ଆଇପିଏଲ କ୍ରିକେଟ : ଆଜି ଚେନ୍ନଇ ବନାମ ରାଜସ୍ଥାନ
ବିଜୟ ଲକ୍ଷ୍ୟରେ ଦୁଇ ଦଳ
ଚେନ୍ନଇ : ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ର ବୁଧବାର ୧୭ତମ ଲିଗ୍ ମ୍ୟାଚ ଚେନ୍ନଇ ସୁପରକିଙ୍ଗ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ ଚେନ୍ନଇରେ ଖେଳାଯିବ। ଉଭୟ ଦଳ ସମାନ ସଂଖ୍ୟକ ମ୍ୟାଚରୁ ସମାନ ବିଜୟ ହାସଲ କରିଛନ୍ତି।
ସଞ୍ଜୁ ସାମସନଙ୍କ ନେତୃତ୍ବାଧିନ ରାଜସ୍ଥାନ ରୟାଲ୍ସ ୩ଟି ମ୍ୟାଚରୁ ୨ଟି ବିଜୟ ଓ ଗୋଟିଏ ପରାଜୟ ସହ ୪ ପଏଣ୍ଟ ପାଇଛି। ଦଳ ସନରାଇଜର୍ସ ହାଇଦରାବାଦ୍କୁ ୭୨ରନରେ ପରାଜିତ କରିଥିବାବେଳେ ପଞ୍ଜାବ କିଙ୍ଗ୍ସ ନିକଟରୁ ୫ରନରେ ପରାଜିତ ହୋଇଥିଲା। ଶେଷ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୫୭ରନରେ ପରାଜିତ କରିଥିଲା। ଓପନର ଜୋଶ୍ ବଟ୍ଲର ଓ ଯଶସ୍ବୀ ଜସୱାଲ ଚମତ୍କାର ଫର୍ମରେ ରହିଛନ୍ତି। ବଟ୍ଲର ୩ଟି ମ୍ୟାଚରୁ ୨ଟି ଅର୍ଦ୍ଧଶତକ ସହ ୧୫୨ ଓ ଜସୱାଲ ୨ଟି ଅର୍ଦ୍ଧଶତକ ସହ ୧୨୫ରନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସଞ୍ଜୁ ସାମସନ ଓ ସିମରନ ହେତମେୟର ମଧ୍ୟ ଭଲ ଫର୍ମରେ ରହିଛନ୍ତି। ହେତମେୟର ମ୍ୟାଚ ଫିନିସିଂ ଦାୟିତ୍ବ ତୁଲାଉଛନ୍ତି। ଅଲରାଉଣ୍ଡର ଭାବେ ଦଳ ନିକଟରେ ଜାସନ ହୋଲଡର, ଧ୍ରୁବ ପୋରେଲ ଓ ରିୟାନ ପରାଗ ମଧ୍ୟ ରହିଛନ୍ତି। ଦ୍ରୁତ ବୋଲିଂ ବିଭାଗରେ ଟ୍ରେଣ୍ଟ ବୋଲ୍ଟ, ଜାସନ ହୋଲଡର,ସନ୍ଦୀପ ଶର୍ମା ରହିଥିବାବେଳେ ସ୍ପିନ ବୋଲିଂ ଦାୟିତ୍ବ ଯୁୁଜୁବେନ୍ଦ୍ର ଚହଲ ଓ ରବିଚନ୍ଦ୍ରନ ଅଶ୍ବିନ ତୁଲାଉଛନ୍ତି। ବୋଲ୍ଟ , ଚହଲ ଓ ଅଶ୍ବିନ ୱିକେଟ ନେବାରେ ମଧ୍ୟ ସଫଳ ହୋଇଛନ୍ତି।
ସେହିପରି ଚେନ୍ନଇ ସୁପରକିଙ୍ଗ୍ସ ୩ଟି ମ୍ୟାଚରୁ ଦୁଇଟି ବିଜୟ ଓ ଗୋଟିଏ ପରାଜୟ ସହ ୪ ପଏଣ୍ଟ ପାଇଛି। ଦଳ ପ୍ରଥମ ମ୍ୟାଚରେ ଗୁଜରାଟ ଟାଇଟାନ୍ସ ନିକଟରୁ ୫ ୱିକେଟରେ ପରାଜିତ ହୋଇଥିବାବେଳେ ଦ୍ବିତୀୟ ମ୍ୟାଚରେ ଲକ୍ଷ୍ନୌ ସୁପରଜ୍ୟାଣ୍ଟ୍ସକୁ ୧୨ରନରେ ପରାଜିତ କରିଥିଲା। ୩ୟ ମ୍ୟାଚରେ ମୁମ୍ବଇ ଇଣ୍ଡିଆନ୍ସକୁ ୭ ୱିକେଟରେ ପରାଜିତ କରିଛି। ଓପନର ଋତୁରାଜ ଗାଏକ୍ବାର୍ଡ ୩ଟି ମ୍ୟାଚରୁ ୨ଟି ଅର୍ଦ୍ଧଶତକ ସହ ୧୮୯ରନ କରିଥିଲେ ମଧ୍ୟ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଏପର୍ଯ୍ୟନ୍ତ ବଡ ସ୍କୋର କରିବାରେ ସଫଳ ହୋଇନାହାନ୍ତି। ଶେଷ ମ୍ୟାଚରେ ଅଜିଙ୍କ୍ୟ ରାହାଣେ ମୁମ୍ବଇ ଇଣ୍ଡିଆନ୍ସ ବିପକ୍ଷରେ ୨୭ଟି ବଲରୁ ୬୧ରନର ଇନିଂସ ଚେନ୍ନଇର ବ୍ୟାଟିଂ ଲାଇନକୁ ଶକ୍ତ କରିଛି। ଅଧିନାୟକ ମହେନ୍ଦ୍ର ସିଂହ ଧୋନି ସପ୍ତମ ଡାଉନରେ ବ୍ୟାଟିଂ କରିବାକୁ ଆସିବା ଦଳ ପାଇଁ ମଧ୍ୟ ମ୍ୟାଚ ଫିନିସିଂର ଭୂମିକା ତୁଲାଉଛନ୍ତି। ଅଲରାଉଣ୍ଡର ଭାବେ ଶୁଭମ ଦୁବେ , ରବୀନ୍ଦ୍ର ଜାଡେଜା ରହିଛନ୍ତି। ବୋଲିଂରେ ଦୀପକ ଚହର ଆହତ ହେବା ପରେ ଦଳକୁ ଚିନ୍ତା ଘାରିଛି। ତାଙ୍କ ସ୍ଥାନରେ ରାଜବର୍ଦ୍ଧନ ହଙ୍ଗାରଗେକର ଖେଳିବା ନେଇ ଆଶା କରାଯାଉଛି। ମୋଇନ୍ ଅଲ୍ଲୀ ଶେଷ ମ୍ୟାଚରେ ଅସୁସ୍ଥ ପାଇଁ ଖେଳିନଥିଲେ। ସେ ରାଜସ୍ଥାନ ବିପକ୍ଷରେ ଖେଳିବା ନେଇ ଆଶା କରାଯାଉଛି। ବେନ୍ ଷ୍ଟୋକ୍ସ ଆହତ ହେବା ଦଳକୁ ଚିନ୍ତା ବଢାଇଛି। ତୁଷାର ଦେଶପାଣ୍ଡେ ଓ ସିସାଣ୍ଡା ମାଗାଲାଙ୍କ ଉପରେ ଏବେ ଦ୍ରୁତ ବୋଲିଂ ଭାର ରହିଥିବାବେଳେ ଜାଡେଜା, ମିଚେଲ ସାଣ୍ଟନର ସ୍ପିନ ବୋଲିଂ ଦାୟିତ୍ବ ତୁଲାଉଛନ୍ତି। ଏକାଧିକ ଖେଳାଳି ଆହତ ହେବା ଚେନ୍ନଇ ପାଇଁ ସମସ୍ୟା ହୋଇଥିବାବେଳେ ଫର୍ମରେ ଥିବା ରାଜସ୍ଥାନ ପାଇଁ ମ୍ୟାଚ ଜିତିବା ନେଇ ସୁଯୋଗ ରହିଛି।
Comments are closed.