ଜନସଂଖ୍ୟା ବୃଦ୍ଧିର ତୀବ୍ରଗତି ଆମର ଆର୍ଥିକ ବିକାଶ ପାଇଁ ସମସ୍ତ ପ୍ରୟାସକୁ ଆଜି ବିଫଳ କରିବାକୁ ବସିଛି। ଆମ ଦେଶର ଜନସଂଖ୍ୟା ବିସ୍ଫୋରଣ ଏବେ ଉଦବେଗଜନକ ସ୍ଥିତିରେ ରହିଛି। ଜନଗଣନା ଅନୁସାରେ ଚାଇନା ପଛକୁ ଭାରତ ବିଶ୍ବର ଦ୍ବିତୀୟ ଜନବହୁଳ ରାଷ୍ଟ୍ର। ଚୀନର ଲୋକସଂଖ୍ଯା ୧୪୫କୋଟିରୁ ଅଧିକ ଥିବା ବେଳେ ଭାରତର ଜନସଂଖ୍ୟା ୧୪୨କୋଟିରୁ ଅଧିକ। ଭାରତବର୍ଷର କ୍ଷେତ୍ରଫଳ ସମଗ୍ର ବିଶ୍ବ କ୍ଷେତ୍ରଫଳର ମାତ୍ର ୨.୪ପ୍ରତିଶତ। କିନ୍ତୁ ଆମ ଦେଶର ଜନସଂଖ୍ୟା ବିଶ୍ବ ଜନସଂଖ୍ୟାର ପ୍ରାୟ ୧୮ ପ୍ରତିଶତ। ଦ୍ରୁତଗତିରେ ଜନସଂଖ୍ୟା ବଢିବା କାରଣରୁ ସମସ୍ତଙ୍କ ପାଇଁ ଖାଦ୍ୟ ବସ୍ତ୍ର ଓ ବାସଗୃହ ଯୋଗାଇବାରେ ବିବିଧ ସଙ୍କଟ ସୃଷ୍ଟି କରିଛି। ଜନସଂଖ୍ୟା ବୃଦ୍ଧି ପଛରେ ଜନ୍ମହାର ବୃଦ୍ଧି,ମୃତ୍ୟୁହାର ହ୍ରାସ, ବଂଚିବାର ସମୟ ସୀମା ବୃଦ୍ଧି, ସଚେତନତା ଅଭାବ, ଶିଶୁ ମୃତ୍ଯୁହାରରେ ସୁଧାର, ଅନ୍ଧବିଶ୍ବାସ ଏହି ପରି ଅନେକ କାରଣ ରହିଛି।
ଭାରତୀୟ ସମାଜ ପରଂପରା ଅନୁଗାମୀ। ପରିବାରରେ ପୁତ୍ରଟିଏ ଜନ୍ମ ହେବା ପାଇଁ ଅପେକ୍ଷା କରିବାର ମାନସିକତା ଜନସଂଖ୍ୟା ବୃଦ୍ଧିର ମୁଖ୍ଯ କାରଣ। ପୁଅ ହେଉ ବା ଝିଅ, ଗୋଟିଏ ଦୁଇଟିକୁ ଜନ୍ମ ଦେବା ଏବେ ମଧ୍ୟ ଆମ୍ଭମାନଙ୍କୁ ବୁଝାଇବାକୁ ପଡୁଛି। ଆମେ ଅନେକ ଭାବିଥାଉ ସନ୍ତାନ ଜନ୍ମ ଈଶ୍ବରଙ୍କ ଦାନ। ସ୍ବଳ୍ପ ବୟସରୁ ବିବାହ କରି ସେମାନଙ୍କ ରୋଜଗାରକୁ ଆୟ ବୃଦ୍ଧିର ମାଧ୍ୟମ କରିବା ଜନସଂଖ୍ୟା ବୃଦ୍ଧିର ଆଉ ଏକ ପ୍ରମୁଖ କାରଣ। ଭାରତ ଏକ କୃଷି ପ୍ରଧାନ ଦେଶ ହୋଇଥିବାରୁ କୃଷି ଉପରେ ନିର୍ଭର କରୁଥିବା ପରିବାରର ପିଲାମାନେ କୃଷି ସଂପର୍କୀୟ କାର୍ଯ୍ୟରେ ସହାୟତା କରିଥାନ୍ତି। ଗୃହପାଳିତ ପଶୁମାନଙ୍କର ଲାଳନ ପାଳନ ପାଇଁ ଅଧିକ ସନ୍ତାନର ଆବଶ୍ୟକତା ମନେକରିଥାନ୍ତି। ଗ୍ରାମୀଣ ଜନତାଙ୍କ ଧାରଣା ଏପର୍ଯ୍ୟନ୍ତ ବଳବତ୍ତର ରହିଛି ଯେ ପିଲାମାନେ ଜନ୍ମ ନେଇଛନ୍ତି ନିଜ କଥା ନିଜେ ବୁଝିବେ। ପ୍ରଭୁ ହାତ ଗୋଡ ଦେଇଛନ୍ତି ଖଟି ଖାଇବେ। ଏହି ସ୍ବଳ୍ପ ଶିକ୍ଷିତ ଜନତା ଜନସଂଖ୍ୟା ବୃଦ୍ଧିର କୁପରିଣାମ ସଂପର୍କରେ ଆଦୌ ଗୁରୁତ୍ୱ ପ୍ରଦାନ କରିନଥାନ୍ତି। ଅଜ୍ଞାନତା ଏବଂ ଅନୁପଲବ୍ଧି କାରଣରୁ ପରିବାର ନିୟନ୍ତ୍ରଣର ପ୍ରୟୋଗବିଧିକୁ ଉପେକ୍ଷା କରିଥାନ୍ତି। ଅଧିକନ୍ତୁ ପୁରୁଷ ବନ୍ଧ୍ଯାକରଣ ପଦ୍ଧତିକୁ ନାପସନ୍ଦ କରି ଭାବିଥାନ୍ତି ଯେ ଏପରି କରିବା ଦ୍ବାରା ଶକ୍ତି ଓ ସାମର୍ଥ୍ୟ ହ୍ରାସ ପାଇଥାଏ। ଆଉ କେତେକ ଜନସାଧାରଣ ଗର୍ଭନିରୋଧକର ପ୍ରୟୋଗକୁ ଧର୍ମ ବିରୋଧୀ କାର୍ଯ୍ୟ ମନେକରି ପରିବାର ନିୟନ୍ତ୍ରଣ ଯୋଜନାକୁ ଭଣ୍ଡୁର କରିଥାନ୍ତି। ଆଧୁନିକ ଚିକିତ୍ସା ପଦ୍ଧତି ଓ ଜୀବନ ଜୀଇଁବାର କଳାତ୍ମକ ଶୈଳୀ ବଂଚିବାର ସମୟ ସୀମାକୁ ଆଜି ବଢାଇ ଦେଇଛି। ବର୍ତ୍ତମାନ ବଂଚିବାର ହାରାହାରି ବୟସ ୭୫ବର୍ଷ ଟପିବାକୁ ବସିଲାଣି। ଜୀବନ ସୀମା ଲଗାତାର ବୃଦ୍ଧି ପାଉଛି ଓ ମୃତ୍ୟୁହାର କମିବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟ ଓ ମହାମାରୀ ତାଣ୍ଡବର ପ୍ରାଦୁର୍ଭାବରୁ ଜନଜୀବନକୁ ରକ୍ଷା କରିବା ପାଇଁ ପ୍ରଯୁକ୍ତି ବିଦ୍ୟାର କୌଶଳ ବୃଦ୍ଧି ପାଇଛି ଓ ମୃତ୍ୟୁହାର କମି ଚାଲିଛି। ବିଂଶ ଶତାବ୍ଦୀର ଶେଷ ପର୍ଯ୍ୟାୟ ଆଡକୁ ଭାରତରେ ଶିଶୁ ମୃତ୍ୟୁହାର ସଙ୍କଟ ଜନକ ସ୍ଥିତିରେ ଥିଲା ବେଳେ ଏବେ ଶିଶୁ ମୃତ୍ୟୁହାର ଆଶାତୀତ ଭାବେ ହ୍ରାସ ପାଇଛି।
ଏବେ ଆମେ ସମସ୍ତେ ସଚେତନ ହୋଇ ଜନସଂଖ୍ୟା ବିସ୍ଫୋରଣକୁ ନିୟନ୍ତ୍ରଣକୁ ନ’ଆଣିଲେ ଦେଶ ଏକ ସଙ୍ଗୀନ ଅବସ୍ଥାକୁ ଚାଲିଯିବ। ଦେଶର ସଂସାଧନ ଉପରେ ଅଧିକ ଚାପ ସୃଷ୍ଟି ହୋଇ ମହଜୁଦ ଥିବା ଆଧାର ସଂରଚନା କ୍ଷତିଗ୍ରସ୍ତ ହେବ ଓ ଦେଶର ବିକାଶ ବାଧାପ୍ରାପ୍ତ ହେବ। ଦୈନନ୍ଦିନ ଜୀବନ ସ୍ତରରେ ରୋଜଗାରୀଙ୍କ ସଂଖ୍ୟା କମିଯିବ ଓ ଖାଇବା ଲୋକଙ୍କ ସଂଖ୍ୟା ବଢିଯିବ। ଶାରୀରିକ ଆବଶ୍ୟକତା ଅନୁଯାୟୀ ଖାଦ୍ୟ ଓ ପୋଷଣ ମିଳିପାରିବ ନାହିଁ। ଆର୍ଥିକ ଅନଗ୍ରସର ପରିବାରର ପିଲାମାନଙ୍କର ଶିକ୍ଷା ଉପରେ ଯଥେଷ୍ଟ ଧ୍ଯାନ ଦେଇହେବ ନାହିଁ। ଯାହାଦ୍ବାରା ଆଗାମୀ ପିଢି ଗରିବରୁ ଗରିବ ହୋଇ ଚାଲିଥିବେ।ଏହି ସମସ୍ୟା ଏବେ ଆମ ଦେଶରେ ଏକ ମୁଖ୍ୟ ସମସ୍ୟା ଭାବେ ଦଣ୍ଡାୟମାନ। ବର୍ତ୍ତମାନ ଆମ ଦେଶର ପରିବେଶ ବିପର୍ଯ୍ୟସ୍ତ। ଜଳବାୟୁର ନକାରାତ୍ମକ ପରିବର୍ତ୍ତନ ଘଟି ବଢି, ମରୁଡି, ଦୁର୍ଭିକ୍ଷ ଇତ୍ୟାଦି ଅନେକ ପ୍ରାକୃତିକ ବିପର୍ଯ୍ୟୟ ଘଟୁଛି।ବିଜ୍ଞାନ ଓ ପ୍ରାଦ୍ୟୋଗିକ ବୈଷୟିକ ଜ୍ଞାନର ଯେତେ ବିକାଶ ହେଲେ ମଧ୍ୟ ଜନସଂଖ୍ୟା ବୃଦ୍ଧି ନିୟନ୍ତ୍ରଣକୁ ନ ଆସିଲେ ଦେଶର ପ୍ରଗତି ଅସମ୍ଭବ। ଅତିଶୟ ଜନସଂଖ୍ୟାର ଭୟାବହତା, ଛୋଟ ପରିବାରର ମହତ୍ତ୍ଵ ଓ ଧର୍ମାନ୍ଧତାକୁ ଆମେ ସମସ୍ତେ ବୁଝିବା ଉଚିତ୍। ଏହି ସବୁ ସମସ୍ୟାକୁ ଆମେ ସଂପ୍ରଦାୟ ନିର୍ବିଶେଷରେ ମିଳିମିଶି ଯେତେ ଶୀଘ୍ର ସମାଧାନ କରିବା ଓ ସରକାରୀ ଯୋଜନାକୁ ସମ୍ମାନ ପ୍ରଦାନ କରିବା ସେତେ ଶୀଘ୍ର ଆମେ ଦାରିଦ୍ର୍ୟ ରାକ୍ଷସ ଯନ୍ତାରୁ ମୁକ୍ତ ହୋଇ ବିକଶିତ ଭାରତକୁ ଦେଖି ପାରିବା।
ଡଃ ପ୍ରଫୁଲ୍ଲ କୁମାର ପାଣି
କାମାକ୍ଷାନଗର
ମୋ:୬୩୭୨୪୫୯୯୬୦



