ଲକ୍ଷ୍ନୌ: ଉତ୍ତରପ୍ରଦେଶରେ କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ତାଲାବନ୍ଦ ଅବଧିକୁ ବଢାଇ ଦିଆଯାଇଛି। ପୂର୍ବରୁ ଗୁୁରୁବାର ସକାଳ ୭ଟା ପର୍ଯ୍ୟନ୍ତ ଲାଗୁ ହୋଇଥିବା ତାଲାବନ୍ଦକୁ ଏବେ ସୋମବାର ସକାଳ ୭ଟା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ଉତ୍ତରପ୍ରଦେଶରେ ସରକାର। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ଜୟ ପ୍ରତାପ ସିଂଙ୍କ ସମେତ ବରିଷ୍ଠ ସରକାରୀ କର୍ମଚାରୀମାନେ ଯୋଗ ଦେଇଥିଲେ।
ସୂଚନାଯୋଗ୍ୟ, ଏପ୍ରିଲ ୨୯ ତାରିଖରେ ଯୋଗୀ ସରକାର ରାଜ୍ୟରେ ଶୁକ୍ରବାର ସନ୍ଧ୍ୟା ୮ଟାରୁ ମଙ୍ଗଳବାର ସକାଳ ୭ଟା ପର୍ଯ୍ୟନ୍ତ ତାଲାବନ୍ଦ ନିଷ୍ପତ୍ତି ନେଇଥିଲେ। ଏହାପରେ ପୁଣି ମେ ୩ ତାରିଖରେ ଏହାର ଅବଧି ୨ ଦିନ ବଢାଇ ଗୁରୁବାର(ମେ’୬) ସକାଳ ୭ଟା ପର୍ଯ୍ୟନ୍ତ ଲାଗୁ କରିଥିଲେ। ତେବେ ଆଜି ରାଜ୍ୟର ତାଲାବନ୍ଦ ଅବଧି ସୋମବାର ସକାଳ ୭ଟା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।



