www.samajalive.in
Sunday, December 7, 2025
15.1 C
Bhubaneswar

କଂଗ୍ରେସର ଓଡ଼ିଶା ହରତାଳ ଶାନ୍ତିପୂର୍ଣ୍ଣ : ନ୍ୟାୟ ନମଳିବା ଯାଏ ଆନ୍ଦୋଳନ ଜାରି ରହିବ

ଭୁବନେଶ୍ୱର : ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ରାଜ୍ୟ ଗୃହରାଷ୍ଟ୍ରନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ପ୍ରଦେଶ କଂଗ୍ରେସ ପକ୍ଷରୁ କରାଯାଇଥିବା ୬ ଘଣ୍ଟିଆ ଧର୍ମଘଟ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। ସକାଳେ ଲଘୁଚାପଜନିତ ବର୍ଷା ସତ୍ତ୍ବେ କଂଗ୍ରେସ କର୍ମୀ ଓ ନେତାମାନେ ହରତାଳ କରି ଦାବି ଉପସ୍ଥାପନ କରିଥିଲେ। ଝିପି ଝିପି ବର୍ଷା ସାଙ୍ଗକୁ କଂଗ୍ରେସ ହରତାଳ ଯୋଗୁଁ ରାଜଧାନୀ ରାସ୍ତାରେ ଯାନବାହନ ଚଳାଚଳ କେତେକାଂଶରେ ବାଧାପ୍ରାପ୍ତ ହୋଇଥିଲା। ରାଜ୍ୟରେ କଂଗ୍ରେସର ହରତାଳ ସମୟରେ କୌଣସି ଠାରେ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିନାହିଁ । ସରକାରୀ କାର୍ଯ୍ୟାଳୟ, ବିଦ୍ୟାଳୟ ଓ ମହାବିଦ୍ୟାଳୟ ସହିତ ରେଳଚଳାଚଳ ଏବଂ ବସ ଚଳାଚଳ ସ୍ବାଭାବିକ ଥିବା ଦେଖିବାକୁ ମିଳିଥିଲା। ତେବେ ଜନସ୍ୱାର୍ଥ ମାମଲା ଉପରେ ଗତକାଲି ଉଚ୍ଚନ୍ୟାୟାଳୟଙ୍କ ରାୟ ପ୍ରକାଶ ପାଇବା ପରେ କଂଗ୍ରେସ ନରମ ରାସ୍ତା ଆପଣେଇ ଧର୍ମଘଟକୁ ବାହାରିଥିଲା। ମମିତା ମେହେରକୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ କଂଗ୍ରେସ ଆନ୍ଦୋଳନ ଜାରି ରହିବ ବୋଲି ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ କହିଛନ୍ତି।
ମା’ ଭଉଣୀଙ୍କୁ ସମ୍ମାନ ଦେବାକୁ ଯାଇ ସାଧାରଣ ଜନତା ଯେଭଳି ଧର୍ମଘଟକୁୁ ସ୍ୱତଃପ୍ରବୃତ ଭାବେ ସମର୍ଥନ କଲେ ସେଥିପାଇଁ ସେମାନଙ୍କୁ ଏବଂ ୩୩ ଗୋଟି ସାଙ୍ଗଠନିକ ଜିଲାର କଂଗ୍ରେସ ନେତୃବୃନ୍ଦ ଓ ସମସ୍ତ ଛାମୁଆ ସଂଗଠନକୁ କୃତଜ୍ଞତା ଜଣାଇଛନ୍ତି ପ୍ରଦେଶ କଂ​‌ଗ୍ରେସ କମିଟି( ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ। ହରତାଳ ପରେ କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଚିରଞ୍ଜିବୀ ବିଶ୍ୱାଳ କହିଥିଲେ ଯେ ଧର୍ମଘଟ ରାଜ୍ୟରେ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। କଂଗ୍ରେସର ଏହି ଧର୍ମଘଟ ଡାକରାରେ ବିରୋଧି ବିଜେଡ଼ି ସରକାର ଭୟଭୀତ ହୋଇ ଏହାକୁ ଭଣ୍ଡୁର କରିବା ଲାଗି ପରୋକ୍ଷରେ ଉଚ୍ଚନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲା। ହେଲେ କଂଗ୍ରେସ କର୍ମୀ ଅଦାଲତଙ୍କ ରାୟକୁ ସମ୍ମାନ ଜଣେଇ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରିଛନ୍ତି। ତେବେ ସଂଗ୍ରାମ ଏଇଠି ଶେଷ ହୋଇ ନାହିଁ, ଏ ଲଢ଼େଇ ଆଗାମୀ ଦିନରେ ଜାରି ରହିବ ବୋଲି ସେ କହିଥିଲେ।
ମମିତା ମେହେରଙ୍କ ପରିବାରକୁ ଯେପର୍ଯ୍ୟନ୍ତ ନ୍ୟାୟ ମିଳିନି, ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାଯାଇନାହିଁ ଓ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇନାହାନ୍ତି ସେ ପର୍ଯ୍ୟନ୍ତ କଂଗ୍ରେସ ଚୁପ ରହିବ ନାହିଁ। ସମ୍ମିଳନୀରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଥିଲେ ଯେ ବିଜେଡ଼ି ସରକାର ଅହଙ୍କାର ସୀମା ଟପିଛି। ମମିତା ମେହେରଙ୍କୁ ନ୍ୟାୟ ଦେବା ପାଇଁ କଂଗ୍ରେସ ବନ୍ଦ ଡାକରା ଦେଇଥିଲା। ନୂଆକରି କଂଗ୍ରେସ ଧର୍ମଘଟ ପାଳନ କରୁନାହିଁ। ରାଜ୍ୟ ସରକାର ନ୍ୟାୟାଳୟକୁ ଯାଇ ବନ୍ଦକୁ ଭଣ୍ଡୁର କରିବା ପାଇଁ ପ୍ରୟାସ କରିଛନ୍ତି। ରାଜ୍ୟରେ କେବଳ ମମିତା ମେହେର ପ୍ରସଙ୍ଗ ନୁହେଁ, ବେବିନା, କୁନ୍ଦୁଲି, ମାଧବୀଲତା ଭଳି ଅନେକ ଘଟଣା ବିଜେଡି ସରକାରର ଅସଲ ଚେହେରାକୁ ପଦାରେ ପକାଇଛି। ରାଜ୍ୟ ସରକାର ବନ୍ଦକୁ ବିଫଳ କରିବା ପାଇଁ ଯେଉଁ ଉଦ୍ୟମ କରିଥିଲେ ସେଥିରେ ସଫଳ ହୋଇପାରିନାହାନ୍ତି। ମୁଖ୍ୟମନ୍ତ୍ରୀ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ କଳାହାଣ୍ଡିରେ ଗୋଟିଏ ମଞ୍ଚରେ ପାଖରେ ବସାଇ ସୁରକ୍ଷା ଦେଉଥିବା କଥା ସ୍ପଷ୍ଟ ହୋଇଛି।
ଏଆଇସିସି ସମ୍ପାଦକ ଶରତ ରାଉତ କହିଛନ୍ତି ଯେ ଯେଉଁମାନେ ଉଚ୍ଚନ୍ୟାୟାଳୟରେ ବନ୍ଦ ବିରୋଧରେ ମକଦ୍ଦମା ଲଢ଼ୁଥିଲେ, ସେମାନେ ବିଜେଡ଼ି ଆଇନ ଶାଖାର କର୍ମକର୍ତ୍ତା। ସେହିପରି ବିଧାୟକ ସନ୍ତୋଷ ସିଂ ସାଲୁଜା କହିଥିଲେ ଯେ ମମିତା ମେହେରଙ୍କୁ ଯେଉଁଭଳି ଭାବେ ହତ୍ୟା କରାଗଲା ତାହା ସାଂଘାତିକ ଘଟଣା। ଏହି ଘଟଣାରେ ଅଭିଯୁକ୍ତ ଥିବା ମନ୍ତ୍ରୀ ଶ୍ରୀ ମିଶ୍ର ବିଦ୍ୟାଳୟରେ ରାତ୍ରିଯାପନ କରୁଥିଲେ ବୋଲି ନିଜେ କହିଛନ୍ତି, ପୁଲିସ କିନ୍ତୁ କେବଳ ଗୋବିନ୍ଦ ସାହୁଙ୍କୁ ଗିରଫ କରିଛି ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିନାହିଁ। ସମ୍ମିଳନୀରେ ପିସିସି ବରିଷ୍ଠ କଂଗ୍ରେସ ଉପସଭାପତି ଡ. ଦେବାଶିଷ ପଟ୍ଟନାୟକ, ଯଜ୍ଞେଶ୍ୱର ବାବୁ ଓ ମନୋଜ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories