ଭୁବନେଶ୍ବର: ନୀଳଗିରିର ଜଣେ ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇବା ଘଟଣାରେ ନୀଳଗିରି ଥାନା ଆଇଆଇସି ଦ୍ରୌପଦୀ ଦାସଙ୍କୁ ବଦଳି କରାଯାଇଛି। ଏହି ମାମଲାର ତଦନ୍ତ ଅଧିକାରୀ ସୁବର୍ଣ୍ଣା ବେହେରାଙ୍କୁ ମଧ୍ୟ ବଦଳି କରାଯାଇଛି। ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ଉଭୟଙ୍କୁ ଜିଲା ମୁଖ୍ୟାଳୟକୁ ବଦଳି ହୋଇଛି ବୋଲି ପୂର୍ବାଞ୍ଚଳ ଇନଚାର୍ଜ ଆଇଜି ନରସିଂହ ଭୋଳ ସୂଚନା ଦେଇଛନ୍ତି।
ସୂଚନା ମୁତାବକ ଦୁଇଦିନ ପୂର୍ବରୁ ସାମ୍ବାଦିକ ଲୋକନାଥ ଦଳାଇ ପରିବା ମାର୍କେଟକୁ ଯାଇଥିଲେ। ନିଜର ମୋଟର ସାଇକଲ ବୁଲାଇବା ସମୟରେ ଅପରପକ୍ଷରୁ ଏକ ମୋଟର ସାଇକଲରେ ଆସୁଥିବା ଗୃହରକ୍ଷୀ ନିରଞ୍ଜନ ରଣା ତାଙ୍କୁ ଧକ୍କା ଦେଇଥିଲେ। ଏହି ସମୟରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଲୋକନାଥଙ୍କୁ ପୁଲିସ ଗିରଫ କରିବା ସହ କାର୍ଯ୍ୟାନୁଷ୍ଠାନ ନେଇଛି । ଖାଲି ସେତିକି ନୁହେଁ ଥାନାରେ ପୁଲିସ ବାବୁ ଲୋକନାଥଙ୍କୁ ମାଡ଼ ମାରିଥିବା ମଧ୍ୟ ଅଭିଯୋଗ ହୋଇଛି । ବର୍ତ୍ତମାନ ଲୋକନାଥ ଦଳାଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।



