www.samajalive.in
Tuesday, December 9, 2025
16.1 C
Bhubaneswar

ଚଳିତ ବର୍ଷ ସ୍ବାଭାବିକ ମୌସୁମି ବର୍ଷା

-ଓଡ଼ିଶାରେ କମ ବର୍ଷିବ ମୌସୁମି,-୭ ଜିଲାରେ ସ୍ବାଭାବିକଠାରୁ କମ ବର୍ଷା
-ଆରବସାଗର ଅପେକ୍ଷା ବଙ୍ଗୋପସାଗରରେ ଅଧିକ ଲଘୁଚାପ, -ଅକ୍ଟୋବର, ନଭେମ୍ବରରେ ସ୍ବାଭାବିକଠାରୁ ଅଧିକ ବର୍ଷା

ଭୁବନେଶ୍ୱର : ଚଳିତ ବର୍ଷ ଦେଶରେ ସ୍ୱାଭାବିକ ମୌସୁମି ବର୍ଷା ୯୮ ପ୍ରତିଶତ ବର୍ଷିବ। ହୁଏତ ସ୍ବାଭାବିକ ବର୍ଷାରୁ ୫ ପ୍ରତିଶତ କମ କିମ୍ବା ଅଧିକ ବର୍ଷା ହୋଇପାରେ। ଜୁନରୁ ସେପ୍ଟେମ୍ବର ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ପ୍ରଭାବରେ ହାରାହାରି ବୃଷ୍ଟିପାତ ୯୬ରୁ ୧୦୪ ପ୍ରତିଶତ ମଧ୍ୟରେ ରହିବାର ସମ୍ଭାବନା ରହିଛି। ତେବେ ସ୍ବାଭାବିକ ବୃଷ୍ଟିପାତ ହେବାର ସମ୍ଭାବନା ୪୦ ପ୍ରତିଶତ ଥିବାବେଳେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ୨୧ ପ୍ରତିଶତ ରହିଛି। କିନ୍ତୁ ଭାରତୀୟ ପାଣିପାଗ ବିଭାଗ ଆକଳନ ଅନୁଯାୟୀ ଉତ୍ତର-ପୂର୍ବ ଭାରତର ରାଜ୍ୟ ଓଡ଼ିଶା, ଆସାମ, ଝାରଖଣ୍ଡ ଏବଂ ପଶ୍ଚିମବଙ୍ଗର ଗାଙ୍ଗେଟିକ ଅଞ୍ଚଳରେ ମୌସୁମି ବର୍ଷା ସ୍ବାଭାବିକରୁ କମ ବର୍ଷିବାର ସମ୍ଭାବନା ହେଉଛି ୩୫ରୁ ୬୫ ପ୍ରତିଶତ, ଅର୍ଥାତ ଓଡ଼ିଶାରେ ସ୍ବାଭାବିକରୁ କମ ବର୍ଷା ହୋଇପାରେ।
ଶୁକ୍ରବାର ପାଣିପାଗ ବିଭାଗ ପ୍ରେସ୍‍ ବିଜ୍ଞପ୍ତିରେ ଜଣାଇଛି ୧୯୬୧ରୁ ୨୦୧୦ ମଧ୍ୟରେ ଦେଶରେ ହୋଇଥିବା ସ୍ୱାଭାବିକ ବର୍ଷାର ହାରାହାରିକୁ ଦୀର୍ଘକାଳୀନ ଅବଧି ହାରାହାରି ବୃଷ୍ଟିପାତ ଭାବେ ମୌସୁମି ଋତୁରେ ୮୮ ସେଣ୍ଟିମିଟର ବା ୮୮୦ ମିଲିମିଟର ବର୍ଷା ହେଲେ ତାକୁ ଦୀର୍ଘକାଳୀନ ହାରାହାରି ବର୍ଷା କୁହାଯାଏ। ଭୂ-ବିଜ୍ଞାନ ମନ୍ତ୍ରାଳୟ ସଚିବ ଏମ୍‌. ରାଜୀବ କହିଛନ୍ତି ଦୀର୍ଘକାଳୀନ ହାରାହାରି ବର୍ଷା ହିସାବରେ ଚଳିତ ବର୍ଷ ମୌସୁମି ଋତୁରେ ୯୮ ପ୍ରତିଶତ ବର୍ଷା ହେବ। ଯାହାକି ସ୍ୱାଭାବିକ ବର୍ଷା ଭାବେ ଗୃହୀତ। ଯଦି ସ୍ବାଭାବିକ ବୃଷ୍ଟିପାତ ହୁଏ ତେବେ ଦେଶର କୃଷକଙ୍କ ପାଇଁ ଭଲ ଖବର। ସ୍ୱାଭାବିକ ମୌସୁମି ବୃଷ୍ଟିପାତ ହେଲେ କୃଷିଜାତ ଉତ୍ପାଦନ ଅଧିକ ହୋଇଥାଏ। ୨୦୧୯-୨୦୨୦ରେ ସ୍ୱାଭାବିକ ମୌସୁମି ବର୍ଷା ହୋଇଥିଲା। ଏହାପୂର୍ବରୁ ୧୯୯୬, ୧୯୯୭ ଏବଂ ୧୯୮୮ରେ ମଧ୍ୟ କ୍ରମାଗତ ସ୍ୱାଭାବିକ ବର୍ଷା ହୋଇଥିଲା। ମେ ପ୍ରଥମ ସପ୍ତାହର ବାୟୁମଣ୍ଡଳର ଜଳବାୟୁ ଏବଂ ସମୁଦ୍ର ଉପରି ଭାଗ ତାପମାତ୍ରାକୁ ବିଭିନ୍ନ ମଡେଲକୁ ତଥ୍ୟ ଦିଆଯିବ। ପରେ ମେ ଶେଷ ସୁଦ୍ଧା ଦ୍ବିତୀୟ ଆକଳନ ପ୍ରକାଶ ପାଇବ। କେରଳରେ କେବେ ମୌସୁମି ବାୟୁ ପ୍ରବେଶ କରିବ ତାହା ଜଣାପଡିବ। ବିଭାଗ ପକ୍ଷରୁ ବର୍ତ୍ତମାନ ଯେଉଁ ମୌସୁମି ବର୍ଷା ଜନିତ ଆକଳନ ପ୍ରକାଶ ପାଇଛି ମାର୍ଚ୍ଚ ପ୍ରଥମ ସପ୍ତାହର ବାୟୁମଣ୍ଡଳ ଜଳବାୟୁ ଏବଂ ସମୁଦ୍ର ଉପରି ଭାଗ ତାପମାତ୍ରା ତଥ୍ୟ ମଡେଲକୁ ଦିଆଯାଇ ଆକଳନ ପ୍ରକାଶ ପାଇଛି। ଗତବର୍ଷ ପୂର୍ବ-ପ୍ରଶାନ୍ତ ମହାସାଗରରେ ଲା-ନିନା ରହିଥିଲା। ଏ ବର୍ଷ ଯାହା ଅନୁମାନ କରାଯାଉଛି ଲା-ନିନା ସମୁଦ୍ର ଉପରି ଭାଗରେ ମେ ବେଳକୁ ରହିବ ନାହିଁ। ଜୁନରୁ ସେପ୍ଟେମ୍ବର ବେଳକୁ ପ୍ରଶାନ୍ତ ମହାସାଗରରେ ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ଉପରେ କୌଣସି ପ୍ରଭାବ ପଡିବ ନାହିଁ। ଯାହାଦ୍ବାରା ଭଲ ବର୍ଷା ହୋଇପାରେ ବୋଲି ଆକଳନରୁ ଜଣାପଡିଛି।
ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଭାରତୀୟ ପାଣିପାଗ ବିଭାଗ ଦ୍ବାରା ପ୍ରକାଶିକ ମୌସୁମିର ପ୍ରଥମ ଆକଳନ ଅନୁଯାୟୀ ପୂର୍ବ ଭାରତର ଅଧିକାଂଶ ସ୍ଥାନରେ ମୌସୁମି ବର୍ଷା ସ୍ବାଭାବିକଠାରୁ କମ ହୋଇପାରେ। ଓଡ଼ିଶା ସହିତ ଝାରଖଣ୍ଡ, ଉତ୍ତର ଛତିଶଗଡ, ପୂର୍ବ ଉତ୍ତର ପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗର କେତେକ ଜିଲା ଏବଂ ପୂର୍ବୋତ୍ତର ରାଜ୍ୟର ଅନେକ ଅଞ୍ଚଳ ଅନ୍ତର୍ଭୁକ୍ତ। ଓଡ଼ିଶାର ଆଭ୍ୟନ୍ତରୀଣ ଉତ୍ତର-ପଶ୍ଚିମ ସୁନ୍ଦରଗଡ, ଝାରସୁଗୁଡା ଓ ଦେବଗଡ ଜିଲାରେ ସ୍ବାଭାବିକଠାରୁ କମ ବର୍ଷା ହେବାର ସମ୍ଭାବନା ହେଉଛି ୩୫ରୁ ୫୫ ପ୍ରତିଶତ। ଉତ୍ତର ଉପକୂଳ ବାଲେଶ୍ବର, ଭଦ୍ରକ, ଯାଜପୁର ଓ ସଂଲଗ୍ନ ଜିଲା ସହ କେନ୍ଦ୍ରୀୟ ଉପକୂଳ କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ ଏବଂ ସଂଲଗ୍ନ ଜିଲାରେ ଦୀର୍ଘକାଳୀନ ହାରାହାରି ବର୍ଷା ହୋଇପାରେ।
ଆଭ୍ୟନ୍ତରୀଣ ଗଞ୍ଜାମ, ଗଜପତି ଓ ସଂଲଗ୍ନ ଅଞ୍ଚଳରେ ସ୍ବାଭାବିକ ଠାରୁ ଅଧିକ ବର୍ଷାର ସମ୍ଭାବନା ରହିଛି। ସମ୍ବଲପୁର, ଅନୁଗୋଳ, ଢେଙ୍କାନାଳ ଏବଂ ନୟାଗଡ ଜିଲାରେ ସ୍ବାଭାବିକଠାରୁ କମ ବର୍ଷା ହେବାର ସମ୍ଭାବନା ହେଉଛି ୪୫ ପ୍ରତିଶତ। ସେପ୍ଟେମ୍ବରେ ଉପକୂଳବର୍ତ୍ତୀ ଜିଲାଗୁଡିକର କେତେକ ସ୍ଥାନରେ କମ ବର୍ଷା ହୋଇପାରେ। ମୌସୁମି ଟ୍ରଫ୍‌ ଠିକ ଭାବେ ସୃଷ୍ଟି ହୋଇଥିବା ହେତୁ ମୌସୁମି ପବନକୁ ଭାରତ ମହାସାଗରକୁ ଟାଣି ଆଣିବ। ଆରବ ସାଗର ଅପେକ୍ଷା ବଙ୍ଗୋପସାଗରରେ ଅଧିକ ଲଘୁଚାପ ସୃଷ୍ଟି ହୋଇପ‌ାରେ। ଲା-ନିନାର ପୁନଃ ସକ୍ରିୟତା ଯୋଗୁଁ ଅକ୍ଟୋବର ଓ ନଭେମ୍ବରରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇପାରେ। ଚଳିତ ବର୍ଷର ମୌସୁମି ବର୍ଷା ଖରିଫ ଫସଲ ପାଇଁ ଅନୁକୂଳ ରହିବ ଆକଳନ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories