www.samajalive.in
Monday, December 8, 2025
20.1 C
Bhubaneswar

ଘରେ ବସି କରିହେବ କରୋନା ପରୀକ୍ଷା; ‘କୋଭିସେଲ୍ଫ’କୁ ମଞ୍ଜୁରୀ ଦେଲା ଆଇସିଏମଆର, ଜାଣନ୍ତୁ କିପରି କରିବେ ବ୍ୟବହାର

ଏଣିକି ଘରେ ବସି କରିହେବ କରୋନା ପରୀକ୍ଷା। ଏଥିପାଇଁ ଦରକାର ଥିବା କରୋନା ପରୀକ୍ଷା କିଟ୍‌ ପ୍ରସ୍ତୁତ ହୋଇଛି। ଏହି କିଟ୍‌କୁ ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମଆର) ମଞ୍ଜୁରୀ ପ୍ରଦାନ କରିଛି। ଏହା ଜରିଆରେ ଯେକୌଣସି ବ୍ୟକ୍ତି ଘରେ ବସି ନିଜ ନିଜର କରୋନା ପରୀକ୍ଷା କରାଇ ପାରିବ। ଏହାର ନାମ ରହିଛି ‘କୋଭିସେଲ୍ଫ’। ଏହା ଏକ ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ (ରାଟ) କିଟ୍‌। ଦେଶରେ କରୋନା ପରୀକ୍ଷାକୁ ନେଇ ନାନା ସମସ୍ୟା ସୃଷ୍ଟି ହେଉଥିବାବେଳେ ଏହା ସରକାରୀ ଓ ଅନ୍ୟାନ୍ୟ କେନ୍ଦ୍ରରେ ଭିଡ଼ ରୋକିବାରେ ବେଶ୍‌ ସହାୟକ ହେବ।

‘କୋଭିସେଲ୍ଫ’କୁ ମଞ୍ଜୁରୀ ମିଳିବା ପରେ ଆଇସିଏମଆର ଏହାର ବ୍ୟବହାର ନେଇ କେତେକ ପରାମର୍ଶବଳୀ ଜାରି କରିଛି। ଏହା ସମସ୍ତଙ୍କୁ ଜାଣିବା ନିତାନ୍ତ ଜରୁରୀ।

- Advertisement -

-ସେହି ଲୋକମାନେ ଘରେ ଏହି ରାଟ୍‌ କିଟ୍‌ କୋଭିସେଲ୍ଫକୁ ବ୍ୟବହାର କରିବା ଜରୁରୀ, ଯେଉଁମାନଙ୍କଠାରେ କରୋନାର ଲକ୍ଷଣ ରହିଛି ଅଥବା କୌଣସି କରୋନା ସଂକ୍ରମିତଙ୍କ  ସଂସ୍ପର୍ଶରେ ଆସିଛନ୍ତି।

– ବାରମ୍ବାର ଏହି କିଟ୍‌ ବ୍ୟବହାର କରିବା ଅନୁଚିତ। ଉପଯୁକ୍ତ ଜ୍ଞାନ ନ ଥାଇ ଏହାର ବ୍ୟବହାର କରିବା ଉଚିତ ନୁହେଁ।

– ଘରେ ପରୀକ୍ଷା କରିବା ଲାଗି କିଟ୍‌ରେ ଦିଆଯାଇଥିବା ନିର୍ଦେଶାବଳୀକୁ ଧ୍ୟାନ ସହକାରେ ଏବଂ ଆବଶ୍ୟକ ଅନୁସାରେ ପଢ଼ିବା ଜରୁରୀ।

– କୋଭିସେଲ୍ଫ ଗୁଗଲ ପ୍ଲେ ଷ୍ଟୋର ଏବଂ ଆପଲ ଷ୍ଟୋରେ ଉପଲବ୍ଧ ରହିଛି। ଯେଉଁଥିରେ କିଟ୍‌ ବ୍ୟବହାର କରିବାର ସମସ୍ତ ପଦ୍ଧତି ବିଷୟରେ ଅବଗତ କରାଯାଇଛି।

– ପରୀକ୍ଷା କରାଉଥିବା ସମସ୍ତ ବ୍ୟକ୍ତି ପରୀକ୍ଷା ପ୍ରକ୍ରିୟା ଶେଷ ହେବା ପରେ ଷ୍ଟ୍ରିପ୍‌ର ଫଟୋ ନେବାକୁ ପରାମର୍ଶ ଦିଆଯାଇଛି। ଯେଉଁ ମୋବାଇଲ୍‌ରେ ଆପ୍‌ ଡାଉନଲୋଡ୍‌ ଏବଂ ପଞ୍ଜୀକରଣ କରାଯାଇଛି ସେହି ମୋବାଇଲ୍‌ରେ ଫଟୋ ଉଠାଇବାକୁ ପରାମର୍ଶ ଦିଆଯାଇଛି।

– ମୋବାଇଲ ଫୋନରେ ରହିଥିବା ଆପ୍‌ର ତଥ୍ୟ ଏକ ସୁରକ୍ଷିତ ସର୍ଭରରେ ରହିବ, ଯାହା ଆଇସିଏମଆର କୋଭିଡ-୧୯ ପୋର୍ଟାଲ ସହିତ ଜଡ଼ିତ। ଯେଉଁ ସମସ୍ତ ତଥ୍ୟକୁ ଗଚ୍ଛିତ କରାଯିବ।

– ରୋଗୀଙ୍କ ତଥ୍ୟ ସମ୍ପୂର୍ଣ୍ଣ ଗୋପନୀୟ ରଖାଯିବ।

– ଯେଉଁ ଲୋକମାନେ ଏହି କୋଭିସେଲ୍ଫ ପରୀକ୍ଷା କିଟ୍‌ ଦ୍ବାରା ସଂକ୍ରମିତ ଚିହ୍ନଟ ହେଉଛନ୍ତି, ସେମାନଙ୍କୁ ବାସ୍ତବରେ କରୋନା ପଜିଟିଭ ବୋଲି ଗଣାଯିବ। ତେଣୁ ସେମାନଙ୍କୁ ପୁଣି ଥରେ ବାହାରେ ପରୀକ୍ଷା କରାଇବା ଜରୁରୀ ନାହିଁ।

– ସଂକ୍ରମିତ ଚିହ୍ନଟ ହେଉଥିବା ସମସ୍ତ ଲୋକ ଗୃହରେ ଏକାନ୍ତବାସରେ ରହିବା ଏବଂ ଆଇସିଏମଆର ଓ ସ୍ବାସ୍ଥ୍ୟମନ୍ତ୍ରଣାଳୟ ନିର୍ଦେଶାବଳୀ ଅନୁସାରେ ନିଜର ଦେଖାଶୁଣା କରିବାକୁ ପରାମର୍ଶ ଦିଆଯାଇଛି।

– ଯେଉଁମାନଙ୍କଠାରେ କରୋନା ଲକ୍ଷଣ ଥିବ ଏବଂ ରାପିଡ୍‌ ଆଣ୍ଟିଜେନ ପରୀକ୍ଷାରେ ରିପୋର୍ଟ ନେଗେଟିଭ ଆସିବ, ସେମାନଙ୍କୁ ଆରଟି-ପିସିଆର ପରୀକ୍ଷା କରାଇବାକୁ ପରାମର୍ଶ ଦିଆଯାଇଛି। କାରଣ କମ୍‌ ଭୂତାଣୁ ଥିବା ହେତୁ ରାପିଡ୍‌ ଆଣ୍ଟିଜେନ ପରକ୍ଷା ଜରିଆରେ କିଛି ମାମଲା ସ୍ପଷ୍ଟ ହୋଇପାରି ନ ଥାଏ।

-ପରୀକ୍ଷା କିଟ୍‌ ମାନୁଆଲରେ କୋଭିସେଲ୍ଫର ସମସ୍ତ  ସମ୍ଭାବ୍ୟ ପରିଣାମ ବିଷୟରେ ସୂଚନା ଦିଆଯାଇଛି।

କେମିତି କରିବେ ପରୀକ୍ଷା ?

ବଜାରରୁ କିଟ୍‌ ଆଣିବା ପରେ ସର୍ବପ୍ରଥମେ ଗୁଗଲ ପ୍ଲେ ଷ୍ଟୋର କିମ୍ବା ଆପଲ ଷ୍ଟୋରରୁ କୋଭିସେଲ୍ଫର ମୋବାଇଲ ଆପ୍‌ ‘ମାଇଁ ଲାବ୍‌ କୋଭିସେଲ୍ଫ’ ଡାଉନଲୋଡ କରିବାକୁ ହେବ। ଏହି ଆପ୍‌ ଜରିଆରେ ପରୀକ୍ଷା ରିପୋର୍ଟ ବି ମିଳିବ।

-ପରୀକ୍ଷା ପାଇଁ ପ୍ରସ୍ତୁତି କରିବା ପୂର୍ବରୁ ହାତକୁ ଭଲ ଭାବେ ସଫା କରନ୍ତୁ

– କିଟ୍‌ରେ ଥିବା ଏକ ପାଉଚ୍‌କୁ ଚିରି ସମସ୍ତ ଜିନିଷକକୁ ଅଲଗା ଅଲଗା କରି ରଖନ୍ତୁ। ପରେ ମାଇଁ ଲାବ୍‌ କୋଭିସେଲ୍ଫ ଆପ୍‌ ଖୋଲି ନିଜ ତଥ୍ୟ ଉପସ୍ଥାପନ କରନ୍ତୁ ଏବଂ ପରୀକ୍ଷା କିଟ୍‌ରେ ଦିଆଯାଇଥିବା କୋଡ୍‌କୁ ସ୍କାନ କରନ୍ତୁ।

-ପାଉଚରେ ଥିବା ଏକ ଟ୍ୟୁବ୍‌କୁ ବାହାରକୁ କାଢ଼ନ୍ତୁ ଏବଂ ନିଜର ସ୍ବାବ ସଂଗ୍ରହ କରନ୍ତୁ। ନାକ ଭିତରେ ଟ୍ୟୁବକୁ ବୁଲାଇ ସ୍ବାବ ସଂଗ୍ରହ କରନ୍ତୁ।

– ନାକର ଉଭୟ ଛିଦ୍ରରୁ ସ୍ବାବ ସଂଗ୍ରହ କରିବା ପରେ ତାହାକୁ ଟ୍ୟୁବରେ ବୁଡ଼ାଇ ଦିଅନ୍ତୁ। ତାହାକୁ ୧୦ ଥର ବୁଲାଇ ପୁଣି ସ୍ବାବକୁ ବ୍ରେକ୍‌ ପଏଣ୍ଟରୁ ଭାଙ୍ଗି ଅବଶିଷ୍ଟ ଅଂଶକୁ ଫିଙ୍ଗି ଦିଅନ୍ତୁ।

– ଟ୍ୟୁବ ସହିତ ନୋଜଲ ଠିପି ବନ୍ଦ କରିଦିଅନ୍ତୁ। ଏହା ପରେ କିଟ୍‌ର ସାମ୍ପୁଲ ଭେଲ୍‌ରେ ଏକ୍ସଟ୍ରାକ୍ଟେଡ୍‌ ଆଣ୍ଟିଜେନ ବଫର ମିଶ୍ରଣର ୨ ଠୋପା ମିଶାନ୍ତୁ।

-ଫଳାଫଳ ଜାଣିବା ଲାଗି ୧୦ରୁ ୧୫ ମିନିଟ୍‌ ଅପେକ୍ଷା କରନ୍ତୁ। ଏହା ପରେ ପରୀକ୍ଷା କିଟ୍‌ର ଫଟୋ ଉଠାନ୍ତୁ ଏବଂ ଆପ୍‌ରେ ରିପୋର୍ଟ ପାଇଁ ଅପେକ୍ଷା କରନ୍ତୁ। ରିପୋର୍ଟ ପଜିଟିଭ ଥିଲେ କ୍ବାଲିଟି କଂଟ୍ରୋଲ ରେଖା ସି ଏବଂ ଟି ରେଖା ଉଭୟ ଦୃଶ୍ୟମାନ ହେବ। କିନ୍ତୁ ନେଗେଟିଭ ଥିଲେ ପରୀକ୍ଷା ଲାଇନ୍‌ ଆସିବ ନାହିଁ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories