ରାଜସ୍ୱ ବିଭାଗ ତରଫରୁ ଜାତୀୟ ରାଜପଥ ଭୂ-ଅଧିଗ୍ରହଣ ସମୀକ୍ଷା ବୈଠକ-ତ୍ୱରିତ ଜମି ଅଧିଗ୍ରହଣ ଉପରେ ଗୁରୁତ୍ୱାରୋପ
ଭୁବନେଶ୍ୱର: ଆଜି ଭାରତ ସରକାରଙ୍କର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ତରଫରୁ ଓଡ଼ିଶାରେ ପୂର୍ତ୍ତ ବିଭାଗ ଦ୍ୱାରା କାର୍ଯ୍ୟକ୍ଷମ ହେଉଥିବା ସମସ୍ତ ଜାତୀୟ ରାଜପଥର ଜମି ଅଧିଗ୍ରହଣ ସଂପର୍କିତ ସମୀକ୍ଷା ବୈଠକ ଓଡିଶା ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଭାରତ ସରକାରଙ୍କର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ, ପୂର୍ତ୍ତ ବିଭାଗ, ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ ସମସ୍ତ କ୍ଷେତ୍ରାଧିକାରୀମାନେ ଯୋଗ ଦେଇଥିଲେ।
ବୈଠକରେ ଭାରତ ସରକାରଙ୍କର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀଗଣ ଗତ ୩ ମାସ ମଧ୍ୟରେ ବିଭିନ୍ନ ଜାତୀୟ ରାଜପଥ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇଥିବାରୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ରାଜସ୍ୱ ବିଭାଗର ଅଧିକାରୀମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ବୈଠକରେ ସମସ୍ତ ନିର୍ମାଣାଧୀନ ଜାତୀୟ ରାଜପଥ ପ୍ରକଳ୍ପ, ସମସ୍ତ ଅନୁମୋଦିତ ପ୍ରକଳ୍ପ ଓ ଅନ୍ୟାନ୍ୟ ଜାତୀୟ ରାଜପଥ ପ୍ରକଳ୍ପର ତ୍ୱରିତ ଜମି ଅଧିଗ୍ରହଣ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏହା ବ୍ୟତୀତ ଗତ ତିନି ମାସ ମଧ୍ୟରେ ବହୁ ଦାଖଲ ଖାରଜ ମାମଲା ହୋଇ ରେକର୍ଡ କରେକ୍ସନ ହୋଇ ଜାତୀୟ ରାଜପଥ ପ୍ରାଧିକରଣକୁ ଜମି ହସ୍ତାନ୍ତର କରାଯାଇଛି।
ସେହିପରି ଜାତୀୟ ରାଜପଥ ୨୬ରେ ନବରଙ୍ଗପୁରରୁ ବୋରିଗୁମ୍ମା ଓ ବରଗଡରୁ ବରପାଲ୍ଲୀ, ଜାତୀୟ ରାଜପଥ ୫୯ରେ ମୁଣ୍ଡମରାଇରୁ ରତନପୁର, ବ୍ରହ୍ମପୁର ବାଇପାସ, ଜାତୀୟ ରାଜପଥ ୪୯ରେ ଝାସରୁଗୁଡ଼ାରୁ ଭୋଜପୁର, ଜାତୀୟ ରାଜପଥ ୧୫୭ରେ ଭଂଜନଗରରୁ ଆସ୍କା, ଜାତୀୟ ରାଜପଥ ୫୭ରେ ନୟାଗଡରୁ ଖୋର୍ଦ୍ଧା ଓ ସୋନପୁରରୁ ମାଧପୁର, ଜାତୀୟ ରାଜପଥ ୨୨୦ରେ ତିରିଙ୍ଗରୁ ରାଇରଙ୍ଗପୁର, ଜାତୀୟ ରାଜପଥ ମାଲକାନଗିରିରୁ ମୋଟୁ ମଧ୍ୟରେ ସମସ୍ତ ଜମି ଅଧିଗ୍ରହଣ କାର୍ଯ୍ୟ ସମ୍ପୂର୍ଣ ହୋଇ ଜାତୀୟ ରାଜପଥ କାର୍ଯ୍ୟ ଆଗେଇ ଚାଲିଛି।
ବିଗତ ସମୀକ୍ଷା ବୈଠକ ପରେ ରାଜ୍ୟରେ ଜାତୀୟ ରାଜପଥର ଜମି ଅଧିଗ୍ରହଣ ନିମନ୍ତେ ଜମି ମାଲିକମାନଙ୍କୁ ପାଖାପାଖି ୮୮ କୋଟି ଟଙ୍କା କ୍ଷତିପୂରଣ ବାବଦରେଦିଆଯାଇଛି । ସେହିପରି ୧୪ ପ୍ରକଳ୍ପର ହାରାହାରି ୩୦୦ ହେକଫର ଜମି ଅଧିଗ୍ରହଣ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପଇସାରିଛି ଏବଂ ୧୩ ଜାତୀୟ ରାଜପଥ ପ୍ରକଳ୍ପର ଆକଳନ ସମାପ୍ତ ହୋଇ ୨୨୫ ହେକଫର ପାଇଁ ୩୦୯ କୋଟି ଟଙ୍କା ମଂଜୁର ହୋଇସାରିଛି।
ବିଭିନ୍ନ କ୍ଷେତ୍ରାଧିକାରୀମାନଙ୍କୁ ଜାତୀୟ ରାଜପଥର ଲଘୁ ଖଣିଜ ସମ୍ପଦର ଆବଶ୍ୟକତା ନିମନ୍ତେ ସାମୟିକ ଭାବେ ଲଘୁ ଖଣିଜ ଉତ୍ସ ଯୋଗାଇଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏତଦବ୍ୟତୀତ, ଜାତୀୟ ରାଜପଥ ନିର୍ମାଣ କରୁଥିବା କଂଟ୍ରାକଫରମାନଙ୍କୁ ବେଆଇନ ଲଘୁ ଖଣିଜ ସମ୍ପଦ ବ୍ୟବହାର ନ କରିବାକୁ ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଜମି ଅଧିଗ୍ରହଣ ସମ୍ପୂର୍ଣ୍ଣ ପରେ ଅଧିକାରୀମାନେ ତୁରନ୍ତ କାମ ଆରମ୍ଭ ଓ ତ୍ୱରାନ୍ୱିତ କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଅତିରିକ୍ତ ମୁଖ୍ୟ ଶାସନ ସଚିବ ହିତାଧିକାରୀଙ୍କୁ ନିୟମ ଅନୁଯାୟୀ ପ୍ରାପ୍ୟ ବଣ୍ଟନ ପରେ ତତ୍କାଳ ଦାଖଲ ଖାରଜ ଫଇସଲା କରି ଜମି ହସ୍ତାନ୍ତର ଉପରେ ଗୁରୁତ୍ୱାରୋପ କରିଥିଲେ।
ଏଠାରେ ସୂଚନାଯୋଗ୍ୟ ଯେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ମାସିକ ସମୀକ୍ଷା ବୈଠକ କରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି।
Comments are closed.