www.samajalive.in
Monday, December 8, 2025
27.1 C
Bhubaneswar

ଦୃଢ଼ ଆତ୍ମ ବିଶ୍ଵାସ ଦେଲା ନୂଆ ପରିଚୟ, ଅସହାୟ ଭଳି ଶବ୍ଦକୁ ଜୀବନରୁ ଦୂରେଇ ପାଇଛନ୍ତି ସଫଳତା

ମୁମ୍ବଇ: ବିନାଶ୍ରୟେ ନ ବର୍ତ୍ତନ୍ତେ କବିତା, ବନିତା, ଲତା- ଏହି ଉକ୍ତିରୁ ଓହରି ଆସିପାରିଛନ୍ତି ଆଜିର ନାରୀ। ପରିବାର ସହ ଦେଶକୁ ଚଳାଇ ପାଣିରେ ବୁଡିବାଠାରୁ ଆକାଶରେ ଉଡିବାଯାଏ ପ୍ରତ୍ୟେକ କ୍ଷେତ୍ର​‌ରେ ସଫଳତା ହାସଲ କରିପାରୁଛନ୍ତି। ଅସହାୟ ଭଳି ଶବ୍ଦକୁ ନିଜ ଜୀବନରୁ ଦୂରେଇ ଆତ୍ମସମ୍ମାନ, ଗୁଣଗାରିମାକୁ ଆବୋରି ଯେଉଁ କେତେଜଣ ମହିଳା ସଫଳତାର ପ୍ରକୃଷ୍ଟ ଉଦାହରଣ ହୋଇପାରିଛନ୍ତି ସେମାନଙ୍କ ମଧ୍ୟରୁ ଅନ୍ୟତମ ଜ୍ୟୋତି ଦେଶମୁଖ।
ମହାରାଷ୍ଟ୍ରର ନିପଟ ମଫସଲ ଗାଁ ଅକୋଲା। ଅଧିକାଂଶ ବାସିନ୍ଦା ଚାଷବାସ କରି ପେଟ ପୋଷନ୍ତି। ସ୍ଥାନୀୟ ଅଞ୍ଚଳ​‌ରେ ଦେଶମୁଖ ପରିବାର ବେଶ୍‌ ଜଣାଶୁଣା। ପାଖଆଖ ୧୦ଖଣ୍ଡ ମଉଜାରେ ଏହି ପରିବାରର ନାଁ ରହିଛି। ଏମାନେ ମଧ୍ୟ ପିଢ଼ି ପରେ ପିଢ଼ି ଚାଷ ଉପରେ ନିର୍ଭର କରି ଚଳିଆସୁଥିଲେ। ଦିନକୁଦିନ ଉନ୍ନତ ହେଉଥିବା ଚାଷ ପ୍ରଣାଳୀ ଉପଯୋଗ କରି ବେଶ୍ ଭଲ ଲାଭବାନ୍ ହେଉଥିଲେ। ସରକାର ଚାଷୀଙ୍କୁ ସୁବିଧାରେ ଋଣ ଯୋଗାଇବା ପରେ ଦେଶମୁଖ ପରିବାରର ମୁଖିଆ ଓ ତାଙ୍କ ଦୁଇ ପୁଅ ବ୍ୟାଙ୍କ୍‌ରୁ ଋଣ ଆଣିବା ସହ ଚିହ୍ନା ପରିଚିତଙ୍କ ପାଖରୁ ସୁଧରେ ମଧ୍ୟ ଟଙ୍କା କରଜ ଆଣି ଚାଷକାମରେ ଲଗାଇଲେ। ମୋଟ୍ ୨୯ ଏକର ଜମିରେ ଭଲ ଫସଲ ହେବା ସହ ବିକ୍ରି ମଧ୍ୟ ଲାଭରେ ହେଉଥିଲା। ତେବେ ଚଳିତ ବର୍ଷ କରୋନା ଯୋଗୁ ହୋଇଥିବା ତାଲାବନ୍ଦ ସେମାନଙ୍କ ସ୍ଥିତିକୁ ଦୋହଲାଇଦେଲା। ଫସଲ ବିକ୍ରି ହୋଇପାରିଲା ନାହିଁ। ଆୟ ନଥିବାରୁ ଋଣ ଫେରସ୍ତ କରିବା କଷ୍ଟକର ହୋଇଗଲା। ବ୍ୟାଙ୍କ୍ ଋଣ ଅପେକ୍ଷା ହାତ ଉଧାରି ଆଣିଥିବା ଲୋକମାନେ ଟଙ୍କା ପାଇବା ପାଇଁ ଅଧିକ ବ୍ୟତିବ୍ୟସ୍ତ କଲେ। ସେମାନଙ୍କ ଟାହିଟାପରା ବାପ-ପୁଅଙ୍କୁ ଖୁବ୍‌ ବ୍ୟଥିତ କରୁଥିଲା। ମହାମାରୀ କାରଣରୁ ତାଲାବନ୍ଦ ପରେ ଯେ ସେମାନଙ୍କ ଭାଗ୍ୟ ପୁଣି ଆଲୋକିତ ହେବ, ଏଇ ଆଶା ସେମାନଙ୍କ ମନରୁ ଅପସରି ଗଲା। ଚିନ୍ତା ଓ ଋଣ ଚାପରେ ବାପା ଏବଂ ଦୁଇପୁଅ ଆଗପଛ ହୋଇ ଆତ୍ମହତ୍ୟା କଲେ। ଗୋଟିଏ ପରିବାରର ବାପା-ପୁଅ ତିନିଜଣଙ୍କ ଆତ୍ମହତ୍ୟା ଖବର ଗାଁ ଗାଁରେ ଚର୍ଚ୍ଚା ଚାଲିଲା। ଦିନ କେଇଟା ପରେ ଘରର ବଡ଼ବୋହୂ ଜ୍ୟୋତି ଦେଶମୁଖଙ୍କ ପାଖକୁ ଋଣ ଦେଇଥିବା ଲୋକ ଛୁଟିଲେ।

- Advertisement -

ପରିବାର, ସାହିପଡ଼ିଶା ଲୋକେ ପରାମର୍ଶ ଦେଲେ, ଜ୍ୟୋତି ଜମିବାଡି ବିକ୍ରି କରି ଋଣ ସୁଝିବା ସହ ନିଜ ପିଲାଙ୍କ ପାଇଁ କିଛି ସଞ୍ଚୟ କରିଦେବା ଭଲ। ସେମାନଙ୍କର ଏ ଧାରାରେ ନଯାଇ ଜ୍ୟୋତି ନିଜ ବୁଦ୍ଧିରେ ଚାଷ କରିବାକୁ ଉଚିତ୍ ମଣିଲେ। ତାଙ୍କର ଏଇ ନିଷ୍ପତ୍ତିକୁ ନିନ୍ଦା, ପରିହାସ ଆରମ୍ଭ ହେଲା। ଗାଁର ମୁଖିଆ ଶ୍ରେଣୀର ଲୋକମାନେ କହିଲେ- ଦେଶମୁଖ ପରିବାରର ଝିଅ-ବୋହୂ ପଦାକୁ ଆସି କାମ କରିବା ଅତ୍ୟନ୍ତ ଲଜ୍ଜାଜନକ। ଏପରି ପ୍ରତିକୂଳ ସ୍ଥିତିରେ ଜ୍ୟୋତି କିନ୍ତୁ ନିଜ ମନକୁ ଦୃଢ କରୁଥିଲେ। ତାଙ୍କ ସ୍ବାଭିମାନ ବଢ଼ିଲା ଏବଂ ସେ ନିଜ ନିଷ୍ପତ୍ତିକୁ ନେଇ ଅଧିକ ଦୃଢ଼ ହେଉଥିଲେ। ଚାଷ କରିବା ପାଇଁ ଗାଁରେ ଚିହ୍ନାପରିିଚିତଙ୍କ ପାଖରୁ ଟ୍ରାକ୍ଟରଟିଏ କିଛିଦିନ ଭଡ଼ାରେ ନେବାକୁ ଅନୁରୋଧ କଲେ ଜ୍ୟୋତି। ହେଲେ ସେଥିରେ ତାଙ୍କୁ କେବଳ ନିରାଶା ଏବଂ ଅପମାନ ମିଳିଲା। ଶେଷରେ ଉପାୟ ନ ପାଇ ସେ ଟ୍ରାକ୍ଟର କିଣିଲେ। ଦିନରାତି ପରିଶ୍ରମ କରି ଟ୍ରାକ୍ଟର ଚଳାଇବା ଏବଂ ଚାଷ କରିବାରେ ସଫଳ ବି ହେଲେ।
ତାଲାବନ୍ଦ କୋହଳ ହେବା ପରେ ତାଙ୍କ ଫସଲ ବିକ୍ରି ଆରମ୍ଭ ହୋଇଛି। ପ୍ରଥମେ ସେ ଲୋକଙ୍କ ଠାରୁ ନିଆଯାଇଥିବା ଋଣକୁ ସୁଝି ପରେ ବ୍ୟାଙ୍କ୍‌ ଋଣ ସୁଝିବାକୁ ସ୍ଥିର କରିଛନ୍ତି। ବ୍ୟାଙ୍କ୍‌ ତରଫରୁ ମଧ୍ୟ ତାଙ୍କୁ ଆଶ୍ବସ୍ତି ମିଳିଥିବାର କହିଛନ୍ତି ଜ୍ୟୋତି। ସ୍ଥିତି ଯେତେ ପ୍ରତିକୂଳ ହେଲେ ବି ଜଣେ ନାରୀ ନିଜ ପରିବାରର ମେରୁଦଣ୍ଡ ହୋଇପାରେ, ଏହା ସେ ପ୍ରମାଣ କରିପାରିଛନ୍ତି।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories