ଭବାନୀପାଟଣା: କଳାହାଣ୍ଡି ଜିଲାର ପିଆଜ ଚାଷୀମାନେ ଅଭାବୀ ବିକ୍ରିର ଶିକାର ହୋଇ ତଳିତଳାନ୍ତ ହେବାକୁ ବସିଲେଣି। ପିଆଜ ବିକ୍ରି କିମ୍ବା ସଂଗ୍ରହ କରି ରଖିବା ପାଇଁ ସରକାରୀ କିମ୍ବା ବେସରକାରୀ ସ୍ତରରେ କୌଣସି ବ୍ୟବସ୍ଥା ନଥିବାରୁ ଚାଷୀ ବାଧ୍ୟ ହୋଇ ଅନ୍ୟ ଉପାୟ ନପାଇ ଦଲାଲ ଓ ରାଜ୍ୟ ଓ ଜିଲା ବାହାରର ବ୍ୟବସାୟୀମାନଙ୍କୁ କମ୍ ଦାମ୍ରେ ସେଗୁଡ଼ିକ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଚାଷୀ ମାନଙ୍କର ଏହି ସମସ୍ୟାର ସୁଯୋଗ ନେଇ ଜିଲା ଓ ରାଜ୍ୟ ବାହାରର ବେପାରୀମାନେ ଆସି ଚାଷୀଙ୍କ ଠାରୁ କିଲୋ ପ୍ରତି ୬ ଟଙ୍କା ରୁ ୭ ଟଙ୍କା ହିସାବରେ ୫୦ କେଜିଆ ବସ୍ତା ପିଛା ୩୦୦ ରୁ ୩୫୦ ଟଙ୍କା ଭିତରେ କିଣି ନେଉଥିବା ଦେଖିବାକୁ ମିଳୁଛି। କାଳବୈଶାଖୀ ଯୋଗୁଁ ଅଦିନିଆ ବର୍ଷା ହେବା ଫଳରେ ଶହ ଶହ ପିଆଜ ଚାଷୀ ନିଜର ଜମିରେ ପିଆଜକୁ ସୁରକ୍ଷା କରିବା ସମ୍ଭବପର ହୋଇନାହିଁ। ଫଳରେ ବହୁ ସ୍ଥାନରେ ପିଆଜ ଗୁଡ଼ିକ ଅଦିନିଆ ବର୍ଷାରେ ଉଦା ହୋଇ ନଷ୍ଟ ହେଉଛି। ବାଧ୍ୟ ହୋଇ ଚାଷୀ ଅନ୍ୟ ଉପାୟ ନପାଇ ଶାଗମାଛ ଦରରେ ନିଜର ଉତ୍ପାଦିତ ପିଆଜ ବିକିବାକୁ ବାଧ୍ୟ ହେଉଛି।
କଳାହାଣ୍ଡି ଜିଲ୍ଲାର ଧର୍ମଗଡ ଉପଖଣ୍ଡ ଧର୍ମଗଡ, ଗୋଲାମୁଣ୍ଡା, ଜୟପାଟଣା, କୋକସରା, କଲମପୁର, ଜୁନାଗଡ଼, ଭବାନୀପାଟଣା ଉପଖଣ୍ଡର ଭବାନୀପାଟଣା ବ୍ଲକର ବୋର୍ଡା, ଗୁରୁଜୁଙ୍ଗ, ଅର୍ତ୍ତଲ, କୁଲିଆମାଲ, ମାଦିଗୁଡା, ଡୁମୁରିଆ, ଚହଗାଁ, ତୁରକେଲ, ପଲନା, କାନ୍ଦୁଲଝର, ପାଇକପଡ଼ା, ଅଜରାଇ, ସାପସିଲେଟ, ବୋରଭଟା, ଚପଟଖଣ୍ଡା, କର୍ଲାପଡା, ମାଣିଙ୍ଗ, ସେଁପୁର, ମାଦିଗୁଡା, ବାଲିପଦର, କର୍ଲାପିଟା, ଖୋଲପଲା, ମାଟିଆ ଆଦି ଗ୍ରାମପଞ୍ଚାୟତ, ଗୋଲାମୁଣ୍ଡା ବ୍ଲକର କୁହୁରା, ବଣ୍ଡାମେର, ବୃନ୍ଦାବାହାଲ, କଣ୍ଟାମାଲ, ରେଙ୍ଗସାପାଲି, ଫରଙ୍ଗ, ଚିଚିଆ, ଲେତର, ମାନଝରି, ଗୋଲାମୁଣ୍ଡା, ଖଲିଆକାନି, କେନ୍ଦୁମୁଣ୍ଡି, ମହାଲିଙ୍ଗ, ଚପ୍ରିଆ, କେଗା. ସାନଚେରଗାଁ, ଚହକା, ଉଛୁଲା, ଫଟାମୁଣ୍ଡା, ବଡଚେରଗାଁ, ଧର୍ମଗଡ ବ୍ଲକର ବୋଡେନ, ବ୍ରହ୍ମଣ ଛେଣ୍ଡିଆ, ଛିଲପା ଏବଂ କେସିଙ୍ଗା, କର୍ଲାମୁଣ୍ଡା, ମ.ରାମପୁର, ନର୍ଲା, ଲାଞ୍ଜିଗଡ, ଥୁ.ରାମପୁର ବ୍ଲକ୍ର ବିଭିନ୍ନ ଅଞ୍ଚଳର ବହୁ ଗ୍ରାମ ପଞ୍ଚାୟତରେ ସର୍ବାଧିକ ପରିମାଣରେ ପିଆଜ ଚାଷ ହୋଇଥାଏ। କୃଷି ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଚଳିତ ବର୍ଷ ଜିଲ୍ଲାରେ ୨୬୮୫ ହେକ୍ଟରରେ ପିଆଜ ଚାଷ ହୋଇଥିବା ବେଳେ ୩୮ ହଜାର ଟନ୍ ଉତ୍ପାଦନ ହେବାର ଲକ୍ଷ ଧାର୍ଯ୍ୟ କରାଯାଇଛି। ଗତ ବର୍ଷ ପ୍ରାୟ ୨୩୦୦ ହେକ୍ଟରରେ ପିଆଜ ଚାଷ କରାଯାଇଥିଲା। ଜିଲାରେ ଚାଷୀଙ୍କ ଦ୍ୱାରା ୧୮୭ ଟି ପିଆଜ ଗୃହ ନିର୍ମାଣ କରାଯାଇଛି ଓ ଉଦ୍ୟାନ ବିଭାଗ ପକ୍ଷରୁ ୫୦ ହେକ୍ଟର ଜମିରେ ପିଆଜ ଚାଷ କରାଯାଇଛି।

ଚଳିତବର୍ଷ ପାଗ ଅନୁକୂଳ ଯୋଗୁଁ ପିଆଜ ଚାଷୀମାନେ ପୂର୍ବ ବର୍ଷ ଅପେକ୍ଷା ଅଧିକ ଜମିରେ ପିଆଜ ଚାଷ କରିଛନ୍ତି ଏବଂ ଉତ୍ପାଦନ ମଧ୍ୟ ପୂର୍ବ ବର୍ଷ ଅପେକ୍ଷା ଭଲ ହୋଇଛି। ମୁଖ୍ୟତଃ ଏବେ କାଳବୈଶାଖୀ ପିଆଜ ସଂରକ୍ଷଣ କରିବାରେ ବାଧକ ସାଜୁଥିବା ବେଳେ ବର୍ତ୍ତମାନ କାଳବୈଶାଖୀ ଯୋଗୁଁ ଅଦିନିଆ ବର୍ଷା ହେବା ଫଳରେ ପିଆଜ ଗୁଡିକୁ ଚାଷୀ ବର୍ଷା ଦାଉରୁ ସୁରକ୍ଷା କରିପାରିନାହିଁ। ଅନ୍ୟପଟେ କରୋନା ସଂକ୍ରାମଣ ଯୋଗୁଁ ପିଆଜ ଚାଷୀମାନେ ବିଭିନ୍ନ ସାପ୍ତାହିକ ବଜାର ଓ ସହରାଞ୍ଚଳକୁ ନେଇ ପିଆଜ ବିକ୍ରି କରିବାକୁ ଭୟ କରୁଛନ୍ତି। ଚାଷୀ ଅନ୍ୟ ଉପାୟ ନପାଇ କିଲୋ ପିଛା ୬ ଟଙ୍କାରୁ ୭ ଟଙ୍କା ମଧ୍ୟରେ ୫୦ କେଜିଆ ବସ୍ତା ପ୍ରତି ୩୦୦ ରୁ ୩୫୦ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ବର୍ତ୍ତମାନ ଏହି ସବୁ ଅଞ୍ଚଳର ପିଆଜ ଚାଷୀଙ୍କ ସମସ୍ୟା ନାହିଁ ନଥିବା ଉତ୍କଟ ରୂପ ଧାରଣ କରିଛି। ଏଠାକାର ଚାଷୀ ପିଆଜ ଅମଳ ବହୁ ପରିମାଣରେ କରୁଥିଲେ ମଧ୍ୟ ଅଭାବୀ ବିକ୍ରିର ଶିକାର ହୋଇଛନ୍ତି। ରାଜ୍ୟ ସରକାର ଏବଂ ପ୍ରଶାସନର ଖାମଖିଆଲି ମନୋଭାବ ଯୋଗୁଁ ମୂଲ୍ୟ ନିର୍ଦ୍ଧାରଣରେ ଅବହେଳା, ସରକାରୀ ସ୍ତରରେ ପିଆଜ ସଂଗ୍ରହ ନେଇ କୌଣସି ପଦକ୍ଷେପ ନିଆଯାଇ ନାହିିଁ। ବର୍ତ୍ତମାନ ପିଆଜ ଚାଷୀଙ୍କ ଏହି ଦୁର୍ଦ୍ଦିନର ସୁଯୋଗ ନେଇ ଜିଲା ଓ ରାଜ୍ୟ ବାହାର ବିଶେଷ କରି ପଡୋଶୀ ଛତିଶଗଡ ଏବଂ ବଲାଙ୍ଗିରର କଣ୍ଟାବାଞ୍ଜି ଓ ଜିଲା ବାହାରୁ ବିଭିନ୍ନ ଅଂଚଳର ଦଲାଲମାନେ ଆସି କ୍ୟୁଣ୍ଟାଲ ପ୍ରତି ୩୦୦ ରୁ ୩୫୦ ଟଙ୍କାରେ ଦେଇ କିଣିନେଇଥିବା ଚାଷୀମାନେ ଖୋଲାଖୋଲି ଭାବରେ ଅଭିଯୋଗ କରୁଛନ୍ତି।



