www.samajalive.in
Monday, December 8, 2025
27.1 C
Bhubaneswar

ଡ୍ରୋନ ସହାୟତାରେ ଖଣି ଓ ମହଜୁଦ ସାମଗ୍ରୀ ଉପରେ ନଜର ରଖିବ ଟାଟା ଷ୍ଟିଲ

ବେଙ୍ଗାଲୁରୁ: ଟାଟା ଷ୍ଟିଲର ବିଭିନ୍ନ ଖଣି ଓ ସାମଗ୍ରୀ ମହଜୁଦ ସ୍ଥଳ ଉପରେ ଡ୍ରୋନ ସାହାଯ୍ୟରେ ନଜର ରଖାଯିବ । ତାହାସହିତ ମହଜୁଦ ସାମଗ୍ରୀ ଓ ଖଣିଜ ପଦାର୍ଥର ଆକଳନ ମଧ୍ୟ ଡ୍ରୋନ କରିବ । ସେଥିପାଇଁ ଡ୍ରୋନ ସମାଧାନ ପ୍ରଦାନକାରୀ ଷ୍ଟାର୍ଟ-ଅପ୍‍ ଏୟୁଏସ (ଆରଭ ଅନ୍‍ମ୍ୟାନଡ ସିଷ୍ଟମ୍ସ)କୁ ଡ୍ରୋନ ଭିତ୍ତିକ ଉନ୍ନତ ଔଦ୍ୟୋଗିକ ସମାଧାନ ସେବା ଯୋଗାଇଦେବାକୁ ଟାଟା ଷ୍ଟିଲର ବିବିଧ ବ୍ୟବସାୟିକ ଶାଖା ପକ୍ଷରୁ ଏକାଧିକ ଦୀର୍ଘକାଳୀନ ଠିକା ପ୍ରଦାନ କରାଯାଇଛି । ଏୟୁଏସ୍‍ର ଡ୍ରୋନଗୁଡିକ ଟାଟା ଷ୍ଟିଲକୁ ତାହାର ଖଣିଗୁଡିକ ଅଧିକ ଦକ୍ଷତାର ସହିତ ପରିଚାଳନା କରିବା ଏବଂ ଉତ୍ପାଦିକତା ବୃଦ୍ଧି କ୍ଷେତ୍ରରେ ସହାୟତା କରିବା ଏବଂ ଉଚ୍ଚତର ନିୟାମକ ସର୍ତ୍ତ ପରିପାଳନ ଏବଂ ନିରାପତ୍ତା ବଜାୟ ରଖିବାରେ ସହାୟତା କରିବା ଆଶା କରାଯାଉଛି । ଏୟୁଏସର ଡ୍ରୋନ ସମାଧାନ ଟାଟା ଷ୍ଟିଲର ପ୍ରକଳ୍ପ ଟିମ୍‍ ଗୁଡିକୁ ଓଡ଼ିଶାର କଳିଙ୍ଗନଗର ଠାରେ ଆଗାମୀ ସମ୍ପ୍ରସାରିତ କାରଖାନା ନିର୍ମାଣ ଅଗ୍ରଗତି ଅନୁଧ୍ୟାନ କରିବାରେ ମଧ୍ୟ ସହାୟତା କରୁଛି । ଏହି ସମନ୍ୱିତ ଇସ୍ପାତ କମ୍ପେ୍ଲକ୍ସ ଭାରତରେ ସର୍ବବୃହତ ହେବ ଏବଂ ଏହାର କ୍ଷମତା ୮ ନିୟୁତ ଟନ୍‍ ହେବ । ଟାଟା ଷ୍ଟିଲ କର୍ପୋରେଟ ଅଡିଟ ଟିମ୍‍ ପକ୍ଷରୁ ପ୍ରଦାନ କରାଯାଇଥିବା ଆଉ ଏକ ଠିକାରେ ଟାଟା ଷ୍ଟିଲ ଉଦ୍ୟୋଗଗୁଡିକର ଦେଶରେ ଥିବା ସମସ୍ତ ୨୩ଟି ସ୍ଥାନରେ ମହଜୁଦ ସାମଗ୍ରୀ ସମ୍ପର୍କରେ ଡ୍ରୋନ ଆଧାରିତ ଯାଞ୍ଚ କରିବାକୁ ଏୟୁଏସ ଏକ ଦୁଇ ବର୍ଷିଆ ଚୁକ୍ତି ସ୍ୱାକ୍ଷର କରିଛି । ଟାଟା ଷ୍ଟିଲର ପ୍ରାକୃତିକ ସମ୍ପଦ ଡିଭିଜନ ପାଇଁ ଏୟୁଏସ ଟାଟା ଷ୍ଟିଲ ଲିମିଟେଡର ଖଣି ଲିଜ ସମ୍ପର୍କରେ ମାସିକ ଭିତ୍ତିରେ ଡ୍ରୋନ ସହାୟତାରେ ସର୍ବେକ୍ଷଣ କରିବ ଏବଂ ଉଚ୍ଚସ୍ତରୀୟ ଖଣି ସମ୍ପର୍କିତ ବିଶ୍ଳେଷଣାତ୍ମକ ତଥ୍ୟ ପ୍ରଦାନ କରିବ । ଆଭ୍ୟନ୍ତରୀଣ ସର୍ବେକ୍ଷଣ ଆବଶ୍ୟକତା ପୂରଣ କରିବା ତଥା ଗବେଷଣା ଓ ବିକାଶ କାର୍ଯ୍ୟକ୍ରମଗୁଡିକ ପାଇଁ ଆବଶ୍ୟକ ସେବା ଯୋଗାଇଦେବାକୁ ତିନିଟି ସର୍ବେକ୍ଷଣ ମାନର ଡ୍ରୋନ କିଣିବାକୁ ମଧ୍ୟ ଟାଟା ଷ୍ଟିଲ ଲିମିଟେଡ ଏୟୁଏସ୍‍ ସହିତ ଏକ ଚୁକ୍ତିରେ ସ୍ୱାକ୍ଷର କରିଛି । ଡ୍ରୋନ ପରିଚାଳନା ପାଇଁ ଏୟୁଏସ୍‍ ଏବଂ ଟାଟା ଷ୍ଟିଲ ସମସ୍ତ ୨୩ଟି ଖଣି, କାରଖାନା ଏବଂ କଞ୍ଚାମାଲ ମହଜୁଦ ସ୍ଥଳ ପାଇଁ ଏକବର୍ଷ ନିମନ୍ତେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ନିକଟରୁ ଆବଶ୍ୟକ ଅନୁମତି ହାସଲ କରିଛନ୍ତି । ଟାଟା ଷ୍ଟିଲ ପ୍ରତିଷ୍ଠାନଗୁଡିକରେ ଡ୍ରୋନ ପରିଚାଳନା କରିବାକୁ ଏକବର୍ଷ ପାଇଁ ଏୟୁଏସ୍‍ର ଏସଓପିକୁ ଡିଜିସିଏ ଅନୁମୋଦନ କରିଛି । ଏହାଦ୍ୱାରା ୧୦୦% ନିୟାମକ ସର୍ତ୍ତ ପରିପାଳନ ସହିତ ଟାଟା ଷ୍ଟିଲ ପାଇଁ ସମସ୍ତ କାର୍ଯ୍ୟ ପରିଚାଳନା ସୁନିଶ୍ଚିତ ହୋଇପାରିବ ବୋଲି ଟାଟା ଷ୍ଟିଲ ଲିମିଟେଡର ପ୍ରାକୃତିକ ସମ୍ପଦ ଡିଭିଜନ ମୁଖ୍ୟ ପିୟୁଷ ଶ୍ରୀବାସ୍ତବ କହିଛନ୍ତି ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories