ବୌଦ୍ଧ ଜିଲ୍ଲାରୁ ପୁଣି କରୋନା ସଂକ୍ରମିତ ହେଲା ଶିଶୁ
୨ ଦିନରେ ୨ ଜଣ ଶିଶୁ କୋଭିଡ଼ ସଂକ୍ରମିତ ହୋଇ ଭିମସାର କୋଭିଡ଼ ହସପିଟାଲରେ ଭର୍ତ୍ତି
ବୁର୍ଲା : ବୌଦ୍ଧ ଜିଲ୍ଲାର ପୁଣି ଜଣେ ଶିଶୁ ଗତକାଲି କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡିଛି। ବୁର୍ଲା ଭିମସାର ଦ୍ୱିତୀୟ କୋଭିଡ ହସପିଟାଲରେ ଭର୍ତ୍ତି ହୋଇଥିବା ହସପିଟାଲ କର୍ତ୍ତୃପକ୍ଷ ସୁଚନା ଦେଇଛନ୍ତି। ଶିଶୁଟିର ବୟସ ୨ ବର୍ଷ ହୋଇଥିବା ବେଳେ ସେ ବଉଦ୍ଧ ଜିଲ୍ଲାର ବୋଲି ଭିମସାର ହସପିଟାଲ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି। ତେବେ ୨ ଦିନରେ ୨ ଜଣ ଶିଶୁ କୋଭିଡ଼ ସଂକ୍ରମିତ ହୋଇ ଭିମସାର କୋଭିଡ଼ ହସପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ତେବେ ଉଭୟ ଶିଶୁଙ୍କ କେବଳ କୋଭିଡ଼-୧୯ରେ ସଂକ୍ରମିତ ରହିଥିବା ହସପିଟାଲ ସୁତ୍ରରୁ ଜଣାପଡିଛି। ତେବେ କିଭଳି ଏହି ୨ ବର୍ଷର ଶିଶୁ ସଂକ୍ରମିତ ହେଲେ ତାହା ସ୍ପଷ୍ଟ ହୋଇ ପାରିନାହିଁ । ସେପଟେ ବର୍ତ୍ତମାନ କରୋନାର ତୃତୀୟ ତରଙ୍ଗ ବିଶେଷ ଭାବରେ ଶିଶୁ ମାନଙ୍କୁ ସଂକ୍ରମିତ କରୁଥିବାକୁ ନେଇ ସରକାର ସତର୍କତା ଜାରି କରିଥିବା ଏଭଳି ଭାବରେ ଶିଶୁ ସଂକ୍ରମିତ ହେବା ଘଟଣା ଅନ୍ୟ ଏକ ବିପଦ ସୃଷ୍ଟି କରୁଛି।
ସୂଚନା ଥାଉକି କିଛିଦିନ ପୂର୍ବରୁ ବରଗଡ ଜିଲ୍ଲାରୁ ମଧ୍ୟ ୨ ଜଣ ଶିଶୁ କୋଭିଡ ସଂକ୍ରମିତ ଚିହ୍ନଟ ହୋଇ ବୁର୍ଲା ଭିମସାରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ତେବେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ହେବା ପରେ ସେମାନଙ୍କୁ ଘରକୁ ପ୍ରେରିତ କରି ଦିଆଯାଇଥିଲା। ତେବେ ବର୍ତମାନ ବୁର୍ଲା ଭିମସାର ଦ୍ୱିତୀୟ କୋଭିଡ ହସପିଟାଲରେ ୨ ଜଣ ଶିଶୁ ସମେତ ୪୧ ଜଣ ବୟସ୍କ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ରହିଥିବା ସୂଚନା ହସ୍ତଗତ ହୋଇଛି।
Comments are closed.