www.samajalive.in
Monday, December 8, 2025
27.1 C
Bhubaneswar

ଅବର୍ତ୍ତମାନରେ ଚିରବର୍ତ୍ତମାନ

ଅଫେରା ବାଟର ଅନିର୍ବଚନୀୟ ପ୍ରତିଭା ଓ ଷୋଳକଳା ମଣିଷପଣିଆର ମାନ୍ତ୍ରିକ ସୃଷ୍ଟି

ମନୋଜ ଆଜ୍ଞା, ମହାପ୍ରୁ,

- Advertisement -

କୋଟି ପ୍ରଣାମ, ଦଣ୍ଡବତ।

କିଏ ବାହୁଡ଼ି ନଯିବ ଯେ! କାହା ବାହୁଡ଼ାରେ ତେଣୁ ଆକାଶ କୋଉ ଫାଟି ପଡ଼ିବ? ଯୁଧିଷ୍ଠିର ତ କହିଲେ, ‘‘ଅହନ୍ୟହନିଭୂତାନି ଗଚ୍ଛନ୍ତି ଯମ ମନ୍ଦିରଂ’’। ଏମିତି କୋଉ ମୁହୂର୍ତ୍ତ ଏ ଜଗତରେ ନାହିଁ ଯେତେବେଳେ କେହି ମରୁନାହାନ୍ତି। ଗୀତା ତ କହିଲେ, ‘‘ଜାତସ୍ୟ ହି ଧ୍ରୁବୋ ମୃତ୍ୟୁ’’। ଏ ଦାରୁଣ ସତ୍ୟ ତେଣୁ ମଣିଷର ଦେହସୁହା ହୋଇଯାଇଛି। ମାତ୍ର ତମ ବାହୁଡ଼ାରେ ସତରେ ଆକାଶ ଆଜି ଫାଟି ପଡ଼ିଛି। ଏ କନ୍ଦାକଟା, ଏ ଆହା ଆହା, ତମକୁ ଆଉ ଆଉ ପାଇବା, ଦେଖିବାର ନିଶାଗ୍ରସ୍ତ କୋଟି ଜନତାର ପ୍ରଭୁର ଏ ବିଧାନ ପ୍ରତି ଅଭିସମ୍ପାତ ସତରେ ଆକାଶକୁ ଫାଡ଼ି ପକେଇଲା ଅବସ୍ଥା ସୃଷ୍ଟି କରିଛି। ଧରଣୀରୁ ଆନୀତ ଜଳକଣା ଆକାଶ ଫଟା ବର୍ଷା ସୃଷ୍ଟି କଲା ପରି, ଆକାଶ ଉହାଡ଼ରେ ପ୍ରଭୁଙ୍କୁ ଦେଖିବା ପାଇଁ ଊର୍ଦ୍ଧ୍ବାନତ ଆଖି କେବଳ ଆକାଶ ଫଟା ଲୁହ ହିଁ ଦେଖୁଛି, ପ୍ରଭୁ ଛପି ଯାଉଛନ୍ତି, ଢାଙ୍କି ହୋଇ ଯାଉଛନ୍ତି ଏ ଲୁହଅସରାରେ।

କାହିଁକି ଏ ହୃଦୟ ଆଜି ମଥିତ ହୋଇ ଯାଉଛି? କିଏ କି ତମେ? କ’ଣ ଥିଲ କାହାର? ଜଣେ ପ୍ରଜ୍ଞାପ୍ରତିଭା! ଜଣେ ସାରସ୍ବତ ସ୍ରଷ୍ଟା! ଜଣେ ଅସାଧାରଣ ବାଗ୍ମୀ! ହଁ ସତରେ ତମେ ତା’ ସବୁ ଥିଲ। ଏମିତି କେତେ ପ୍ରତିଭା, ଅସାଧାରଣ ସୃଷ୍ଟି ବି ବାହୁଡ଼ି ଯାଇଛି। ସେଥିପାଇଁ ସାଧାରଣ ଜନତା ପ୍ରାଣରେ ଏ ବ୍ୟାକୁଳତା, ଆକୁଳତା କିଆଁ? ଲେଖାପଢ଼ା, ସାହିତ୍ୟଫାହିତ୍ୟର ଧାର ଧାରୁ ନ ଥିବା, ବୌଦ୍ଧିକତା ବୁଝୁ ନ ଥିବା ଜଣେ ତମ ବାହୁଡ଼ାରେ ଆଜି କିଛି ଗୋଟେ ଅମୂଲ୍ୟ ଅବଲମ୍ବନ ହଜେଇ ଦେଲା ଭାବରେ ଶ୍ରୀହୀନ ଦିଶୁଛି, କୃଷ୍ଣଙ୍କ ବାହୁଡ଼ା ପରେ ଅର୍ଜୁନ ଅବଶ ଓ ଦ୍ବାପର ଶେଷ ହେଲା ପରି। ସେଦିନ ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ର ଏକ ଉତ୍ସବର ତମେ ମୁଖ୍ୟ ଆକର୍ଷଣ ଥିଲ। ରାଜ୍ୟର ବହୁ ସାରସ୍ବତ ପ୍ରତିଭା, ବହୁ ବୁଦ୍ଧିଜୀବୀଙ୍କ ମଧ୍ୟରେ କୌତୂହଳୀ ଜନତା ବି ଥିଲେ। ମାତ୍ର ‘‘ସେ ଭଲ କି ତା’ ଘର ଭଲ’’ ଭାବରେ, ଅପରାହ୍ଣ ଉପଗତ ମୋ ବନ୍ଧୁ ବିକ୍ରମକୁ ସେ ସଭାରେ ଦେଖି ତଟସ୍ଥ ହୋଇଗଲି। କିରେ ତୁ କ’ଣ ସଭାରେ? ଏଠି କୋଉ ତେଲ ଲୁଣ କାରବାର ହେଉଛି? ଖୁନ୍ଦା ସଭା ଗୃହରେ ତା’ ପାଇଁ ବସିବାକୁ ଜାଗା ନଥାଏ। ମୋ ଶ୍ଲେଷ ସେ ବୁଝିଲା ନା କ’ଣ? କହିଲା, ‘‘ହଁ ଜୀବନ ଜୀବିକାର ଅମୃତ ତତ୍ତ୍ବଜ୍ଞଙ୍କୁ ତମେ ଦଳେ ମାନ ପଦକ ଦଉଡ଼ରେ ଢାଙ୍କି ସେଥିରୁ ରସ ଚଟାଚଟିରେ ମାତି ପ୍ରଭୁସୃଷ୍ଟ ଏ ତେଲଲୁଣ ଦୁନିଆ ବଦନାମୀଙ୍କ ରାହା, ସାହା ଥିବା ଜଣଙ୍କୁ ତମେ କୋଉ ଚିହ୍ନି ପାରୁଛ? ସେମିତି ଜୀବନ୍ତ ପ୍ରଭୁଟାକୁ ତମେ ଏଠି ତମ ବେପାରକୁ ଆଣିଛ। ଧନ୍ୟବାଦ, ଆମ ପାଇଁ ବି ଅପୂର୍ବ ସୁଯୋଗ ଓ କୃପା କରିଛ। ଏତେ ବଡ଼ ସାରସ୍ବତ ପ୍ରତିଭା, ଏତେ ବଡ଼ ବାଗ୍ମୀ, ଭୁବନେଶ୍ବର, ଦିଲ୍ଲୀ ରାଜଧାନୀରେ ସେ ସମ୍ଭେଇଲେନି। ସମସ୍ତେ ଫ୍ଲାଟ (କୋଠା) କିଣୁଥିବା ବେଳେ ସେ ଶ୍ରୀ ଅରବିନ୍ଦଙ୍କ ଆଶ୍ରମବାସୀ ହୋଇଗଲେ। ତାଙ୍କ ପାଇଁ ବାଟହଜା, ଦିଗହଜା ମଣିଷ, ମଣିଷସମାଜ ହିଁ ଆକର୍ଷଣ ଥିଲା। ଏ ମହାର୍ହ ଭଗବତ୍ ଅଧ୍ୟାତ୍ମ ପୀଠରୁ ସେ ଅମୃତ ବର୍ଷଣ କରୁଥିଲେ ଆମ ସଭିଙ୍କ ପାଇଁ? ସେ ‘ଜ୍ଞାନ-କୁହାଳିଆ’ ନୁହଁ ଜ୍ଞାନୀ ଥିଲେ। ଭେଦୁଥିଲା ତେଣୁ ତାଙ୍କ ବାଣୀ, ଠାଣି ଓ ଚାହାଣି ସବୁଙ୍କଠି। ଅନୁଭବ କରିଥିଲି ସେଦିନ ତମେ ​କେମିତି ସାରା ଜନତା ପ୍ରାଣରେ ଭେଦି ଯାଇଛ। କି ପଦ୍ମଉପାଧି, କି  ପୁରସ୍କାର, କି ସମ୍ବର୍ଦ୍ଧନା ତମକୁ ବାଉଳା କାଉଳା କରିବ!

ତମେ ଅସୁସ୍ଥ ହୋଇପଡ଼ିବା ଖବର ଦେଶସାରା ଖେଦି ହୋଇଗଲା। ଜଣେ ଅସାଧାରଣ ସାରସ୍ବତ ସାଧକ, ପ୍ରଜ୍ଞା ପ୍ରତିଭାର ଅସୁସ୍ଥି, ମନକୁ ଖାଲି ପାପ ଛୁଆଁଉଥାଏ। କେତେ ମନ୍ଦିରରେ କେତେ କିଏ ଦୀପ ବସାଉଥା’ନ୍ତି, କେହି ବି ଜଣେ ତମର ତଥାକଥିତ ରକ୍ତ ସମ୍ପର୍କର ନଥିଲେ। ତଥାପି ପ୍ରାଣଚିରା ଏ ଆକୁଳତା ତମ ପାଇଁ କିଆଁ, କେମିତି ଥିଲା? ତମ ପାଇଁ ଉତ୍ସର୍ଗୀକୃତ ଗୋପବନ୍ଧୁଙ୍କ ସାହିତ୍ୟ ସମ୍ମାନ ତମକୁ ଦିଆଯାଇପାରି ନ ଥିଲା, ତମ ଅସୁସ୍ଥତା ହେତୁ। ବହୁ ବନ୍ଧୁ ‘‘ଏ ସମ୍ମାନ ଏ ପୁରସ୍କାର ତାଙ୍କୁ ତାଙ୍କ ରୋଗ ଶଯ୍ୟାରେ ଦେଇଦେବାକୁ’’ ଅନୁରୋଧ କଲେ। ପରିଚାଳନା ମଣ୍ଡଳୀ ମଧ୍ୟ ଏଥିରେ ମୋହର ମାଇଲେ। ଲୋକସେବକ ମଣ୍ଡଳର ଅନ୍ୟତମ ଆଜୀବନ ସଦସ୍ୟ, ଯୁବ ପ୍ରତିଭା ଡ. ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ ସଙ୍ଗୀ ମିଳିଲେ। ପଣ୍ଡିଚେରୀ ଶ୍ରୀମା ଅରବିନ୍ଦ ଆଶ୍ରମକୁ ଯିବାର ଅପୂର୍ବ ସୁଯୋଗ। ପ୍ରଭୁ ଆଶୀର୍ବାଦ ମିଳିଲା। ତମକୁ ବହୁବାର ଦେଖିଛି ଜୀବନରେ। ଏଇ ଶେଷ କେତେ ବର୍ଷ ପରି ସେଥିରେ ଘନିଷ୍ଠତା ନ ଥିଲା। ମାତ୍ର ସବୁଥର ତମକୁ ପ୍ରଣାମ କଲାବେଳେ ଲାଗେ, ତମେ ବହୁ ବର୍ଷର ଚିହ୍ନା ଜଣେ କେହି ଅନ୍ତରଙ୍ଗ। ଏତେ ବ୍ୟସ୍ତବହୁଳ, ଠେଲାପେଲା ସଭାରେ ତମକୁ ଯିଏ ବି ନମସ୍କାର କରେ, ତମେ କାର୍ଯ୍ୟବ୍ୟସ୍ତତା ବାହାନାରେ କେବେ ବି ତାକୁ ଏଡ଼େଇ ଯାଇନ। ଅଟକି ଯାଅ ମୁହୂର୍ତ୍ତେ। ସ୍ମିତ ହସରେ ତାକୁ ଚାହିଁଦିଅ ଥରଟେ। ୟେ ତ ତମର ଏକ ଅଭ୍ୟାସଗତ ଚଳନି। ମାତ୍ର କ’ଣ ଥାଏ ତମର ସେ ଚାହାଣିରେ? ଏ ଚାହାଣିରୁ ସେ ଲୋକଟା ତମ ମନର ଏତେ ଅନ୍ତରଙ୍ଗତା ଭାବରେ ଜୁଡ଼ୁବୁଡ଼ୁ କେମିତି ହୋଇଯାଏ? ଛାଡ଼ ସେ କଥା। ପଣ୍ଡିଚେରୀରେ ପହଞ୍ଚିବା ପରେ ତମକୁ ଭେଟିବା ସମସ୍ୟା ହୋଇଗଲା। ତମର ଏ ଗୁରୁତର ଅସୁସ୍ଥି ମଧ୍ୟରେ ସାକ୍ଷାତ ସୁଯୋଗ ଚିକିତ୍ସକ ଦେବେନି ବୋଲି ଶୁଣିଲୁ। ମନ ଫିକା ପଡ଼ିଗଲା। ଆଖି ବୁଜି ହୋଇଗଲା। ପ୍ରଭୁ ନୁହେଁ, ତମ ହସହସ ମୁହଁ ମନରେ ଦିଶିଲା। ଶେଷକୁ ଏକ ମିନିଟ ପାଇଁ ଅନୁମତି ମିଳିଲା। ତମ ଶେଯଠୁ କିଛି ଛଡ଼ାରେ ଠିଆ ହେଲୁ। ତମର ପରବର୍ତ୍ତୀ ଔଷଧ ଖାଇବା ବେଳକୁ ସେବିକାମାନେ ସେ ଉଠିବା ପର୍ଯ୍ୟନ୍ତ ଠିଆ ହୋଇ ରହିବାକୁ କହିଲେ। ତା’ ବି ଆମ ପାଇଁ ଅପୂର୍ବ ଥିଲା। ମାତ୍ର ଆଖି ବୁଜି ତମେ ଔଷଧ ସେବିକାଙ୍କଠୁ ଖାଇଲ, ପୁଣି ଶୋଇ ପଡ଼ିଲ। ଦେବକନ୍ୟା ତୁଲ୍ୟା ସେଦିନର ସେ ସେବିକା ତମ ମୁଣ୍ଡରେ ହାତ ଆଉଁଶି, ‘‘ଦେଖନ୍ତୁ, ଓଡ଼ିଶାରୁ, ‘ସମାଜ’ରୁ କିଏ ସବୁ ଆସିଛନ୍ତି’’ ବୋଲି କହିଲେ। ତମେ ଆଖି ଫିଟେଇଦେଲ। ତମେ ବହୁଦିନ ହେବ କୁଆଡ଼େ ହସି ନ ଥିଲ। ଆମେ ବି ଦେଖିଲୁ ତମ ସ୍ମିତ ହସ। ଟିକିଏ ଚାହିଁ କହିଲ, ‘‘ଆରେ ତମେ ଏତେ ବାଟ ଆସିଛ?’’ ତା’ ପରେ ବାଗ୍ମୀର ତୁଣ୍ଡ ଫିଟିଗଲା। ଶରଶଯ୍ୟାରେ ଭୀଷ୍ମ ପିତାମହଙ୍କ କୁରୁକ୍ଷେତ୍ରରେ କୃଷ୍ଣ ଓ ପାଣ୍ଡବମାନଙ୍କୁ ବାଣୀ କଥା ମନକୁ ଆସୁଥାଏ। ଓଃ ଓଡ଼ିଶା, ଓଡ଼ିଆଙ୍କୁ ତମେ ସତରେ ଏତେ ଭଲ ପାଅ! ହାତ ଯୋଡ଼ି କ୍ଷୀଣ ସ୍ବରରେ ତମେ କହୁଥିଲ, ‘‘ଓଡ଼ିଶା ଓ ପ୍ରତି ଓଡ଼ିଆ ପାଖରେ ମୁଁ ଋଣୀ ରହିଯାଇଛି। ସମସ୍ତଙ୍କୁ ମୋର ପ୍ରଣାମ ଦେବ’’ ଇତ୍ୟାଦି। ତମ ଆଖି କୋଣରେ ଲୁହ ଜକେଇ ଆସୁଥିଲା ସେଦିନ।

ଅରବିନ୍ଦ ଆଶ୍ରମର ମଣି ତମେ ଥିଲ। ମାତ୍ର କାଇଁ ସେଠି ସେ ପଲଟଣ ତମର? କ୍ଷୁଦ୍ରାତିକ୍ଷୁଦ୍ର ତମେ ନିଜକୁ ସେଠି ବନେଇଥିଲ। ତା’ ତ ସାଧନା। ତା’ ତ ତମର ନିରହଂକାର ଭାବ ଓ ସାଧନା। ମଣିଷ ପରି ମଣିଷଟିଏ ତମେ ଥିଲ। ଆଉ ପ୍ରତିଭା-ଅହଂ ମଧ୍ୟରେ ପ୍ରାୟ ସଭିଙ୍କଠି ସେ ମଣିଷପଣିଆ ହଜିଯାଏ। ତମେ ଯୁଗପୁରୁଷ ବନିଗଲ, ଚିର ଅବିସ୍ମରଣୀୟ ରହିବ ସେଇଥିପାଇଁ। ତମେ ନାହଁ ଆଜି। ଯଦୁପତେଃ କ୍ବ ଗତା ମଥୁରାପୁରୀ ରଘୁପତେଃ କ୍ବ ଗତୋତ୍ତର କୋଶଳଃ ଇତି ବିଚିନ୍ତ୍ୟ କୁରୁ ସ୍ବମନଃ ସ୍ଥିରଂ। ନସଦିଦଂ ଜଗତିତ୍ୟବଧାରୟ’’।

ମାନସିଂଙ୍କ ଗୋପବନ୍ଧୁଙ୍କ ପାଇଁ ଲେଖା ମନେପଡ଼ୁଛି-

‘‘ନଗରେ ନଗରେ ନାଗରିକଗଣ ନୟନେ ଅଶ୍ରୁ ଭରି

ଆସ ହେ ସକଳେ ରାଜପଥ ପରେ ଚରଣ ନଗ୍ନ କରି

ମଥା ନତ କରି ସମ୍ମାନ କର ସ୍ବର୍ଗତ ମହାଜନେ

କହ ତମ ମଧ୍ୟେ କିଏ ଅଛି ଆଉ ତାହା ପରି ଆଉ ଜଣେ।’’

ନିରଞ୍ଜନ ରଥ

ମୁଦ୍ରାକର ଓ ପ୍ରକାଶକ, ‘ସମାଜ’

ଗୋପବନ୍ଧୁ ଭବନ, କଟକ

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories