ଆଠଗଡ : ଆଠଗଡ ବ୍ଲକ ଅନ୍ତର୍ଗତ ଯୋରନ୍ଦାସ୍ଥିତ ମାଧବ ସାମନ୍ତ ସିଂହାର ବିଦ୍ୟାପୀଠରେ ମଙ୍ଗଳବାର ପରଲୋକଗତ ବିଶିଷ୍ଟ ସାହିତ୍ୟିକା, କବୟିତ୍ରୀ, ବାଗ୍ମୀ ମନୋରମା ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ତାଙ୍କର ସ୍ମୃତିଚାରଣ କରାଯାଇଥିଲା। ପ୍ରଧାନଶିକ୍ଷକ ପ୍ରଦୀପ୍ତ କୁମାର ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୋରନ୍ଦା ସରପଞ୍ଚ ସୂର୍ଯ୍ୟକାନ୍ତ ସ୍ୱାଇଁ ଓ ପୂର୍ବତନ ପ୍ରଧାନଶିକ୍ଷକ ଗନ୍ଧର୍ବସେନ ବେଉରା ସ୍ୱତନ୍ତ୍ର ଆମନ୍ତ୍ରିତ ଅତିଥି ଭାବେ ଯୋଗଦେଇ ଶ୍ରୀମତୀ ମହାପାତ୍ରଙ୍କର ବହୁମୁଖୀ ପ୍ରତିଭା ସଂପର୍କରେ ଆଲୋକପାତ କରିବା ସହ ଆଠଗଡ ମାଟି ପାଇଁ ଶ୍ରୀମତୀ ମହାପାତ୍ର ଗର୍ବ ଓ ଗୌରବ ବୋଲି ମତବ୍ୟକ୍ତ କରିଥିଲେ। ତାଙ୍କ ଆବର୍ତ୍ତମାନରେ ଓଡିଆ ଭାଷା ଓ ସାହିତ୍ୟ ତଥା ସାରସ୍ୱତ ଜଗତରେ ସୃଷ୍ଟି ହୋଇଥିବା ଶୂନ୍ୟସ୍ଥାନ ଅପୂରଣୀୟ ହୋଇ ରହିବ ବୋଲି ପ୍ରଧାନଶିକ୍ଷକ ଶ୍ରୀ ସାହୁ ମତବ୍ୟକ୍ତ କରିଥିଲେ। ଶିକ୍ଷକ ତଥା ସ୍କାଉଟର କଟକ ଜିଲ୍ଲା ସଂଯୋଜକ ସନ୍ତୋଷ କୁମାର ତ୍ରିପାଠୀ କାର୍ଯ୍ୟକ୍ରମ ସଂଯୋଜନା କରିବା ସମୟରେ ଶ୍ରୀମତୀ ମହାପାତ୍ରଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ସ୍କାଉଟ ଛାତ୍ର ଓ ଅତିଥିମାନେ ଦୀପ ପ୍ରଜ୍ଜଳନ ପୂର୍ବକ ସ୍ୱର୍ଗତ ଆତ୍ମାର ସଦଗତି କାମନା କରିଥିଲେ।
Popular Categories



