www.samajalive.in
Monday, December 8, 2025
17.1 C
Bhubaneswar

ପରୀକ୍ଷାରୁ ମୁକ୍ତି

କେନ୍ଦ୍ର ସରକାର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାକୁ ବାତିଲ୍‌ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ ରଖିବା ନେଇ ବୁଧବାର ଘୋଷଣା କରିବା ପରେ ରାଜ୍ୟ ସରକାର ଗୁରୁବାର ରାଜ୍ୟର ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିର୍ଦେଶ ଦେଇଛନ୍ତି। ଫଳରେ ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ମେ ୧୮ରୁ ଆରମ୍ଭ ହେବାକୁ ଥିବା ଦ୍ବାଦଶ ଶ୍ରେଣୀ ପରୀକ୍ଷା ଓ ମେ ୩ରୁ ହେବାକୁ ଥିବା ମାଟ୍ରିକ୍‌ ପରୀକ୍ଷା ହେବ ନାହିଁ। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ କରୋନା ମହାମାରୀ ସ୍ଥିତିରେ ଉନ୍ନତି ଆସିଲେ ଜୁନ୍‌ ପ୍ରଥମ ସପ୍ତାହରେ ଏ ନେଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ପରୀକ୍ଷା ସମ୍ପର୍କିତ ଏହି ପଦକ୍ଷେପ ନିଶ୍ଚିତଭାବେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଆଶ୍ବସ୍ତ କରିବ। ବୋର୍ଡ ପରୀକ୍ଷାକୁ ଛାତ୍ର ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ମୋଡ଼ ବୋଲି ଧରାଯାଇଥାଏ; କାରଣ ସେଥିରେ ପାଇଥିବା ନମ୍ବର ପିଲାଙ୍କ କ୍ୟାରିୟର୍‌ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ। ତେଣୁ ଏଥର ମଧ୍ୟ ଗତଥର ପରି ଛାତ୍ରଛାତ୍ରୀ ଓ ଅଭିଭାବକ ବଡ଼ ଚିନ୍ତାରେ ରହିଥିଲେ। କରୋନା ଭୂତାଣୁର ଦ୍ବିତୀୟ ତରଙ୍ଗ ସଂକ୍ରମଣ ଦେଶର କେତେକ ରାଜ୍ୟରେ ଅନିୟନ୍ତ୍ରିତ ହୋଇପଡ଼ିଥିବାବେଳେ ଓଡ଼ିଶାରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ପ୍ରତ୍ୟହ ବୃଦ୍ଧି ପାଉଛି। ତେଣୁ ଗୋଟିଏ ପଟେ ମହାମାରୀ ସଂକ୍ରମଣ ଓ ଅନ୍ୟପଟେ ପରୀକ୍ଷାଜନିତ ଚାପ, ପିଲାଏ ଉଭୟ ନେଇ ସଂଘର୍ଷ କରିଥା’ନ୍ତେ। କହିବା ବାହୁଲ୍ୟ ଯେ ସେଥିରୁ ସେମାନଙ୍କୁ ମୁକ୍ତି ଦିଆଯାଇଥିବାରୁ ଏହାକୁ ସ୍ବାଗତ କରାଯିବା ଉଚିତ। ତେବେ ଛାତ୍ରଛାତ୍ରୀଙ୍କୁ ପରବର୍ତ୍ତୀ ଶ୍ରେଣୀକୁ ଉନ୍ନୀତ କରିବାପାଇଁ ଏକ ଉପଯୁକ୍ତ ମୂଲ୍ୟାଙ୍କନ ବ୍ୟବସ୍ଥା ପ୍ରଚଳନ କରାଯିବା ଜରୁରୀ। ସିବିଏସ୍‌ଇ ମାଟ୍ରିକ୍ ପିଲାଙ୍କ ପାଇଁ ଏକ ବସ୍ତୁନିଷ୍ଠ ଅନ୍ତରୀଣ ମୂଲ୍ୟାଙ୍କନ କରାଯିବ ବୋଲି କୁହାଯାଇଛି। ଯେଉଁ ପିଲାମାନେ ଏଥିରେ ଅସନ୍ତୁଷ୍ଟ ହେବେ, ସେମାନଙ୍କୁ ମହାମାରୀ କମିଲେ ପରୀକ୍ଷା ଦେବାର ବ୍ୟବସ୍ଥା କରାଯିବ ବୋଲି ସୂଚନା ଦିଆଯାଇଛି। ରାଜ୍ୟ ସ୍ତରରେ ମଧ୍ୟ ଏପରି ବିକଳ୍ପ ବ୍ୟବସ୍ଥାମାନ ଗ୍ରହଣ କରିବା ଜରୁରୀ।
ବର୍ତ୍ତମାନ ସ୍ଥିତିରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ କେବଳ ବୟସ୍କ ନୁହନ୍ତି, କିଶୋର ଓ ଶିଶୁମାନଙ୍କ ପ୍ରତି ମଧ୍ୟ ବିପଦ ରହିଛି। ବିଶେଷଜ୍ଞଙ୍କ ମତରେ ୧୫ ବର୍ଷର କିଶୋର ଓ ତା’ଠାରୁ କମ୍‌ ବୟସର ଶିଶୁମାନେ ମହାମାରୀର ଦ୍ବିତୀୟ ତରଙ୍ଗରେ ଆକ୍ରାନ୍ତ ହେଉଛନ୍ତି। ତେଣୁ ସେମାନଙ୍କ ସ୍ବାସ୍ଥ୍ୟ ନିରାପତ୍ତାକୁ ଦୃଷ୍ଟିରେ ରଖିବା ସର୍ବାଦୌ ଆବଶ୍ୟକ। ଏହା ଜରୁରୀ ଏଇଥିପାଇଁ ମଧ୍ୟ ଯେ ମେ ମାସ ଶେଷ ସୁଦ୍ଧା ସଂକ୍ରମଣ ଶୀର୍ଷକୁ ଛୁଇଁବ ବୋଲି ବିଶେଷଜ୍ଞମାନେ ଅନୁମାନ କରିଛନ୍ତି। ଏପରିକି ସେହି ସମୟରେ ଦେଶରେ ଦୈନିକ ସଂକ୍ରମଣ ୩ ଲକ୍ଷରୁ ଅଧିକ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ପରୀକ୍ଷାସବୁ ମଧ୍ୟ ଠିକ୍‌ ସେହି ସମୟରେ ହେବାପାଇଁ ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଥିଲା। ରାଜ୍ୟ ସରକାର ଏବେ ଏପ୍ରିଲ ୧୯ରୁ ଦଶମ ଓ ଦ୍ବାଦଶ ଶ୍ରେଣୀର ଶିକ୍ଷାଦାନ ରଖିବାକୁ ମଧ୍ୟ ନିର୍ଦେଶ ଦେଇଛନ୍ତି ଓ ସ୍କୁଲ୍‌ରେ ସମସ୍ତ ପ୍ରକାରର ଶୈକ୍ଷିକ କାର୍ଯ୍ୟକ୍ରମକୁ ରଦ୍ଦ କରିବାକୁ କୁହାଯାଇଛି। ପିଲାଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେବା ଅଯଥାର୍ଥ ନୁହେଁ। ଦେଶର ଅନ୍ୟାନ୍ୟ କେତେକ ରାଜ୍ୟ ମଧ୍ୟ ସେଠାକାର ରାଜ୍ୟସ୍ତରୀୟ ବୋର୍ଡ ପରୀକ୍ଷାଗୁଡ଼ିକୁ ବାତିଲ୍‌ ବା ସ୍ଥଗିତ କରିଛନ୍ତି। ଏଥିରେ ସନ୍ଦେହ ନାହିଁ ଯେ ନିଜ ଘରର ଚାରିକାନ୍ଥ ଭିତରେ ବର୍ଷବର୍ଷ ଧରି ଆବଦ୍ଧ ରହି ଅନ୍‌ଲାଇନ୍‌ କ୍ଲାସ୍‌ ମାଧ୍ୟମରେ ଶିକ୍ଷାଗ୍ରହଣ କରିବା ଛାତ୍ରଛାତ୍ରୀଙ୍କ ପାଇଁ କ୍ଳେଶଦାୟକ ଓ କ୍ଳାନ୍ତିକର। ଅନେକ ପିଲା ମାନସିକ ଭାବେ ଭାରାକ୍ରାନ୍ତ ରହି ବିଭିନ୍ନ ରୋଗରେ ପୀଡ଼ିତ ହେଉଥିବା ଦେଖିବାକୁ ମିଳୁଛି। ବିଦ୍ୟାଳୟର ପ୍ରାକୃତିକ ପରିବେଶ, ପଢ଼ାମେଳ, ସାଙ୍ଗସାଥୀ, କ୍ରୀଡ଼ାକସରତ ଛାଡ଼ି ବର୍ଷାଧିକ କାଳ କେବଳ ନିଜର ପରିବାର ସହ ବିତାଇବା ଦ୍ବାରା ସେମାନେ ପ୍ରକୃତ ଶିକ୍ଷାରୁ ବଞ୍ଚିତ ହୋଇଛନ୍ତି। ଏହାଛଡ଼ା ଅନ୍ୟ ଉପାୟ ମଧ୍ୟ ନାହିଁ। ଆଗକୁ କେତେଦିନ ଏ ସ୍ଥିତି ଲାଗି ରହିବ, ତା’ର କିଛି ଠିକଣା ନାହିଁ। ପିଲାଙ୍କର ଏ ଦୁର୍ଦିନରେ ବାପାମାଆ ଓ ଅଭିଭାବକମାନେ ସେମାନଙ୍କୁ ମାନସିକ ଓ ନୈତିକ ବଳ ଯୋଗାଇବା ନିହାତି ଆବଶ୍ୟକ।
ସରକାରଙ୍କ ପରୀକ୍ଷା ବାତିଲ୍‌ ଓ ସ୍ଥଗିତ ନିଷ୍ପତ୍ତିକୁ କେତେକ ମହଲ ନାପସନ୍ଦ କରୁଥିବା ଦେଖିବାକୁ ମିଳିଛି। ସେମାନଙ୍କର ଯୁକ୍ତି ହେଲା, ଏହାଦ୍ବାରା ପିଲାଙ୍କ ପାଠର ପ୍ରକୃତ ମୂଲ୍ୟାୟନ ହୋଇପାରିବ ନାହିଁ। ସର୍ବୋପରି ଏହି ଗୋଷ୍ଠୀର ପ୍ରଶ୍ନ, ରାଜନୈତିକ ଓ ଧାର୍ମିକ କାର୍ଯ୍ୟକ୍ରମଗୁଡ଼ିକରେ ଲକ୍ଷାଧିକ ଲୋକଙ୍କ ସମାଗମକୁ ନିଷିଦ୍ଧ କରାଯାଉ ନଥିବାବେଳେ ପିଲାଙ୍କ ପରୀକ୍ଷାକୁ ବାତିଲ୍‌ କରିବା କେତେ ଠିକ୍‌? ଏ ପ୍ରଶ୍ନ ଅବଶ୍ୟ ଯଥାର୍ଥ, କାରଣ ଆମେ ଦେଖୁଛୁ ଯେ ନିର୍ବାଚନ ପ୍ରଚାର ପାଇଁ ଆୟୋଜିତ ସଭାସମିତି ଓ ଶୋଭାଯାତ୍ରାଗୁଡ଼ିକରେ ଲକ୍ଷାଧିକ ଜନସମାଗମ ହେଉଛି ଓ ସେଠାରେ ଲୋକେ ଠିକ୍‌ଭାବେ ମାସ୍କ ପିନ୍ଧୁନାହାନ୍ତି କିମ୍ବା ସାମାଜିକ ଦୂରତା ଅବଲମ୍ବନ କରୁନାହାନ୍ତି। ସେହିପରି କୁମ୍ଭମେଳାରେ ଲକ୍ଷଲକ୍ଷ ଲୋକ ଯୋଗ ଦେଉଥିଲେ ହେଁ କରୋନା ମାର୍ଗଦର୍ଶିକାର ନୀତିନିୟମକୁ ପାଳନ କରୁନଥିବା ଦେଖାଯାଉଛି। ଏବେ ତାହା ହଟ୍‌ସ୍ପଟ୍‌ ବା କରୋନା ବ୍ୟାପିବାର ପ୍ରମୁଖ ସ୍ଥଳ ପାଲଟିଥିବା ଖବର ଆସିଲାଣି। ତେଣୁ କରୋନା ସଂକ୍ରମଣକୁ ରୋକିବାକୁ ହେଲେ କେବଳ ପରୀକ୍ଷାକୁ ବାତିଲ୍‌ କରିଦେଲେ ହେବନାହିଁ, ଏପରି ବୃହତ୍‌ ଜନସମାଗମକୁ ସଂପୂର୍ଣ୍ଣ ବନ୍ଦ କରିବା ସହ କୋଭିଡ୍‌ ନୀତିନିୟମର ପାଳନକୁ କଡ଼ାକଡ଼ି କରିବାକୁ ହେବ। ଦେଶରେ ଟିକାକରଣର ଗତିକୁ ଆହୁରି ବଢ଼ାଇବା ଜରୁରୀ।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories