www.samajalive.in
Monday, December 8, 2025
27.1 C
Bhubaneswar

ବେଆଇନ ମୋରମ ଖାଦାନରେ ଚଢାଉ, ହାଇଓ୍ବା ଓ ଜେସିବି ଜବତ

ଆଠଗଡ: ଆଠଗଡ ତହସିଲ ଅନ୍ତର୍ଗତ ଧାଇପୁର ପଞ୍ଚାୟତ ଅଧୀନ ବୌଦା ଗ୍ରାମ ନିକଟରେ ମଙ୍ଗଳବାର ରାତିରେ ଏକ ବେଆଇନ ମୋରମ ଖାଦାନ ଉପରେ ବନ ବିଭାଗ, ରାଜସ୍ୱ ଓ ଖଣି ବିଭାଗ ପକ୍ଷରୁ ମିଳିତ ଚଢାଉ କରାଯାଇଛି । ବୌଦା ଗ୍ରାମ ନିକଟରେ ଥିବା ଏକ ବଡ ମୁଣ୍ଡିଆରୁ ଦୀର୍ଘ ଦିନ ହେବ ଖଣି ମାଫିଆ ଜେସିବି ସାହାଯ୍ୟରେ ମୋରମ ଖୋଳି ଶହ ଶହ ଟ୍ରିପ ଚୋରା ଚାଲାଣ କରି ଚାଲିଥିବାବେଳେ ରାଜସ୍ବ ପ୍ରଶାସନ ନୀରବଦ୍ରଷ୍ଟା ସାଜିଥିଲା । ମଙ୍ଗଳବାର ରାତି ୯ଟାରେ ଉକ୍ତ ସ୍ଥାନରେ ଏକାଧିକ ଜେସିବି ସାହାଯ୍ୟରେ ମୋରମ ଖୋଳା ହେଉଥିଲା। ପ୍ରାୟ ୮-୧୦ଟି ଟ୍ରକ ଥିବା ଦେଖି କିଛି ଲୋକ ଡିଏଫଓଙ୍କୁ ଜଣାଇଥିଲେ । ଡିଏଫଓ ଡାକ୍ତର ଯଜ୍ଞଦତ୍ତ ପତିଙ୍କ ନେତୃତ୍ୱରେ ରେଞ୍ଜର ରବିନ୍ଦ୍ର କୁମାର ନାୟକ, ବନପାଳ ସୁଶୀଲ କୁମାର ଜେନା, ସବିତା ରାଉତ ଓ ବନରକ୍ଷୀ ପ୍ରଶାନ୍ତ କୁମାର ବେହେରାଙ୍କ ସହ ଅନ୍ୟ କେତେକ ବନ କର୍ମଚାରୀ ତତକ୍ଷଣାତ ଉକ୍ତ ମୋରମ ଖୋଳା ସ୍ଥାନରେ ପହଞ୍ଚିଥିଲେ । ତେବେ ଉକ୍ତ ମୁଣ୍ଡିଆଟି ଜଙ୍ଗଲ ଜମି ନୁହଁ ବରଂ ରାଜସ୍ବ ଜମି ଜାଣିବା ପରେ ଡିଏଫଓ ଆଠଗଡ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇଙ୍କୁ ତୁରନ୍ତ ଫୋନରେ ଜଣାଇଥିଲେ । ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ତହସିଲଦାର କ୍ଷେତ୍ରମୋହନ ସ୍ୱାଇଁ, ଅତିରିକ୍ତ ତହସିଲଦାର ଅଶୋକ କୁମାର ସ୍ବାଇଁ ଓ ସମରେନ୍ଦ୍ର ଭଟ୍ଟଙ୍କ ସହ ଘଟଣାସ୍ଥଳକୁ ଯିବା ସହିତ କଟକ ଖଣି ବିଭାଗ ଅଧିକାରୀଙ୍କୁ ସୂଚନା ଦେଇଥିଲେ । ଏବେ ଲଘୁ ଖଣିଜ ସମ୍ପଦର ଚୋରା କାରବାରକୁ ନିୟନ୍ତ୍ରଣ ଦାୟିତ୍ବ ଖଣି ବିଭାଗକୁ ଦିଆଯାଇଥିବାରୁ ସୂଚନା ପାଇ କଟକରୁ ମଣ୍ଡଳ ଖଣି ଅଧିକାରୀ ସମ୍ବିତ ସାହୁ ମଧ୍ୟ ତୁରନ୍ତ ସଦଳବଳ ଆସି ରାତି ୧୧ଟା ସୁଦ୍ଧା ଆଠଗଡର ଉକ୍ତ ବେଆଇନ ମୋରମ ଖାଦାନ ନିକଟରେ ପହଞ୍ଚିଥିଲେ । ଉକ୍ତ ମୋରମ ଖାଦାନରେ ୨ଟି ଜେସିବି ମେସିନ ସହିତ ୯ଟି ହାଇୱା ଟ୍ରକ ରହିଥିଲା । ହେଲେ ସଂପୃକ୍ତ ଗାଡିଗୁଡିକୁ ଛାଡି ଚାଳକମାନେ ଫେରାର ହୋଇଯାଇଥିବାରୁ ଏବଂ ପ୍ରବଳ ବର୍ଷା ଲାଗି ରହିଥିବାରୁ ସେଗୁଡିକୁ ଜବତ କରି ଅଣାଯାଇ ପାରି ନ ଥିଲା । ସବୁ ଗାଡିର ଫଟୋ ଉଠାଇ ତାର ନମ୍ବର ଆଧାରରେ ପରିବହନ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ଗାଡି ମାଲିକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଖଣି ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି ବୋଲି ଖଣି ଅଧିକାରୀ ସାହୁ ପ୍ରକାଶ କରିଛନ୍ତି । ବୌଦା ଗ୍ରାମ ନିକଟ ଅଙ୍ଗାରୁଆ ମୁଣ୍ଡିଆ ନାମକ ଉକ୍ତ ବିଶାଳ ପାହାଡର ଅଧାରୁ ଅଧିକ ଖୋଳି ଖଣି ମାଫିଆ ମୋରମ ବିକ୍ରି କରିଦେଲେଣି ବୋଲି ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଯେବେଠାରୁ ଲଘୁ ଖଣିଜ ସମ୍ପଦ ଚୋରା କାରବାର ନିୟନ୍ତ୍ରଣ ଦାୟିତ୍ବ ତହସିଲ ଓ ରାଜସ୍ବ ପ୍ରଶାସନ ହାତରୁ ଯାଇ ଖଣି ବିଭାଗ ଉପରେ ନ୍ୟସ୍ତ କରାଗଲାଣି ସେବେଠାରୁ ମାଫିଆଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ସୃଷ୍ଟି ହୋଇଛି । ଏଠାରେ ଏବେ ଲଘୁ ଖଣିଜ ସମ୍ପଦ ଚୋରାଚାଲାଣ ବେଧଡ଼କ ଚାଲିଥିବା ଦେଖିବାକୁ ମିଳୁଛି । ରାଜ୍ୟର ନୂଆ ସରକାର ଏଥିପ୍ରତି ଦୃଷ୍ଟି ଦେଇ ପୂର୍ବ ବିଜେଡି ସରକାରଙ୍କ ନିଷ୍ପତ୍ତିର ପୁନର୍ବିଚାର କରିବା ସହିତ ଉକ୍ତ ନିଷ୍ପତ୍ତିକୁ ପରିବର୍ତ୍ତନ କରି ପୁନର୍ବାର ରାଜସ୍ବ ପ୍ରଶାସନକୁ ଏହି ଦାୟିତ୍ବ ଦେବା ଲାଗି ପରିବେଶବିତ ମତପୋଷଣ କରିଛନ୍ତି ।

Hot this week

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

Related Articles

Popular Categories