www.samajalive.in
Monday, December 8, 2025
27.1 C
Bhubaneswar

ଦୁର୍ଗମ ଅଞ୍ଚଳରେ ପଡ଼ିଲା ବିକାଶର ମୂଳଦୁଆ; ଥଇଥାନ ହେବେ ୮ ଆଦିବାସୀ ପରିବାର

ଲାଞ୍ଜିଗଡ଼଼ : ଦିନଥିଲା ଆଠଗୋଟି ଆଦିବାସୀ ପରିବାର ପାଇଁ ଦୁଃଖ ଥିଲା ଚିରସହଚର। ଯୋଗାଯୋଗ ପାଇଁ ନା ଥିଲା ରାସ୍ତା, ନା ପିଇବାପାଣି ପାଇଁ ନଳକୂପଟିଏ। ବିଜୁଳି ତ ଥିଲା ସାତସପନ। ପିଇବା ପାଣି ଟୋପେ ପାଇଁ ପାହାଡ଼ ଉପରୁ ଚାରିଶହ ଫୁଟ ତଳକୁ ଓହ୍ଲାଇବାକୁ ପଡୁଥିଲା। କାହାର ଦେହ ଖରାପ ହେଲେ ତ କଥାସରିଲା। ଯାହା ଭାଗ୍ୟ ହିଁ ଭରସା। ଏପରି ପରିସ୍ଥିତିରେ ସରକାରଙ୍କ ମୌଳିକ ସୁବିଧା ତ ସେମାନଙ୍କ ପାଇଁ ଦୂରୁହ ବ୍ୟାପାର ଥିଲା। ଏପରି ଦୁର୍ଦ୍ଦିନ ମଧ୍ୟରେ ମାଟି କାମୁଡ଼ି ପଡ଼ି ରହିଥିଲେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼଼ ବ୍ଲକ ଲାଞ୍ଜି ଗ୍ରାମପଞ୍ଚାୟତର ନଙ୍ଗଳବାହାଲି ଗାଁର ଲୋକେ। କିଛି ବର୍ଷ ହେଲା ବ୍ଲକ ପ୍ରଶାସନ ପକ୍ଷରୁ ଗାଁର ଲୋକଙ୍କୁ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବାକୁ ପ୍ରୟାସ କରାଯାଇଥିଲା। ହେଲେ ରାସ୍ତା ଅଭାବରୁ ତାହା ସମ୍ଭବ ହୋଇପାରୁନଥିଲା। ସେମାନଙ୍କୁ ପାହାଡ଼ରୁ ତଳକୁ ଓହ୍ଲାଇ ଆଣିବା ପାଇଁ ପ୍ରୟାସ କରାଯାଇଥିଲେ ହେଁ ତାହା ସମ୍ଭବ ହୋଇପାରିନଥିଲା। ତେବେ ଲାଞ୍ଜିଗଡ଼଼ ବ୍ଲକରେ ବିଡିଓ ଭାବେ ନିଜର ପ୍ରଥମ ନିଯୁକ୍ତି ପରେ ଯୁବ ପ୍ରଶାସକ ଜିତେନ୍ଦ୍ର କୁମାର ମିଶ୍ର ଲାଞ୍ଜିଗଡ଼଼ ବ୍ଲକର ବିଭିନ୍ନ ସମସ୍ୟା ସଂପର୍କରେ ଅବଗତ ହେବାକୁ ଦୁର୍ଗମାଞ୍ଚଳ ସବୁ ଗସ୍ତ କରିବା ସହିତ ସେସବୁର ସମାଧାନ ପାଇଁ ଉଦ୍ୟମ ଆରମ୍ଭ କରିଥିଲେ। ଏଥିପାଇଁ ସେ ସରକାରଙ୍କ ବିଭିନ୍ନ ଯୋଜନାଗୁଡ଼ିକୁ ଆହୁରି କ୍ରିୟାଶୀଳ କରିବାକୁ ଯାଇ ନିଜସ୍ୱ କାର୍ଯ୍ୟକ୍ରମ ସବୁ ଲାଗୁ କରିଥିଲେ। ସେଥିମଧ୍ୟରୁ କରୋନା କାଳରେ ‘ସୁସ୍ଥ ଗାଁ, ସ୍ୱଚ୍ଛ ଗାଁ’, ପ୍ରତି ମଙ୍ଗଳବାରରେ ‘ପଞ୍ଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣି’, ମନରେଗା ଯୋଜନା ପାଇଁ ‘ମିଶନ ସୂର୍ଯ୍ୟୋଦୟ’ ସହିତ ଦୁର୍ଗମ ଅଞ୍ଚଳର ଗାଁଗୁଡ଼ିକୁ ମୁଖ୍ୟସ୍ରୋତରେ ସାମିଲ କରିବାକୁ ଆରମ୍ଭ କରିଥିଲେ ‘ଗାଁକୁ ଚାଲ ଅଭିଯାନ’।

ବ୍ଲକ ପ୍ରଶାସନର ଏଇ ପାଇଲଟ୍‍ ପ୍ରକଳ୍ପଗୁଡ଼ିକ ପ୍ରତି ଲୋକଙ୍କ ଆଗ୍ରହ ଯୋଗୁଁ ଧିରେଧିରେ ସେସବୁ ସଫଳତା ଆଡ଼କୁ ଗତି କରୁଛି। ଏହି କ୍ରମରେ କାନକୁଟ୍ରୁ ଗ୍ରାମପଞ୍ଚାୟତର ପାହାଡ଼ ଉପରେ ଥିବା ବାରଗୁଡ଼ା ଗାଁର ୧୬ଟି ପରିବାର ପାହାଡ଼ରୁ ତଳକୁ ଓହ୍ଲାଇବା ପାଇଁ ରାଜି ହେବା ପରେ ସେମାନଙ୍କ ପାଇଁ ଦିଆଲବାହାଲିଠାରେ ପ୍ରଶାସନ ତିଆରି କରିଥିଲା ଆବାସନଗର। ଆବାସନଗରର ସଫଳତା ପରେ ବିଡିଓ ଶ୍ରୀ ମିଶ୍ର ଉତ୍ସାହିତ ହୋଇପଡ଼ିବା ସହିତ ଲାଞ୍ଜି ଗ୍ରାମପଞ୍ଚାୟତର ଏହି ନଙ୍ଗଳବାହାଲିକୁ ବାଛିଥିଲେ। ୧୫ଶହ ଫୁଟ ଉଚ୍ଚ ପାହାଡ଼ ଉପରେ ଥିବା ଆଦିବାସୀଙ୍କ ଉପର ନଙ୍ଗଳବାହାଲି ଗାଁକୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଅଲେଖ ସାଙ୍କ ସହିତ ପାଦରେ ଚାଲିଚାଲି ଯାଇ ପହଞ୍ଚିଥିଲେ ଓ ଲୋକଙ୍କ ଅବସ୍ଥା ଦେଖି ପାହାଡ଼ ତଳକୁ ଓହ୍ଲାଇ ଆସିବା ପାଇଁ ବୁଝାଇଥିଲେ। ବହୁ କଷ୍ଟରେ ଲୋକେ ମଧ୍ୟ ବୁଝିଗଲେ। ତଳକୁ ଓହ୍ଲାଇ ଆସିବାକୁ ରାଜି ହେଲେ। ତାପରେ ଶ୍ରୀ ମିଶ୍ରଙ୍କ ଦାୟିତ୍ୱ ବଢ଼଼ିଗଲା। ସେ ପ୍ରୟାସ ଆରମ୍ଭ କଲେ ସେହି ଆଦିବାସୀଙ୍କ ସୁବିଧା ପାଇଁ। ଆରମ୍ଭ ହେଲା ସ୍ୱପ୍ନର ପ୍ରକଳ୍ପ ‘ବିକାଶ ନଗର’। ତାହା ସ୍ଥାପନ ପାଇଁ ଗାଁ ୧ ହଜାର ଫୁଟ ତଳେ ଜାଗା ଚିହ୍ନଟ ହେଲା। ବର୍ତ୍ତମାନ ସେଇ କାମ ଜୋରସୋରରେ ଆଗେଇ ଚାଲିଛି କାମ। ୮ଟି ପରିବାରର ଲୋଟି ମାଝୀ, ବୁଟି ମାଝୀ, ଟିଙ୍ଗୁ ମାଝୀ, ଖୁଣଜା ମାଝୀ, ବେଣ୍ଡା ମାଝୀ, ଗଦା ମାଝୀ, ଦୂତା ମାଝୀ ଓ ଘାସି ମାଝୀଙ୍କ ପାଇଁ ୮ଟି ଘର ତିଆରି ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସେମାନଙ୍କ ପାଇଁ ରାସ୍ତା, ପାନୀୟଜଳ, ଚେକଡ୍ୟାମ, ବିଜୁଳିର ସୁବିଧା ପାଇଁ ପ୍ରଶାସନ ଉଦ୍ୟମ ଜାରି ରଖିଛି। ଆଦିବାସୀଙ୍କ ଧର୍ମୀୟ ଭାବନାର ପ୍ରତୀକ ଧରନୀ ଗୁଡ଼ି ବି ସେଠାରେ ତିଆରି କରାଯିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ଲାଞ୍ଜି ପଞ୍ଚାୟତ ନିର୍ବାହୀ ଅଧିକାରୀ ଅଲେଖ ସା, କନିଷ୍ଠ ଯନ୍ତ୍ରୀ ଗୋଲକ ବିହାରୀ ଭୋଇ ଏବଂ ନିଜେ ବିଡିଓ ଶ୍ରୀ ମିଶ୍ର ବାରମ୍ବାର ଗାଁକୁ ଯାଇ କାର୍ଯ୍ୟର ତଦାରଖ କରୁଛନ୍ତି। ଶ୍ରୀ ମିଶ୍ରଙ୍କ ଏଭଳି ଉଦ୍ୟମକୁ ସାଧାରଣରେ ବେଶ୍‍ ପ୍ରଶଂସା କରାଯାଉଛି।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories