କାର୍ଯ୍ୟରତ ପୁଲିସ ଏସଆଇଙ୍କୁ ଦୁର୍ବ୍ୟବହାର ଅଭିଯୋଗ, କନେଷ୍ଟବଳ ନିଲମ୍ବିତ
ଫୁଲବାଣୀ: ଜଣେ କାର୍ଯ୍ୟରତ ପୁଲିସ ସବଇନିସ୍ପେକ୍ଟରଙ୍କୁ ନିଶା ସେବନ କରି ସର୍ବସମ୍ମୁଖରେ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଓ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରିବା ଜଣେ କାର୍ଯ୍ୟରତ କନେଷ୍ଟବଲଙ୍କୁ ମହଙ୍ଗା ପଡିଛି। ଘଟଣାଟି ଘଟିଛି ଫିରିଙ୍ଗିଆ ଥାନାରେ। ଅଭିଯୋଗ ହେବା ପରେ କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ ପାତ୍ର କନେଷ୍ଟବଳକୁ ଚାକିରିରୁ ନିଲମ୍ବିତ କରିଛନ୍ତି। ନିଲମ୍ବିତ ହୋଇଥିବା କନେଷ୍ଟବଲ ଜଣକ ଫିରିଙ୍ଗିଆ ଥାନାରେ କାର୍ଯ୍ୟରତ ଜୟନ୍ତ କୁମାର ପ୍ରଧାନ ବୋଲି ଜଣାପଡିଛି। ସୂଚନା ଅନୁସାରେ ୨୪ ତାରିଖ ଦିନ ଫିରିଙ୍ଗିଆ ଥାନା ମାସରୀପଡା ଛକ ନିକଟରେ ଏକ କାର ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଥିଲା। ଶବ ବ୍ୟବଚ୍ଛେଦ ଆଗରୁ ଶବର ପଞ୍ଚନାମା କରିବା ପାଇଁ ଥାନା ଅଧିକାରୀ ରମେଶ କୁମାର ପ୍ରଧାନଙ୍କ ନିର୍ଦେଶ କ୍ରମେ ଫିରିଙ୍ଗିଆ ଥାନାର ଏସଆଇ ବିକାଶ କୁମାର ଜାଲି, ଏଏସଆଇ ଶ୍ରୀକାନ୍ତ ପାତ୍ର ଓ ନିଲମ୍ବିତ ହୋଇଥିବା କନେଷ୍ଟବଲ ମଧ୍ୟ୍ୟ ଫୁଲବାଣୀ ଯାଇଥିଲେ। ତେବେ ମେଡିକାଲ ପରିସରରେ କୌଣସି କଥାକୁ ନେଇ ଏସଆଇ ବିକାଶ ଜାଲି ଏବଂ କନେଷ୍ଟବଲ ଜୟନ୍ତ ପ୍ରଧାନଙ୍କ ମଧ୍ୟ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ କନେଷ୍ଟବଲ ଜଣକ କାର୍ଯ୍ୟରତ ଏସଆଇଙ୍କୁ ନିଶାସକ୍ତ ଅବସ୍ଥାରେ ସର୍ବସମ୍ମୁଖରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ କୁଆଡେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏସଆଇ ଜଣକ ଘଟଣା ସମ୍ପର୍କରେ ଥାନା ଅଧିକାରୀଙ୍କୁ ଜଣାଇଥିଲେ। ପରେ ଥାନା ଅଧିକାରୀ ଘଟଣା ବିଷୟରେ ଆରକ୍ଷୀ ଅଧିକ୍ଷକଙ୍କୁ ଲିଖିତ ଭାବରେ ଜଣେଇଥିଲେ। ଗତ ୨୪ତାରିଖ ଦିନ ଘଟଣାର ତଦନ୍ତ କରି କନ୍ଧମାଳ ଏସପି ସମ୍ପୃକ୍ତ କନେଷ୍ଟବଲଙ୍କୁ ଚାକିରିରୁ ନିଲମ୍ବିତ ଆଦେଶ ଦେଇଥିବା ବେଳେ ନିଲମ୍ବନ ଅବଧି ସରିବ ଯାଏ କନେଷ୍ଟବଲ ଜଣକ ଫୁଲବାଣୀ ଜିଲ୍ଲାମୁଖ୍ୟାଳୟ ରିଜର୍ଭ ଇନିସ୍ପେକ୍ଟରଙ୍କ ଅଧୀନରେ ରହିବେ ବୋଲି ନିର୍ଦ୍ଦେଶନାମା ଜାରି କରିଛନ୍ତି।
Comments are closed.