www.samajalive.in
Monday, December 8, 2025
17.1 C
Bhubaneswar

ପୁଣି ଶିଶୁ ସମେତ ୨ ମୃତଦେହ ଉଦ୍ଧାର

ପାରଳାଖେମୁଣ୍ଡି: ବାତ୍ୟା ତିତଲି ପ୍ରଭାବରେ ଗଜପତି ଜିଲାରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଧନଜୀବନ ନଷ୍ଟ ହୋଇଛି। ପୂର୍ବରୁ ୩୯ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ନିଖୋଜ ରହିଥିବା ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଥିଲା।
ଇତିମଧ୍ୟରେ ସେମାନଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରାଯାଇଛି। ଏଥିସହିତ ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ ପାଇଁ ପୁଲିସ ଓ ଜିଲା ପ୍ରଶାସନ ମିଳିତ ଭାବେ ଖୋଜାଖୋଜି କରୁଛନ୍ତି। ଖୋଜାଖୋଜି ବେଳେ ଆଜି ରାୟଗଡ ବ୍ଲକ୍‍ କଇଁପୁର ଗ୍ରାମ ପଞ୍ଚାୟତର ସୁଆବା ଗ୍ରାମର ମୃତ ଗୁଡୁରା ଶବରଙ୍କ ପୁଅ ଶେଖର ଶବର (୫୫)ଙ୍କର ମୃତଦେହ ଠାବ କରାଯାଇଛି। ଗାରାବନ୍ଧ ଥାନା ଅଧିକାରୀ ଭୂପତି ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ନିଜେ ପଥର ତଳେ ଚାପି ହୋଇଥିବା ଶେଖରଙ୍କ ମୃତଦେହ ବାହାର କରି ୫କି.ମି. ପର୍ଯ୍ୟନ୍ତ ବୋହି କଇଁପୁର ପର୍ଯ୍ୟନ୍ତ ଆଣିଥିଲେ। ସେଠାରୁ ଆମ୍ବୁଲାନ୍ସରେ ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ମୃତ ଶେଖରଙ୍କ ସ୍ତ୍ରୀ ଶୁକୁମାରୀ ଶବରଙ୍କ ଗତ ୪ ବର୍ଷ ତଳେ ମୃତ୍ୟୁ ଘଟିଥିଲା। ପୂର୍ବରୁ ମା’ ଓ ଏବେ ବାପାଙ୍କର ମୃତ୍ୟୁ ପରେ ଦୁଇଛୁଆ ୧୨ବର୍ଷର ଗଣପତି ଶବର ଏବଂ ୧୧ ବର୍ଷର ଝିଅ ମିଲି ଶବର ଅନାଥ ହୋଇଛନ୍ତି। ଏହି ଦୁଇ ନାବାଳକଙ୍କୁ ଆଜି ସନ୍ଧ୍ୟାରେ ଜିଲା ପ୍ରଶାସନ ପକ୍ଷରୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରାଯାଇ ସମସ୍ତ ଖର୍ଚ୍ଚ ଏବଂ ଦାୟିତ୍ୱ ବହନ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଜିଲାପାଳ ଅନୁପମ ସାହା କହିଛନ୍ତି। ଏଥିସହିତ ବର୍ତ୍ତମାନ ଦୁଇ ଅନାଥ ନାବାଳକଙ୍କୁ ନବଜୀବନ ଅନାଥ ଆଶ୍ରମରେ ରଖାଯାଇଛି। ଗତକାଲି କଇଁପୁର ଗ୍ରାମ ପଞ୍ଚାୟତର ମାଡା ଗ୍ରାମ ତ୍ରିନାଥ ରଇତଙ୍କ ୧୧ମାସର ଶିଶୁ ସଂବିତ ରଇତଙ୍କ ଶବ ଉଦ୍ଧାର କରାଯାଇଥିଲା। ବାତ୍ୟା ଦିନ ଶିଶୁଟି ଭାସିଯାଇ ବୁରାତାଲ ଗ୍ରାମ ନିକଟସ୍ଥ ପାହାଡ଼ ତଳେ ପଥରରେ ଲାଗିଥିବା ଅବସ୍ଥାରେ ଠାବ କରାଯାଇଥିଲା। ପୁଲିସ ଓ ଡାକ୍ତରୀଦଳ ଘଟଣାସ୍ଥଳକୁ ଯାଇ ଶବ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏବେ ବି ପୁଲିସ ଓ ଜିଲା ପ୍ରଶାସନ ପକ୍ଷରୁ ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ ପାଇଁ ତଲାସ ଚାଲିଛି ଓ ଖବର ସଂଗ୍ରହ କରାଯାଉଛି। ଆହୁରି ଅଧିକା ମୃତଦେହ ମିଳିବାର ସମ୍ଭାବନା ରହିଛି। ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ଜିଲାରେ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ନିଖୋଜଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ ଓ ତଲାସ କରାଯାଉଛି।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories