www.samajalive.in
Monday, December 8, 2025
27.1 C
Bhubaneswar

ଦୁଇଦିନ ପ୍ରବଳ ବର୍ଷା

ଭୁବନେଶ୍ୱର: ପଶ୍ଚିମ-କେନ୍ଦ୍ର ଏବଂ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ୧୨ ଘଣ୍ଟା ଭିତରେ ଲଘୁଚାପର ରୂପ ନେବ। ଏହାର ପ୍ରଭାବରେ ଆଗାମୀ ଦୁଇ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି ଉପକୂଳବର୍ତ୍ତୀ ଜିଲାରେ ରବିବାର ରାତିରୁ ମଙ୍ଗଳବାର ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହି ସମୟରେ ମତ୍ସ୍ୟଜୀବୀମାନେ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ବାରଣ କରାଯାଇଛି। ଯେଉଁମାନେ ସମୁଦ୍ରରେ ଅଛନ୍ତି ସେମାନେ ରବିବାର ରାତି ସୁଦ୍ଧା କୂଳକୁ ଫେରି ଆସିବା ପାଇଁ ସତର୍କ କରାଯାଇଛି। ଲଘୁଚାପଜନିତ ସମ୍ଭାବ୍ୟ ବର୍ଷାର ମୁକାବିଲା ପାଇଁ ସତର୍କ ରହିବା ପାଇଁ ସରକାରଙ୍କ ପକ୍ଷରୁ ରାଜ୍ୟ ସମସ୍ତ ଜିଲାପାଳଙ୍କୁ ନିର୍ଦେଶ ଦିଆଯାଇଛି।
ଘୂର୍ଣ୍ଣିବଳୟ ପ୍ରଭାବରେ ରବିବାର ଠାରୁ ଉପକୂଳ ଜିଲାରେ ଆକାଶ ମେଘୁଆ ରହିବା ସହ ଝିପିଝପି ବର୍ଷା ଆରମ୍ଭ ହୋଇଛି। ବର୍ଷା ଯୋଗୁଁ ତାପମାତ୍ରା
ହ୍ରାସ ପାଇବା ସହ କୋହଲା ପାଗରେ ଶୀତ ଆରମ୍ଭ ହୋଇଛି। ତେବେ ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେଉଥିବାରୁ ଶୀତ ଲହରୀ ବଢ଼ିବାର ସମ୍ଭାବନା ରହିଛି। ସେହିପରି ଆଜି ରାତିରୁ ବର୍ଷାର ପ୍ରକୋପ ବଢ଼ିବାର ସମ୍ଭାବନା ରହିଛି। ଉପକୂଳ ଓଡ଼ିଶାର ଗଞ୍ଜାମ, ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲାରେ ଘଡ଼ଘଡ଼ି ସହ ବର୍ଷା ହେବ। ବର୍ଷା ଜନିତ ପରିସ୍ଥିତିର ମୁକାବିଲା ପଶଇଁ ଏହି ଜିଲାର ଜିଲାପାଳଙ୍କୁ ନିର୍ଦେଶ ଦିଆଯାଇଛି। ଅପରପକ୍ଷେ ଆଭ୍ୟନ୍ତରୀଣ ଜିଲାରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି କନ୍ଧମାଳ, ଗଜପତି, ଅନୁଗୋଳ, ରାୟଗଡ଼ା, ଢ଼େଙ୍କାନାଳ ଆଦି ଜିଲାରେ ବର୍ଷା ହୋଇପାରେ। ୩୧ ତାରିଖରୁ ବର୍ଷା ପରିମାଣ ହ୍ରାସ ପାଇବ।
ଫସଲ ସୁରକ୍ଷା ପାଇଁ ଚାଷୀଙ୍କୁ ଓୟୁଏଟି ପକ୍ଷରୁ ଜାରି ହେଲା ପରାମର୍ଶ
ଭୁବନେଶ୍ୱର,୨୮ା୧୦(ଭୁ.ପ୍ର): ବଙ୍ଗୋପସାରଗରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିବର୍ତ୍ତିତ ହେଉଥିବାରୁ ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ହେବ। ଉପକୂଳ ଜିଲାରେ ଏହାର ପ୍ରଭାବ ଅଧିକ ଦେଖାଦେବ। ବିଲରେ ପାଣି ଜମିବା ସହ ରୋଗ ପୋକ ଲାଗିବାର ସମ୍ଭାବନା ଥିବାରୁ ଫସଲ ସୁରକ୍ଷା ପାଇଁ ଓୟୁଏଟିର ସମ୍ପ୍ରସାରଣ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଚାଷୀଙ୍କୁ ପରାମର୍ଶ ଜାରି କରାଯାଇଛି। ପାଚି ଯାଇଥିବା ସଅଳ ଓ ମଧ୍ୟମ କିସମ ଧାନକୁ ଯଥାଶୀଘ୍ର କାଟିନେଇ ସୁରକ୍ଷିତ ସ୍ଥାନରେ ରଖିବା ସହ ଜମିରୁ ପାଣି ବାହାର କରିବା ପାଇଁ ଉପଯୁକ୍ତ ନାଳ ବ୍ୟବସ୍ଥା କରିବା ଆବଶ୍ୟକ। ବିଲରେ ଥିବା ସଅଳ କିସମ ଧାନ ଗଜା ନହେବା ପାଇଁ ବର୍ଷା ଛାଡ଼ିବା ପରେ ୨% ଲୁଣପାଣି ସିଞ୍ଚନ କରିବା ପାଇଁ ପରାମର୍ଶ ଦିଆଯାଇଛି। ବିଲରୁ ପାଣି ଛାଡ଼ିବା ପରେ ଧାନ, ପରିବା ଓ ଡ଼ାଲି ଜାତୀୟ ଫସଲରେ ରୋଗ ପୋକ ଲାଗିବାର ସମ୍ଭାବନା ଥିବାରୁ ଏହାର ପ୍ରତିକାର ବ୍ୟବସ୍ଥା କରିବା ଆବଶ୍ୟକ ବୋଲି ଓୟୁଏଟି ପକ୍ଷରୁ କୁହାଯାଇଛି। ବର୍ଷା ଯୋଗୁଁ ପଡ଼ି ଯାଇଥିବା ପନିପରିବା ଗଛ ମୂଳରେ ମାଟି ଦେଇ ସେଗୁଡ଼ିକୁ ସଳଖ କରିବା ଉଚିତ।
ଧାନ ବିଲରେ ଦେଖା ଦେଉଥିବା ମାଟିଆଗୁଣ୍ଡି ପୋକ ନିରାକରଣ ପାଇଁ ପାଣି ବାହାର କରିବା ସହ ପ୍ରତି ୬ ଫୁଟ୍‍ ବ୍ୟବଧାନରେ ପାହି ତିଆରି କରି ପ୍ରତି ଏକର ପିଛା ପାଇମେଟ୍ରୋଜିନ୍‍ ୫୦% ଡବ୍ଲୁଜି, ୧୨୦ ଗ୍ରାମ କିମ୍ବା ଡାଇନୋଟିଫ୍ୟୁରିନ୍‍ ୨୦% ଏସ୍‍ଜି ୮୦ ଗ୍ରାମ ଫ୍ଲୋନିକାମାଇଡ୍‍ ୫୦% ଡବ୍ଲୁଜି, ୬୦ ଗ୍ରାମ ୨୦୦ ଲିଟର ପାଣିରେ ମିଶାଇ ମୂଳରେ ସିଞ୍ଚନ କରିବା ଆବଶ୍ୟକ। ବର୍ଷା ଛାଡ଼ି ଖରାପାଗ ହେବା ପରେ ଦେଖା ଦେଉଥିବା କେଣ୍ଡାକଟା ପୋକର ନିରାକରଣ ପାଇଁ ଏକର ପିଛା କ୍ଲୋରୋପାଇରିଫସ୍‍ ୫୦% ସହ ସାଇପରମେଥ୍ରିନ ୫% ଇସି ୪୦୦ ମିଲି କିମ୍ବା ପ୍ରୋଫେନୋଫସ୍‍ ୫୦% ଇସି ୪୦୦ ମିଲି ୨୦୦ ଲିଟର ପାଣିରେ ମିଶାଇ ଅପରାହ୍ନରେ ସିଞ୍ଚନ କରାଯାଇ ପାରିବ। ବର୍ଷା ପରେ ଉତ୍ତାପ ହ୍ରାସ ପାଇଲେ ଗାନ୍ଧି ପୋକ ଲାଗୁ ଥିବାରୁ ଏକର ପ୍ରତି କ୍ଲୋରୋପାଇରିଫସ୍‍ ୧.୫% ୧୦ କିଲୋ ଗ୍ରାମ୍‍ ସିଞ୍ଚନ କରିବା ଆବଶ୍ୟକ। ଏହା ବ୍ୟତୀତ ମାଲାଥିଅନ୍‍ ୫୦% ଇ.ସି ୪୦୦ ମିଲି ୨୦୦ ଲିଟର ପାଣିରେ ମିଶାଇ ସକାଳେ ସିଞ୍ଚନ କରାଯାଇ ପାରିବ। ଧାନ ଫସଳରେ କେଣ୍ଡା ବାହାରିବା ଅବସ୍ଥାରେ କେଣ୍ଡା ଅଷ୍ଟପଦୀ ଲାଗିବାର ସମ୍ଭାବନା ରହିଛି। ଏହା ଦ୍ୱାରା କେଣ୍ଡାରେ ଧାନ କଳା ପଡିଯିବା ସହ ଧୂସର ରଙ୍ଗ ହୋଇଯାଏ। ସେହିପରି ବେକ ମହିଷା, ପତ୍ରାଚ୍ଛାଦ ସଢ଼ାରୋଗ, ବୀଜାଣୁଜନିତ ପତ୍ରପୋଡ଼ା ରୋଗ ହେବାର ସମ୍ଭାବନା ଥିବାରୁ ଏହାର ନିରାକରଣ ପାଇଁ କୃଷି ଅଧିକାରୀଙ୍କ ପରାମର୍ଶ ଅନୁସାରେ ଓøଷଧ ବ୍ୟବହାର କରିବା ଉଚିତ। ଅପରପକ୍ଷେ ବର୍ଷା ପରେ ପନିପରିବା ଓ ଡ଼ାଲି ଜାତୀୟ ଫସଲରେ ଜଉପୋକ, ପାଉଁଶିଆ ରୋଗ, ଝାଉଁଳା ରୋଗ ହେବାର ସମ୍ଭାବନା ରହିଛି। ଏସବୁ ରୋଗର ପ୍ରତିକାର ପାଇଁ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର ଅବା କୃଷି ସମ୍ପ୍ରସାରଣ କାର୍ଯ୍ୟାଳୟ ସହ ଯୋଗାଯୋଗ କରି ପରାମର୍ଶ ନେବାକୁ କୁହାଯାଇଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories