www.samajalive.in
Monday, December 8, 2025
27.1 C
Bhubaneswar

ନାକଟିଦେଉଳ ବ୍ଲକରେ ବର୍ଷାଭାବ: ଖରିଫ ଧାନ ଚାଷ ପ୍ରଭାବିତ, ଚିନ୍ତାରେ ଚାଷୀ

ନାକଟିଦେଉଳ: ଚଳିତ ଖରିଫ ଋତୁରେ ନିଅଣ୍ଟିଆ ବର୍ଷା ଯୋଗୁଁ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକରେ ଧାନ ଚାଷ ପ୍ରଭାବିତ ହୋଇଛି। ଚାଷ କାର୍ଯ୍ୟ ଆଗେଇ ପାରୁ ନ ଥିବାବେଳେ ରୁଆ ବେଉଷଣ ସମୟରେ ମଧ୍ୟ ଧାନ ବୁଣା, ପହ୍ଲା ପକା କାର୍ଯ୍ୟ ସରି ପାରିନାହିଁ। ନାକଟିଦେଉଳ ବ୍ଲକରେ ଖରିଫ ଧାନ ଚାଷ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଚଳିତ ବର୍ଷ ଜୁନ ମାସ ଶେଷ ସୁଦ୍ଧା ସମଗ୍ର ବ୍ଲକ ଅଞ୍ଚଳରେ ୧୪୧ମି.ମି. ବର୍ଷା ହୋଇଥିବା ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।

ଚଳିତ ଜୁଲାଇ ମାସରେ ସାଧାରଣ ବୃଷ୍ଟିପାତଠାରୁ କମ୍ ବର୍ଷା ହୋଇଥିବାବେଳେ ଜୁଲାଇ ମାସ ୧୮ ତାରିଖ ପର୍ଯ୍ୟନ୍ତ ସମୁଦାୟ ୧୯୮ ମି.ମି. ବର୍ଷା ହୋଇଥିବା ଜିଲ୍ଲା ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ଏଣୁ ଏଠାରେ ପ୍ରାରମ୍ଭରୁ ଚାଷ କାର୍ଯ୍ୟ ଧିମେଇ ଯାଇଛି। ଜୁନ ମାସ ଶେଷ ସୁଦ୍ଧା ଲଘୁଚାପ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଥିଲେ ମଧ୍ୟ ସେମାନଙ୍କ ଆକଳନ ଫେଲ ମାରିଥିଲା। ଏବେ ସ୍ଥିତ ଅସମ୍ଭାଳ ହୋଇ ପଡ଼ିଲାଣି। ଜୁନରେ କମ ବଷ୭ା ହେବା ପରେ ଚାଷୀ ମାନେ ଜୁଲାଇ ପ୍ରାରମ୍ଭରୁ ବର୍ଷା ଆଶା କରୁଥିଲେ କିନ୍ତୁ ତାହା ହେଲା ନାହିଁ। ଚଳିତ ମାସର ୧୮ ଦିନ ପର୍ଯ୍ୟନ୍ତ ଏହି ଅଞ୍ଚଳରେ ସ୍ୱାଭାବିକଠାରୁ କମ୍ ବର୍ଷା ହୋଇଛି। ବର୍ଷାର ଏପରି ସ୍ଥିତି ବଜାୟ ରହିଲେ ଆଗାମୀ ଦିନରେ ବ୍ଲକ ଅଞ୍ଚଳରେ ମରୁଡ଼ି ପରିସ୍ଥିତିକୁ ଏଡ଼ାଇ ଦିଆ ଯାଇ ନ ପାରେ। ଅଣ ଜଳଳ ସେଚିତ ଏହି ଅଞ୍ଚଳର ଚାଷୀମାନେ ମୁଖ୍ୟତଃ ଖରିଫ ଧାନ ଚାଷ ଉପରେ ନିର୍ଭର କରୁଥିବାରୁ ଋଣ ଏବଂ ଧାର କରଜ କରି ଚାଷ କାର୍ଯ୍ୟ କରିଥାନ୍ତି। ବର୍ତ୍ତମାନ ବର୍ଷାଭାବ ଯୋଗୁଁ ଚାଷୀ ମହଲରେ ହତାଶ ଭାବ ଦେଖା ଦେଇଛି। ବର୍ତ୍ତମାନ ଆକାଶ ନିର୍ମଳ ରହୁଥିବା ବେଳେ ମଝିରେ କାଁ ଭାଁ ବର୍ଷା ହେଉଛି। ମାତ୍ର ତାହା ଚାଷୀଙ୍କ ଚାଷ କାର୍ଯ୍ୟରେ ଲାଗୁନାହିଁ। ବର୍ଷା ଅଭାବ ସହିତ ପ୍ରବଳ ଖରା ଯୋଗୁଁ କ୍ଷେତରେ ଧାନ ଗଛ ବଦଳରେ ଘାସ ରାଜୁତି କରୁଛି ଏବଂ ବୁଣା ଧାନ ଉଠି ପାରୁନାହିଁ। ପକା ହୋଇଥିବା ପଳ୍‌‌ହା ଘାରି ମଧ୍ୟ ଶୁଖିଲା ପଡ଼ିଛି। ନାକଟିଦେଉଳ ଅଞ୍ଚଳର ଚାଷୀମାନେ ପ୍ରାୟତଃ ଜୁନ ୧୫ ପରେ କ୍ଷେତରେ ଧାନ ବୁଣା ସହ ପଳ୍‌‌ହା ପକାଇଥାନ୍ତି। ବାହୁଡ଼ା ଦଶମୀ ସୁଦ୍ଧା ଚାଷ କାର୍ଯ୍ୟ ଶେଷ ହୋଇଥାଏ। ତେବେ ଚଳିତ ବର୍ଷ ନାକଟିଦେଉଳ ଅଞ୍ଚଳର ବିଭିନ୍ନ ଗ୍ରାମରେ ଚାଷୀ ମାନେ ଧାନ ବୁଣା କାର୍ଯ୍ୟ ଶେଷ କରି ନ ଥିବାବେଳେ ଆଜି ପର୍ଯ୍ୟନ୍ତ ପହ୍ଲା ତଳି ମଧ୍ୟ ପକାଇ ପାରି ନାହାନ୍ତି। ଯେଉଁ ଚାଷୀ ମାନେ ତଳି ପକାଇଛନ୍ତି ବର୍ଷା ଅଭାବରୁ ଧାନ ତଳିର ଗଛ ସବୁ ପାଚି ଯାଇଥିବା ବେଳେ ଆଉ କେତେକ ସ୍ଥାନରେ ତାହା ବୁଢା ହୋଇ ଗଲାଣି। ଏପରିକି ଧାନ ବୁଣା ଯାଇଥିବା ଜମିରେ ମଧ୍ୟ ଧାନ ଗଜା ହୋଇ ପାରୁ ନାହିଁ। ବର୍ଷାଭାବ ଯୋଗୁଁ ବିଭିନ୍ନ ଗ୍ରାମରେ ଜମି ଫାଟି ଆଁ କଲାଣି। ଅନ୍ୟ ବର୍ଷ ପରି ଚଳିତ ବର୍ଷ ସ୍ୱାଭାବିକ ବର୍ଷା ହୋଇଥିଲେ ବର୍ତ୍ତମାନ ଚାଷ କାର୍ଯ୍ୟ ପ୍ରାୟତଃ ଶେଷ ହୋଇ ସାରନ୍ତାଣି ବୋଲି ଚାଷୀମାନେ ମତ ପ୍ରକାଶ କରିଛନ୍ତି। ଆସନ୍ତା ଦୁଇ ଚାରି ଦିନ ମଧ୍ୟରେ ଯଦି ଏହି ଅଞ୍ଚଳରେ ଭଲ ବର୍ଷା ନ ହୁଏ ତେବେ ଖରିଫ ଧାନ ଚାଷ ଉଜୁଡ଼ି ଯିବାର ଆଶଙ୍କା ଦେଖା ଦେଇଛି।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories