www.samajalive.in
Tuesday, December 9, 2025
15.1 C
Bhubaneswar

ବେଆଇନ ଶାମୁକା ବ୍ୟବସାୟର ପେଣ୍ଠସ୍ଥଳ ବାଲିଆପାଳ ଉପକୂଳ

ମଧୁପୁରା: ବାଲେଶ୍ବରର ଜିଲା ବାଲିଆପାଳ ବ୍ଲକରେ ଦିନକୁ ଦିନ ବଢ଼ି ଚାଲିଛି ବେଆଇନ ଶାମୁକା ବ୍ୟବସାୟ। ବ୍ଲକର ସମୁଦ୍ର ଉପକୂଳବର୍ତ୍ତୀ ପଞ୍ଚାୟତଗୁଡ଼ିକରେ କିଛି ଅସାଧୁ ବ୍ୟକ୍ତି ଏଭଳି ବ୍ୟବସାୟ ଚଳାଇଛନ୍ତି। ଶାମୁକା ସବୁ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନକୁ ରପ୍ତାନୀ ହେଉଛି। ସପ୍ତାହରେ ପ୍ରାୟ ଦୁଇ ଶହ କୁଇଣ୍ଟାଲରୁ ଅଧିକ ଶାମୁକା ବେଆଇନ ଭାବେ ଚାଲାଣ ହେଉଥିବା ଜଣାପଡ଼ିଛି। ଏଥିପାଇଁ ଏକ ବଡ଼ ନେଟୱାର୍କ କାମ କରୁଛି। ଦିନ ଦ୍ବିପହରେ ସମୁଦ୍ର ବେଳାଭୂମିରୁ ଶାମୁକା ସଂଗ୍ରହ କରାଯାଉଛି। ସମୁଦ୍ର ବାଲିରେ ଶାମୁକାଗୁଡ଼ିକ ପାହାଡ଼ ଭଳି ଗଦା ହେଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଆଖି ବନ୍ଦ କରି ଅସାଧୁ ବ୍ୟବସାୟୀଙ୍କୁ ପରୋକ୍ଷରେ ପ୍ରତ୍ସୋହିତ କରୁଛନ୍ତି।
ବାଲିଆପାଳ ବ୍ଲକର ଉପକୂଳବର୍ତ୍ତୀ ୬ଟି ପଞ୍ଚାୟତର ଅଧିକାଂଶ ଲୋକ ସମୁଦ୍ରରୁ ମାଛ ମାରି ପରିବାର ପ୍ରତିପୋଷଣ କରିଥାନ୍ତି। ଏବେ କିନ୍ତୁ କିଛି ଅସାଧୁ ଲୋକ ବେଆଇନ ଶାମୁକା ବିକ୍ରି କରି ରାଜସ୍ବ ଫାଙ୍କୁଛନ୍ତି। ସମୁଦ୍ର ବେଳାଭୂମିରେ ଏହି ଅସାଧୁ ବ୍ୟବସାୟୀମାନେ ଛୋଟ ଫାସ ଥିବା ଜାଲ ବସାଇଉଛନ୍ତି। ସମୁଦ୍ରରେ ଜୁଆର ଆସିଲେ ପାଣି ସହିତ ଜୀବନ୍ତ ଓ ମୃତ ଶାମୁକା ଆସିଥାନ୍ତି। ଭଟ୍ଟା ସମୟରେ ଶାମୁକାଗୁଡିକ ଜାଲରେ ରହିଯାଇଥାନ୍ତି। ବେଳାଭୂମିରେ ବହୁ ମୃତ ଶାମୁକା ମଧ୍ୟ ପଡିଥାଏ ଯାହାକୁ ଗୋଟାଇ ବ୍ୟବସାୟୀମାନେ ବେଳାଭୂମିରେ ଶୁଖାଇଥାନ୍ତି। ଏହି ସ୍ଥାନରେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୁଏ ପର୍ଯ୍ୟଟକମାନେ ଭଲରେ ସମୁଦ୍ର ବେଳାଭୂମିରେ ବୁଲାବୁଲି କରିପାରନ୍ତି ନାହିଁ। ବ୍ଲକର ନୂଆଗାଁ, ଅଳାଡିହା, ବେତଗଡିଆ, ଡଗରା, ଚୌମୁଖ ଜମ୍ଭିରାଇ ପ୍ରଭୃତି ପଞ୍ଚାୟତରେ ଏଭଳି ବେଆଇନ ଶାମୁକା ବ୍ୟବସାୟ ବହୁଳ ଭାବେ ହେଉଥିବା ଦେଖିବାକୁ ମିଳିଛି। ବ୍ୟବସାୟୀମାନେ ନିଜ ନିଜ ବାଡ଼ିରେ ପାହାଡ଼ ଭଳି ଶାମୁକା ଗଦା କରି ରଖୁଛନ୍ତି। ବିଶେଷ କରି ଜମ୍ଭିରାଇରେ ଥିବା ଜଙ୍ଗଲ ବିଭାଗ କାର୍ଯ୍ୟାଳୟ ପ୍ରାଚୀର ସମ୍ମୁଖରେ ଶହଶହ ବସ୍ତା ଶାମୁକା ଗଦା ହୋଇଥିଲେ ମଧ୍ୟ ଏଥିପ୍ରତି କୌଣସି ବିଭାଗୀୟ ପ୍ରତିବନ୍ଧକ ନାହିଁ। ସାଧାରଣତଃ ଏସବୁ ଶାମୁକା ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଥିବା ଚୂନ, କୁକୁଡ଼ା ଖାଦ୍ୟ ଓ ମାଛ ଖାଦ୍ୟ ତିଆରି କାରଖାନାକୁ ଯାଉଥିବା ବ୍ୟବସାୟୀ ସୁଦାମ ବେରା କହିଛନ୍ତି। ପ୍ରତି କୁଇଣ୍ଟାଲ ଶାମୁକା ୫ ହଜାରରୁ ୬ ହଜାର ଟଙ୍କା ମଧ୍ୟରେ ବିକ୍ରି ହୋଇଥାଏ। ପ୍ରତ୍ୟେକ ସପ୍ତାହରେ ବାଲିଆପାଳ ବ୍ଲକରୁ ଦୁଇ ଶହରୁ ଅଧିକ କୁଇଣ୍ଟାଲ ଶାମୁକା ପିକଅପ ସାହାଯ୍ୟରେ ପଶ୍ଚିମବଙ୍ଗକୁ ଚାଲାଣ ହେଉଛି। ସମୁଦ୍ରରୁ ଶାମୁକା ନେଇ ବିକ୍ରି କରିବା ବେଆଇନ ହୋଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ସବୁଜାଣି ଚୁପ ହୋଇ ବସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରୁଛି। ଏ ସମ୍ପର୍କରେ ଡଗରା ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ସତ୍ୟାନନ୍ଦ ମହାନ୍ତିଙ୍କ ମତ ନେବାରୁ କହିଥିଲେ, ଉପକୂଳ ଅଞ୍ଚଳରେ ଶାମୁକା ବ୍ୟବସାୟ ବହୁମାତ୍ରାରେ ହେଉଛି। ବିଭାଗୀୟ ଅଧିକାରୀ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। ଆମେ ଜନ ପ୍ରତିନିଧି ଯଦି ବିରୋଧ କରିବୁ ଆମର ଭୋଟ ବ୍ୟାଙ୍କ କମିଯିବାର ସମ୍ଭାବନା ଥିବାରୁ ଆମେ ଚୁପ ରହୁଛୁ। ଏ ନେଇ ଡଗରା ଫରେଷ୍ଟ ଗାର୍ଡ ପ୍ରକାଶ ମହାନ୍ତି କହିଥିଲେ, ଲକଡାଉନ ସମୟରେ ଲୋକମାନେ କାମଧନ୍ଦା ପାଉନଥିଲେ। ସେଥିପାଇଁ ଶାମୁକା ଗୋଟାଇ ବ୍ୟବସାୟ କରୁଥାଇ ପାରନ୍ତି। ଏହି ଘଟଣା ସମ୍ପର୍କରେ ଜମ୍ଭିରାଇ ଫରେଷ୍ଟ ଗାର୍ଡ ଶଶିକଳା ସାହୁଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ, ଶାମୁକା ବ୍ୟବସାୟ ହେଉଛି ଆମେ ଜାଣିଛୁ। ତେବେ ଉପସ୍ଥିତ ଅଧିକାରୀଙ୍କ ନିର୍ଦ୍ଦେଶ ନଥିବା ଯୋଗୁଁ ଆମେ ଶାମୁକା ଜବତ କରିପାରୁନୁ। ସଂପୃକ୍ତ ରାଜସ୍ୱ ଅଧିକାରୀ ଚାହିଁଲେ ଶାମୁକା ଜବତ କରିପାରିବେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories