ମୁନୁଷପଦରବାସୀ : ବିକାଶ ଯେଉଁଠି ଏବେ ବି ଅପହଞ୍ଚ
ରାୟଗଡ଼ା : ରାୟଗଡ଼ା ଜିଲା କାଶୀପୁରରେ କାୟା ମେଲାଇଛି ଡିପ୍ଥେରିଆ। ଏହି ରୋଗର ଭୟାବହତା ଦୁର୍ଗମ ଅଞ୍ଚଳର ଆଦିବାସୀଙ୍କୁ ଅଜଣା। ଫଳରେ କାଶୀପୁର ବ୍ଲକ ଡଙ୍ଗାସିଲ ପଞ୍ଚାୟତର ମୁନୁଷପଦର ଗାଁରେ ଜଣକ ପରେ ଜଣେ ଏପରି ୫ ଜଣ ନିଷ୍ପାପ ଶିଶୁ ଆଖି ବୁଜିଛନ୍ତି। ଦୁନିଆକୁ ଚିହ୍ନିବା ପୂର୍ବରୁ ସେମାନଙ୍କର ଜୀବନଦୀପ ସବୁ ଦିନ ପାଇଁ ଲିଭି ଯାଇଛି। ମୁନୁଷପଦର ଶିଶୁ ମୃତ୍ୟୁ ଘଟଣାର ସବିଶେଷ ତଥ୍ୟ ସଂଗ୍ରହ ପାଇଁ ୬ କିଲୋମିଟର ଖାଲଢିପ ପାହାଡ଼ିଆ ଓ ପଥୁରିଆ ରାସ୍ତାରେ ଚାଲି ଚାଲି ୪ ନାଳ ପାର ହୋଇ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଥିଲା ‘ସମାଜ’।
ରାୟଗଡ଼ା ଜିଲା ମୁଖ୍ୟାଳୟ ଠାରୁ ପ୍ରାୟ ୮୦ କିଲୋମିଟର ଦୂରରେ ଚାରିପଟେ ପାହଡ଼ଘେରା ମଧ୍ୟରେ ରହିଛି ଏହି ଅଭିଶପ୍ତ ଗାଁ। ଏହି ଗ୍ରାମବାସୀଙ୍କୁ ଚାରିପଟେ ଘେରି ରହିଛି ସମସ୍ୟାର ପାହାଡ଼। ରାସ୍ତାଘାଟ ଠାରୁ ଆରମ୍ଭ କରି ପାନୀୟଜଳ, ବିଜୁଳି ଆଲୁଅ, ସ୍ୱାସ୍ଥ୍ୟସେବା, ଶିକ୍ଷା ସତେ ଯେମିତି ଏମାନଙ୍କ ପାଇଁ ଦିବା ସ୍ୱପ୍ନ ପାଲଟିଛି।
ଏହି ଗାଁକୁ ଦୁଇ ଭାଗ କରୁଛି ଏକ ନାଳ। ନାଳର ଗୋଟିଏ ପଟେ ନୂଆ ସାହିରେ ରହୁଛନ୍ତି ୧୫ ପରିବାର ଓ ଆରପାରିରେ ପାହାଡ଼ ପାଦଦେଶର ରହୁଛନ୍ତି ଆଉ ୪୧ ପରିବାର। ଦୁଇଶହରୁ ଅଧିକା ଜନସଂଖ୍ୟା ବିଶିଷ୍ଟ ଏହି ଗାଁର ସମସ୍ତେ ଆଦିବାସୀ ପେଙ୍ଗ ସମ୍ପ୍ରଦାୟର। ଏହି ଗାଁକୁ ରାସ୍ତା ନ ଥିବାରୁ ଲୋକେ ୪ ଗୋଟି ନାଳ ପାର ହୋଇ ପାହାଡ଼ିଆ ରାସ୍ତାରେ ଚାଲି ଚାଲି ଯାଉଛନ୍ତି। ସେମାନଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ଉପଲବ୍ଧ ନଥିବାରୁ କୌଣସି ରୋଗ ହେଲେ ସ୍ବାସ୍ଥ୍ୟକେନ୍ଦ୍ର ଯିବା ଅପେକ୍ଷା ଝଡ଼ାଫୁଙ୍କା ଉପରେ ଅଧିକ ଭରସା କରୁଛନ୍ତି। ସେଥିରେ ଭଲ ନହେଲେ ମୃତ୍ୟୁ ସୁନିଶ୍ଟିତ। ରାସ୍ତା ଓ ସ୍ୱାସ୍ଥ୍ୟସେବା ମିଳୁନଥିବାରୁ ଲୋକେ ସ୍ବାସ୍ଥ୍ୟକେନ୍ଦ୍ର ଯିବାକୁ ରାଜି ହେଉନାହାନ୍ତି।
ଗତ ମେ’ ମାସରେ ପ୍ରଥମେ ଗାଁର ଡମ୍ବରୁ ମାଝୀଙ୍କ ଝିଅ ଦାଶୀ ମାଝୀ(୧୦)କୁ ଥଣ୍ଡା ଜ୍ୱର ହୋଇଥିଲା। ତାପରେ ତାଙ୍କର ଗଳା ଫୁଲିବାକୁ ଲାଗିଥିଲା। ତିନିଦିନ ଭିତରେ ତାର ମୃତ୍ୟୁ ହୋଇଥିଲା। ତାର କିଛି ଦିନ ପରେ ମେ ୩୦ ତାରିଖରେ ଗାଁର ଶିବ ମାଝୀଙ୍କ ଝିଅ ପୂର୍ଣ୍ଣିମା ମାଝୀ (୧୧) ଓ ଜୁନ୍ ୯ ତାରିଖରେ ଏସ.ମାଝୀଙ୍କ ପୁଅ ନରେନ୍ଦ୍ର ମାଝୀ(୪)ର ମୃତ୍ୟୁ ହୋଇଥିଲା। ସମସ୍ତଙ୍କୁ ଏକା ଭଳି ଥଣ୍ଡା ଜ୍ୱର ହେବା ପରେ ଗଳା ଫୁଲି ଯାଇଥିଲା। ନିଶ୍ୱାସ ନେବା ଆଣିବାରେ ସମସ୍ୟା ହେଲା ପରେ ସେମାନଙ୍କର ମୃତ୍ୟୁ ହୋଇଥିଲା।
ତିନିଜଣଙ୍କ ମୃତ୍ୟୁ ପରେ ଏହି ଖବର ପହଞ୍ଚିଥିଲା ସ୍ୱାସ୍ଥ୍ୟ ବିଭାଗ ପାଖରେ। ତାପରେ ୧୧ ତାରିଖରେ ଗାଁରେ ସ୍ୱାସ୍ଥ୍ୟ ଟିମ୍ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଥିଲା। ଗାଁରେ ଆକ୍ରାନ୍ତ ଥିବା ୩ ଜଣଙ୍କୁ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେତେବେଳେ ଆକ୍ରାନ୍ତ ଥିବା ବୁଦୁ ମାଝୀଙ୍କ ଝିଅ କାଳୀ ମାଝୀ(୧୪) ମେଡିକାଲ ଯିବାକୁ ମନା କରିଥିଲା। ତାପରେ ସେହି ଦିନ ରାତିରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ୪ ଜଣଙ୍କ ମୃତ୍ୟୁ ପରେ ସ୍ୱାସ୍ଥ୍ୟ ବିଭାଗ ତତ୍ପରତା ଦେଖାଇଥିଲା।
କାଶୀପୁର ଠାରୁ ଆରମ୍ଭ କରି ରାଜ୍ୟ ରାଜଧାନୀ ଯାଏ ଏହି ଅଜଣା ରୋଗ ବିଷୟରେ ଆତଙ୍କିତ ହୋଇଥିଲେ ସମସ୍ତେ। ଚିକିତ୍ସିତ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ବିରିଙ୍ଗି ମାଝୀଙ୍କ ଝିଅ ପାଲସୀ ମାଝୀ(୮)ଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ମୁଖ୍ୟମନ୍ତ୍ରୀ ମଧ୍ୟ ଏହାକୁ ଗୁରୁତର ସହ ନେଇଥିଲେ। ତୁରନ୍ତ ଏହାର ପ୍ରତିକାର ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଆଜି ଯାଏ ଏହି ଗାଁକୁ କୌଣସି ସରକାରୀ ବାବୁଙ୍କ ପାଦ ପଡ଼ିନି। ଖାଲି ଆଙ୍ଗନବାଡ଼ି, ଆଶା କର୍ମୀ ଓ ଏଏନ୍ଏମ୍ଙ୍କୁ ଛାଡ଼ି ଦେଲେ ଆଉ କାହାରି ଦେଖା ଦର୍ଶନ ନାହିଁ। ୫ ଶିଶୁଙ୍କ ମୃତ୍ୟୁ ପରେ କଂଗ୍ରେସର ନବନିର୍ବାଚିତ ବିଧାୟକ ଆପଲସ୍ୱାମୀ କାଡ୍ରାକା, ବିଜେପି ଟିମ୍, ବିଜେଡିର ପରାଜିତା ବିଧାୟିକା ପ୍ରାର୍ଥୀ ଅନସୂୟା ମାଝୀ, ପୂର୍ବତନ ବିଧାୟକ ମକରନ୍ଦ ମୁଦୁଲି ପ୍ରମୁଖ ଗାଁରେ ପହଞ୍ଚି ମୃତକଙ୍କ ପରିବାରକୁ ଆଶ୍ୱାସନା ଦେବା ସହ କିଛି କିଛି ସହାୟତା ପ୍ରଦାନ କରିଥିବା ଗ୍ରାମବାସୀ କହିଛନ୍ତି।
ଏ ତ ଗଲା ସ୍ୱାସ୍ଥ୍ୟ ଓ ରାସ୍ତା ଘାଟ କଥା। ଗ୍ରାମବାସୀଙ୍କ ପାଇଁ ପାନୀୟ ଜଳର ସୁବିଧା ନାହିଁ। ସେମାନେ ନାଳର ପାଣି ବ୍ୟବହାର କରି ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଗାଁରେ ଗୋଟିଏ ନଳକୂପ ଅଛି ତାହା ସବୁବେଳ ଅଚଳ। ଗାଁରେ ବିଜୁଳି ଆଲୁଅ ସାତ ସପନ। ଟ୍ରାନ୍ସଫର୍ମର ବସିଛି। ହେଲେ କାହା ଘରକୁ ବିଜୁଳି ସଂଯୋଗ ହୋଇନି। ଲୋକେ ଅନ୍ଧାରରେ ରହୁଛନ୍ତି। ଏପରି କି ରାତିରେ ଡିବିରି ଜଳାଇବାକୁ ସେମାନଙ୍କ ପାଖରେ କିରାସିନି ମଧ୍ୟ ନଥିବାରୁ ଅନ୍ଧାରରେ ରହୁଥିବା କହିଛନ୍ତି ଗାଁର ଗୁରାଇ ମାଝୀ ଓ ଡମୁଣି ମାଝୀ। ଗାଁରେ ସ୍କୁଲ ନାହିଁ କି ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ନାହିଁ। ଫଳରେ ପିଲାମାନେ ଶିକ୍ଷାଦାନରୁ ବଞ୍ଚିତ ହେଉଛନ୍ତି। କେବେକେବେ ଗାଁକୁ ଶିକ୍ଷକ ଆସି ଗଛମୂଳେ ନହେଲେ କାହା ଘରେ ବସାଇ ପିଲାଙ୍କୁ ପାଠ ପଢ଼ାଇ ଯାଉଛନ୍ତି। ଏଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ୨୯ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ସେଥିରୁ ବର୍ତ୍ତମାନ ତିନି ଜଣଙ୍କ ଡିପ୍ଥେରିଆରେ ମୃତ୍ୟୁ ହୋଇଥିବା କୁହାଯାଉଛି। ଦୁଇଜଣ ଶିକ୍ଷକ ପାଳି କରି ଏଠାକୁ ସପ୍ତାହକୁ ଦୁଇଦିନ ଆସନ୍ତି।
ଏହାଛଡ଼ା ଭଡ଼ା ଘରେ ଚାଲୁଛି ଅଙ୍ଗନବାଡ଼ି କେନ୍ଦ୍ର ଚାଲୁଛି। ଏଠାରେ ଶୂନରୁ ୬ ବର୍ଷର ପାଖାପାଖି ୫୦ ପିଲା ଅଛନ୍ତି। ସେମାନଙ୍କୁ ମଧ୍ୟ ପୁଷ୍ଟିକର ଖାଦ୍ୟ ଠିକ୍ ସମୟରେ ମିଳୁନି। ଗାଁରେ କିଛି ବ୍ୟକ୍ତିଙ୍କୁ ଇନ୍ଦିରା ଆବାସ ମିଳିଛି। ତାହା ଏବେ ଭାଙ୍ଗି ରୁଜି ଗଲାଣି। ଭତ୍ତା ଓ ଖାଉଟି ଚାଉଳ ଆଣିବା ପାଇଁ ୧୭ କିଲୋମିଟର ଚାଲି ଚାଲି ଯିବାକୁ ପଡୁଛି ଗ୍ରାମବାସୀଙ୍କୁ। ସେମାନେ ଡଙ୍ଗାସିଲ ପଞ୍ଚାୟତରୁ ଅଟୋରେ ଚାଭଳ ନେଇ ଡି.ମୁର୍ଗା ଆସିବା ପରେ ସେଠାରୁ ୭ କିଲୋମିଟର ଚାଲି ଚାଲି ଗାଁକୁ ଆସୁଛନ୍ତି।
ଏହା କହିଛନ୍ତି ଗାଁର ମାଗୁ ମାଝୀ, ଡମ୍ବୁ ମାଝୀ, ସଦ ମାଝୀ, ଆସାଙ୍ଗ ମାଝୀ ପ୍ରମୁଖ। ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସବୁ ଏଠାରେ ଅପହଞ୍ଚ। ଗାଁ ରାସ୍ତା ବି ପାଣି କାଦୁଅରେ ପଚପଚ ହେଉଛି। ବର୍ଷା ହେଲେ ଗ୍ରାମବାସୀ ଜଳବନ୍ଦୀ ଜୀବନ କାଟୁଛନ୍ତି। ବର୍ଷା ଦିନେ ନାଳରେ ପାଣି ବଢ଼ିଲେ ଗ୍ରାମବାସୀଙ୍କ ଯାତାୟାତ ବନ୍ଦ। ବର୍ଷା ଦିନେ ଜମ ଯନ୍ତ୍ରଣା ଭୋଗୁଛନ୍ତି ଗ୍ରାମବାସୀ। ଜିଲାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ଓ ସଚେତନତା ଅଭାବ ଯୋଗୁଁ ଶିଶୁ ମୃତ୍ୟୁ ଘଟଣା ଘଟୁଛି। ରୋଗ ଚିହ୍ନଟ ହୋଇଥିଲେ ବି ଆଜି ଯାଏ ରୋଗ ବ୍ୟାପିବାର କାରଣ ଜଣାପଡ଼ିନି। ସରକାର ଅପହଞ୍ଚ ଇଲାକାର ଜନସାଧାରଣଙ୍କୁ କେବେ ମୌଳିକ ସୁବିଧା ଯୋଗାଇ ଦେବେ ତାହା ସମୟ କହିବ।
Comments are closed.