ବ୍ରହ୍ମପୁର: ବ୍ରହ୍ମପୁର ବଡ଼ ଡାକ୍ତରଖାନା ତଥା ଏମ୍କେସଜି ମେଡ଼ିକାଲ୍ କଲେଜ ଆଣ୍ଡ ହସ୍ପିଟାଲ୍ର ଆଶୁ ଚିକିତ୍ସା ବିଭାଗ(କାଜୁଆଲିଟି) ପାଇଖାନାରେ ଜଣେ କରୋନା ସନ୍ଦିଗ୍ଧ ରୋଗୀ ଆତ୍ମହତ୍ୟା କରିଛନ୍ତି। ସେ ପାଇଖାନା ଝରକାରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ପୁଲିସ କହିଛି। ସୂଚନା ପ୍ରକାରେ ଗଞ୍ଜାମ ଜିଲା ବୁଗୁଡା ଥାନା ଅନ୍ତର୍ଗତ ଏକର୍ଣ୍ଣପୁରର ରାଜେନ୍ଦ୍ର କୁମାର ମୁନି(୩୮) ଆଜକୁ ୩ ଦିନ ତଳେ ବଡ ଡାକ୍ତରଖାନାର କାଜୁଆଲିଟିରେ ଭର୍ତ୍ତି ହୋଇଥିଲେ। ତାଙ୍କ ଶରୀରରେ ଅମ୍ଳଜାନ ସ୍ତର କମ ଥିବାରୁ ତାଙ୍କୁ ଆଶୁ ଚିକିତ୍ସା ବିଭାଗର ୨ୟ ମହଲାରେ ଥିବା କରୋନା ସନ୍ଦିଗ୍ଧ ରୋଗୀ କୋଠରୀରେ ରଖି ଚିକିତ୍ସା କରାଯାଉଥିଲା। ରାଜେନ୍ଦ୍ରଙ୍କ ନିକଟରେ ତାଙ୍କ ଶଳା ସଞ୍ଜୟ ଉପସ୍ଥିତ ରହି ଦେଖାଶୁଣା କରୁଥିଲେ।
ଆଜି ଦିନ ୨ଟା୩୦ ବେଳେ ରାଜେନ୍ଦ୍ର ନିଜ ଶର୍ଯ୍ୟାରୁ ଉଠି ପାଇଖାନାକୁ ଯାଇଥିଲେ। ହେଲେ ଦୀର୍ଘ ସମୟ ଯାଏଁ କବାଟ ଖୋଲିନଥିଲେ। ବିଳମ୍ବ ହେବାରୁ ପାଇଖାନା ନିକଟକୁ ଯାଇ ତାଙ୍କ ଶଳା ସଞ୍ଜୟ ଡାକି ଥିଲେ ମଧ୍ୟ ସେ ଶୁଣିନଥିଲେ। କିଛି ସମୟ ପରେ ଆଶୁ ଚିକିତ୍ସା ବିଭାଗର ସୁରକ୍ଷା କର୍ମୀ ଆସି କବାଟ ଭାଙ୍ଗି ଦେଖିବା ବେଳକୁ ରାଜେନ୍ଦ୍ର ପାଇଖାନା ଭିତରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଥିଲା। ଖବର ପାଇ ବଡ ଡାକ୍ତରଖାନା ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ବ୍ରହ୍ମପୁର ତହସିଲଦାରଙ୍କ ଉପସ୍ଥିତିରେ ରାଜେନ୍ଦ୍ରଙ୍କ ଶବର ପଞ୍ଚନାମା କରାଯାଇଥିଲା। ବୈଦ୍ୟନାଥପୁର ଥାନାରେ ୨୨୪/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।



