ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ପୁରୁଷ ଦିବସ ଭାବେ ନଭେମ୍ବର ୧୯କୁ ପାଳନ କରାଯାଉଛି। ମହିଳା ଦିବସ ଅର୍ଥାତ୍ ୮ମାର୍ଚ୍ଚ ସମ୍ପର୍କରେ ସମସ୍ତେ ବେଶ୍ ଭଲ ଭାବେ ଅବଗତ ଥିବାବେଳେ ଅନ୍ତର୍ଜାତୀୟ ପୁରୁଷ ଦିବସ ମୁଖ୍ୟତଃ ଭାରତରେ କେବଳ କାଗଜ ପତ୍ରରେ ସୀମିତ ରହିଛି। ବିଶ୍ୱର ୬୦ରୁ ଊର୍ଦ୍ଧ୍ବ ଦେଶ ନଭେମ୍ବର ୧୯କୁ ଅନ୍ତର୍ଜତୀୟ ପୁରୁଷ ଦିବସ ଭାବେ ପାଳନ କରିଥାନ୍ତି। ୧୯୯୮ରେ ତ୍ରିନିଦାଦ ଓ ଟୋବାଗୋ ଦେଶରେ ପ୍ରଥମ ଥର ପାଇଁ ଉକ୍ତ ଦିବସ ପାଳନ କରାଯାଇ ଥିଲା। ଡା. ଜୀରୋମ ତିଲକସିଂହ ତାଙ୍କ ଜୀବନ କାଳରେ ପୁରୁଷଙ୍କ ଅବଦାନକୁ ନେଇ ପ୍ରଚାର କରିଥିଲେ। ଏହାକୁ ଦୃଷ୍ଟିରେ ରଖି ତାଙ୍କ ପିତାଙ୍କ ଜନ୍ମଦିନକୁ ବିଶ୍ୱ ପୁରୁଷ ଦିବସ ଭାବେ ପାଳନ କରାଯାଉଛି। ଡା. ଜୀରୋମ ହିଁ ସର୍ବପ୍ରଥମେ ବିଶ୍ୱ ପୁରୁଷ ଦିବସ ପାଳନ ପାଇଁ ଦାବି କରିଥିଲେ।
ଭାରତରେ ସର୍ବପ୍ରଥମେ ୨୦୦୭ରେ ଅନ୍ତଃରାଷ୍ଟ୍ରୀୟ ପୁରୁଷ ଦିବସ ପାଳନ କରାଯାଇ ଥିଲା। ପୁରୁଷଙ୍କ ଅଧିକାରକୁ ନେଇ ସକ୍ରିୟ ସଂସ୍ଥା “ସେଭ ଇଣ୍ଡିଆନ ଫ୍ୟାମିଲି’ ସର୍ବପ୍ରଥମେ ଏହି ଦିବସକୁ ଭାରତରେ ପାଳନ କରିଥିଲା। ପରବର୍ତ୍ତୀ ସମୟରେ “ଅଲ ଇଣ୍ଡିଆ ମେନ୍ସ ଆସୋସିଏସନ’ ଭାରତ ସରକାରଙ୍କୁ ମହିଳା ବିକାଶ ମନ୍ତ୍ରଣାଳୟ ପରି ପୁରୁଷ ବିକାଶ ମନ୍ତ୍ରଣାଳୟ ନିର୍ମାଣ ପାଇଁ ଦାବି କରିଥିଲା।
ଅର୍ନ୍ତଜାତୀୟ ମେନ୍ସ ଡେ’ ରେ ଚଳିତ ବର୍ଷ “ପଜିଟିଭ ମେଲ ରୋଲ ମଡ଼େଲ’ ଥିମ୍ ନେଇ ପାଳନ କରାଯାଉଛି। ଅର୍ଥାତ୍ ଜଣେ ଏଭଳି ବ୍ୟକ୍ତିତ୍ୱ ଯାହାର ଅବଦାନ ସମାଜ ପାଇଁ ଉତ୍ସର୍ଗୀକୃତ ଅଟେ। ଆଜିର ଦିନ ଏଭଳି ବ୍ୟକ୍ତିଙ୍କ ପାଇଁ ସମର୍ପିତ।
ଅନ୍ତର୍ଜତୀୟ ମେନ୍ସ ଡେ’ରେ ପ୍ରକାଶିତ ତଥ୍ୟ ଅନୁଯାୟୀ ମହିଳାଙ୍କଠାରୁ ୩ଗୁଣା ପୁରୁଷ ଆତ୍ମହତ୍ୟା କରୁଛନ୍ତି। ପ୍ରତି ୩ଜଣଙ୍କ ମଧ୍ୟରୁ ଜଣେ ପୁରୁଷ ଘରୋଇ ହିଂସାର ଶିକାର ହେଉଛନ୍ତି। ସମବୟସ୍କ ମହିଳାଙ୍କ ଅପେକ୍ଷା ୪ରୁ ୫ବର୍ଷ ପୂର୍ବରୁ ଜଣେ ପୁରୁଷର ମୃତୁ୍ୟ ହେଉଛି। ସେହିପରି ମହିଳାଙ୍କ ଅପେକ୍ଷା ଦ୍ୱିଗୁଣ ପରିମାଣରେ ପୁରୁଷ ହୃଦଘାତରେ ଆକ୍ରାନ୍ତ ହେଉଛନ୍ତି।
ଆଜି ଅନ୍ତଃରାଷ୍ଟ୍ରୀୟ ପୁରୁଷ ଦିବସ
Popular Categories



