www.samajalive.in
Monday, December 8, 2025
17.1 C
Bhubaneswar

ମୁସଲିମ ଝିଅ ମାମୁନିର ବେଦ ପାଠ ; ଉଚ୍ଚଶିକ୍ଷା ଦାୟିତ୍ବ ନେଲେ କେନ୍ଦ୍ରମନ୍ତ୍ରୀ

ଲଙ୍ଗଳେଶ୍ୱର : ବାଲେଶ୍ବର ଜିଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ସୁନାରୁହି ଗାଁର ଗରିବ ମୁସଲିମ ପରିବାରରେ ଜନ୍ମିତ ଛାତ୍ରୀଙ୍କ ବେଦପାଠ ସମସ୍ତଙ୍କୁ ଚକିତ କରିଥିବାବେଳେ ସମ୍ପୃକ୍ତ ଛାତ୍ରୀର ଉଚ୍ଚଶିକ୍ଷା ଦାୟିତ୍ବ ନେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ସୂନାରୁଇ ଗାଁର ଶ୍ୟାମସୁଦ୍ଦିନ ସାହା ଓ ଲଗିନା ବିବିଙ୍କ କନିଷ୍ଠକନ୍ୟା ହେଉଛନ୍ତି ମାମୁନି ଖାତୁନ। ଶ୍ୟାମସୁଦ୍ଦିନଙ୍କର ଗୋଟିଏ ପୁଅ ଓ ୫ ଝିଅ। ପିଲାଟି ଦିନରୁ ମାମୁନି ଭକ୍ତ ସାଲବେଗ ଭଳି ଜଗନ୍ନାଥଙ୍କ ପୂଜା କରିବା ସହ ହିନ୍ଦୁ ଗ୍ରନ୍ଥ ପଠନ, ବେଦମନ୍ତ୍ର ପ୍ରତି ଆକୃଷ୍ଟ ହୋଇଥିଲେ। ଶ୍ରୀଜଗନ୍ନାଥଙ୍କ ଭଜନ, ମା’ ସରସ୍ବତୀ ଓ ଗଣେଷ ବନ୍ଦନା ସମେତ ସମସ୍ତ ହିନ୍ଦୁ ଦେବଦେବୀଙ୍କର ମନ୍ତ୍ରକୁ ସୁନ୍ଦର ତଥା ସୁମଧୁର କଣ୍ଠରେ ସେ ଗାନ କରିପାରନ୍ତି। ଧର୍ମକୁ ନେଇ ସାରାବିଶ୍ବରେ ଅନେକ ବିଦ୍ବେଷ ଦେଖିବାକୁ ମିଳୁଥିବାବେଳେ ହିନ୍ଦୁ ଦେବଦେବୀଙ୍କ ମନ୍ତ୍ର ଓ ଭଜନରେ ନିପୁଣ ଏହି ମୁସଲମାନ ଝିଅ ଆଜି ସାରା ବିଶ୍ବ ପାଇଁ ପ୍ରେରଣା ପାଲଟିଛନ୍ତି। ମୁସଲିମ ସମ୍ପ୍ରଦାୟର ଆଲ୍ଲାଙ୍କୁ ମଧ୍ୟ ସେ ଭକ୍ତି କରିବା ସହ ନମାଜ୍‌ ପାଠ ବି କରନ୍ତି। ମାମୁନିଙ୍କର ଇଚ୍ଛା ଭବିଷ୍ୟତରେ ଜଣେ ସଂସ୍କୃତ ଶିକ୍ଷୟିତ୍ରୀ ହୋଇ ଶିକ୍ଷାଦାନ କରିବେ। ବାପା ଶ୍ୟାମସୁଦ୍ଦିନ ଦିନ ମଜୁରିଆ ହୋଇଥିବା କାରଣରୁ ପର ଘରେ ମୂଲ ଲାଗି ଯାହା ରୋଜଗାର କରନ୍ତି ସେଥିରେ କଷ୍ଟେମଷ୍ଟେ ପରିବାର ଚଳେ। ଗୋଟିଏ ପଟେ ଅଭାବ ଅନଟନ ପରିବାରରେ ଲାଗି ରହିଥିବାବେଳେ ସବୁ ପିଲାଙ୍କୁ ଉଚ୍ଚଶିକ୍ଷା ଦେବା ତାଙ୍କ ପକ୍ଷରେ ସମ୍ଭବ ନୁହେଁ। ଅର୍ଥାଭାବ ଥିବାବେଳେ ମୁଣ୍ଡ ଗୁଞ୍ଜିବାକୁ ଭଲ ଘର ଖଣ୍ଡିଏ ବି ନାହିଁ। ଭଙ୍ଗା ମାଟି ଚାଳ ଛପର ଘରେ ଖରା, ବର୍ଷା, ଶୀତ କାକରରେ ଅତି ଦୟନୀୟ ଅବସ୍ଥାରେ ସପରିବାର ଜୀବନ ବିତାଉଛନ୍ତି। ତଥାପି ମାମୁନିଙ୍କ ସ୍ବପ୍ନକୁ ପୂରଣ କରିବାକୁ ବାପା-ମା’ ଉଭୟ ଭୋକ ଉପାସରେ ରହି ମଧ୍ୟ ଝିଅକୁ ପଢ଼ାଇଛନ୍ତି। ମାମୁନିଙ୍କ ବେଦପାଠ ଖବର ପ୍ରଚାର ହେବା ପରେ ଶୁକ୍ରବାର ଅପରାହ୍ଣରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ସୂନାରୁଇ ଗାଁରେ ପହଞ୍ଚିଥିଲେ। ମାମୁନିଙ୍କ ଉଚ୍ଚଶିକ୍ଷା ପାଇଁ ସମସ୍ତ ପଢ଼ା ଖର୍ଚ୍ଚ ଏବଂ ପକ୍କାଘର ନିର୍ମାଣ ଲାଗି ସରକାରୀସ୍ତରରେ ସମସ୍ତ ସହାୟତା ଯୋଗାଇବାର ପ୍ରତିଶ୍ରୁତି ଦେଇଛନ୍ତି। ମନ୍ତ୍ରୀଙ୍କ ସହ ବିଜେପି ଜିଲା ସଭାପତି ଉମାକାନ୍ତ ମହାପାତ୍ର, ମନ୍ତ୍ରୀଙ୍କ ବାଲିଆପାଳ ବ୍ଲକ ପ୍ରତିନିଧି ମହେଶ୍ୱର ଜେନା, ଅଜୟକୁମାର ସାହୁ, ଅରବିନ୍ଦ ବେହେରା, ଲଙ୍ଗଳେଶ୍ୱର ମଣ୍ଡଳ ସଭାପତି ଗଗନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories