ଝରଣାରେ ଗୁମ୍ଫା ସହ ପାର୍ବତ୍ୟ ପଥ ଆକୃଷ୍ଟ କରୁଥିବାବେଳେ ପ୍ରଶାସନ ଦୃଷ୍ଟିକୁ ଆସୁନାହିଁ। ବ୍ରିଟିଶ ଶାସନ ସମୟରେ ସୂରଙ୍ଗୀ ରାଜା(ଜମିଦାର) ଏହି ଅଞ୍ଚଳର ସ୍ବାଦିଷ୍ଟ କମଳା ଇଂରାଜୀ ଇଂଜିନିୟରମାନଙ୍କୁ ପ୍ରଦାନ କରୁଥିଲେ। ଶୀତ ଦିନମାନଙ୍କରେ ରାଜା ଏହି ପ୍ରପାତ ତଳ ଅଂଶରେ ଥିବା ଢେଇପଡ଼ା ନିକଟରେ ଶିକାର ପାଇଁ ତମ୍ବୁ ପକାଇବା ସହ ବ୍ରିଟିଶ ଅଧିକାରୀମାନେ ମଧ୍ୟ ଯୋଗଦେଇ ଏହି ସ୍ଥାନର ମଜା ନେଉଥିଲେ। ପ୍ରାକୃତିକ ପରିବେଶ ମଧ୍ୟରେ ଥିବା ପ୍ରପାତ ସ୍ଥଳ ସହିତ ପାଣି ପ୍ରବାହିତ ପ୍ରାୟ ୧ କିଲୋମିଟର ପଥ ଆକୃଷ୍ଟର କେନ୍ଦ୍ର ବିନ୍ଦୁ ପାଲଟିଛି। ନିକଟରେ ବହୁ ପଥର ଗୁମ୍ଫା ରହିଥିବା ବେଳେ କେତେକ ଗୁମ୍ଫା ଦେଇ ପାଣି ପ୍ରବାହିତ ଦୃଶ୍ୟ ଅତ୍ୟନ୍ତ ଆଦୃତ କରୁଛି। ପାହାଡରୁ ପାଣି ଖସି ଏକ ବଡ଼ ପଥର ଉପରେ କ୍ଷୀପ୍ର ଗତିରେ ପଡ଼ିବା ପରେ ନିକଟରେ ଏକ ବଡ଼ କୁଣ୍ଡରେ ପାଣି ପୂର୍ଣ୍ଣ ହୋଇ ତଳକୁ ଯାଉଛି। ପାତ୍ରପୁର ଅଞ୍ଚଳର ପର୍ଶୁରାମ କୁଣ୍ଡ ସାରଥି ଧାମ ସହିତ ବହୁ ଦେବାଦେବୀ ମନ୍ଦିର ଜଳଭଣ୍ଡାର ଜଳ ପ୍ରପାତ ଶୋଭା ବଢ଼ାଉଥିବାବେଳେ ଓଡ଼ିଶା ସରକାରଙ୍କ ନଜର ପଡ଼ିଲେ ପାତ୍ରପୁର ପର୍ଯ୍ୟଟନ ହବ୍ ପାଲଟିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories