ଶାହରୁଖଙ୍କ ପ୍ରତୀକ୍ଷାର ଅନ୍ତ; କାରାଗାରରୁ ବାହାରିଲେ ଆର୍ୟନ; ହାଇକୋର୍ଟଙ୍କ ଜାମିନ ବଳରେ ମୁକୁଳିଲେ
ମୁମ୍ବଇ: ଦୀର୍ଘ ତିନି ସପ୍ତାହ ପ୍ରତୀକ୍ଷାର ଅନ୍ତ ଘଟାଇ ଶେଷରେ ଶାହରୁଖ ଖାଁଙ୍କ ପୁଅ ଆର୍ୟନ ଖାଁ ସ୍ଥାନୀୟ ଆର୍ଥର ରୋଡ କାରଗାରରୁ ଛାଡ ପାଇଛନ୍ତି । କ୍ରୁଜ ନିଶାସେବନ ମାମଲାରେ ଗିରଫ ହୋଇଥିବା ଆର୍ୟନଙ୍କ ଜାମିନ ବମ୍ବେ ହାଇକୋର୍ଟ ମଞ୍ଜୁର କରିବା ପରେ ତାଙ୍କୁ କାରାଗାରରୁ ଛାଡ ମିଳିଛି । ଏଥିସହିତ ବଲିଉଡ ସୁପରଷ୍ଟାର ଶାହରୁଖ ଖାଁ ଆଶ୍ୱସ୍ତ ହୋଇଛନ୍ତି । ଗୁରୁବାର ଦିନ ଉଚ୍ଚ ନ୍ୟାୟାଳୟରେ ଶୁଣାଣି ପରେ ତାଙ୍କୁ ଜାମିନ ମଞ୍ଜୁର କରାଯାଇଥିଲା । ଶୁକ୍ରବାର ସେ କାରଗାରରୁ ମୁକୁଳିବା ଆଶା ଥିଲା, କିନ୍ତୁ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତିରେ ବିଳମ୍ବ କାରଣରୁ ତାଙ୍କୁ ଆଉ ଗୋଟିଏ ରାତି କାରାଗାରରେ କଟାଇବାକୁ ପଡିଥିଲା । ଶେଷରେ ଶନିବାର ପୂର୍ବାହ୍ନରେ ସେ ମୁକ୍ତ ହୋଇଛନ୍ତି । ସୂଚନାଯୋଗ୍ୟ ଯେ ଏହି ମାମଲାରେ ୨୩ ବର୍ଷ ବୟସ୍କ ଆର୍ୟନଙ୍କ ସହିତ ଆଉ ୭ ଜଣ ଗିରଫ ହୋଇଥିଲେ । ତଳକୋର୍ଟରେ ତାଙ୍କର ଜାମିନ ନାମଞ୍ଜୁର ହେବାପରେ ତାଙ୍କ ଓକିଲ ହାଇକୋର୍ଟରେ ଅପିଲ କରିଥିଲେ । ହାଇକୋର୍ଟରେ ଦୀର୍ଘ ସମୟ ଶୁଣାଣି ପରେ ତାଙ୍କୁ ୧୪ଟି ସର୍ତ୍ତରେ ଜାମିନ ଦିଆଯାଇଥିଲା । ସେଥିମଧ୍ୟରେ ୧ ଲକ୍ଷ ଟଙ୍କାର ସ୍ୟୁରିଟି ବଣ୍ଡ୍, ପାସପୋର୍ଟ ଜମା ଦେବା, ପ୍ରତି ସପ୍ତାହରେ ଏନସିବି ଦପ୍ତରରେ ଯାଇ ହାଜିରା ପକାଇବା ଆଦି ଅନ୍ତର୍ଭୁକ୍ତ । ହାଇକୋର୍ଟ ମଧ୍ୟ ଆର୍ୟନଙ୍କ ସହିତ ଅନ୍ୟ ଦୁଇ ଅଭିଯୁକ୍ତ ଅରବାଜ ମର୍ଚ୍ଚାଣ୍ଟ ଏବଂ ମୁନମୁନ ଧମେଚାଙ୍କୁ ଏହି ମାମଲାରେ ଜାମିନ ପ୍ରଦାନ କରିଛନ୍ତି । ଆର୍ୟନଙ୍କୁ ଆଣିବାକୁ ତାଙ୍କ ବାପା ଶାହରୁଖ ଖାଁ ଶନିବାର ସକାଳେ ନିଜ ବାସଭବନ ‘ମନ୍ନତ’ରୁ ନିଜ ସହଯୋଗୀଙ୍କ ସହିତ କାରାଗାରକୁ ଯାଇଥିଲେ । ତାଙ୍କ ସହିତ ମୋଟ ୩ଟି ଏସୟୁଭିରେ ତାଙ୍କ ଅଙ୍ଗରକ୍ଷୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ । ଆର୍ୟନ ସ୍ୱଗୃହକୁ ଫେରିବା ପୂର୍ବରୁ ମନ୍ନତକୁ ଦୀପାବଳି ପୂର୍ବରୁ ରଙ୍ଗିନ ଆଲୋକମାଳାରେ ସଜାଯାଇଛି ।
Comments are closed.