www.samajalive.in
Monday, December 8, 2025
20.1 C
Bhubaneswar

ଧାନ ବିକ୍ରି ଅବ୍ୟବସ୍ଥା ପ୍ରତିବାଦରେ ବିଜେପିର ରାସ୍ତା ଅବରୋଧ

କୁଚିଣ୍ଡା : କୁଚିଣ୍ଡା ନିର୍ବାଚନ ମଣ୍ଡଳୀରେ ଉତ୍ପାଦିତ ଧାନକୁ ସରକାର କ୍ରୟ କରେଇବାରେ ବିଫଳ ହେବା ପ୍ରତିବାଦରେ ଆଜି ବିଜେପି ପକ୍ଷରୁ ରାସ୍ତା ଅବରୋଧ କରାଯାଇ ଧାରଣା ଦିଆଯାଇଛି। ଏହା ଦ୍ବାରା ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଥିବା ଦେଖାଯାଇଛି। ଆଦିବାସୀ ବହୁଳ ତଥା ଅଣଜଳସେଚିତ କୁଚିଣ୍ଡା ଉପଖଣ୍ଡର କୃଷି କାର୍ଯ୍ୟ ବର୍ଷା ଜଳ ଉପରେ ନିର୍ଭରଶୀଳ। ଚଳିତବର୍ଷ ବମ୍ଫର ଭାବେ ଧାନ ଉତ୍ପାଦନ ହୋଇଥିଲା। ଏହାର ସରଳୀକରଣ ବିକ୍ରି ସକାଶେ ସରକାର ଏକକ ଟୋକନ ବ୍ୟବସ୍ଥା ପ୍ରଚଳନ ସହ ଧାନ କ୍ରୟ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଥିଲେ। ମାତ୍ର ସଂପ୍ରତି ବହୁ ଚାଷୀଙ୍କ ଧାନ କ୍ରୟ ହୋଇପାରିନଥିବା ଏବଂ ଶହଶହ ଚାଷୀଙ୍କ ଟୋକନ ଅବଧି ସମାପ୍ତ ହେବାରୁ ସେମାନେ ବିକ୍ରୟ କରିବାକୁ ଅଯୋଗ୍ୟ ହୋଇଥିବା ଅଭିଯୋଗ ହୋଇଥିଲା। ଏହାର ନିରାକରଣ ପାଇଁ ବିଜେପି ପକ୍ଷରୁ ଦାବି ହୋଇଥିଲା। ମାତ୍ର ଏହାର କୌଣସି ସୁଫଳ ନମିଳିବାରୁ ଆଜି କୁଚିଣ୍ଡା ନିର୍ବାଚନ ମଣ୍ଡଳୀ ଅଧିନସ୍ଥ କୁଚିଣ୍ଡା, ଜମନକିରା ଓ ବାମରା ବ୍ଲକ ଅଞ୍ଚଳରେ ବିଜେପି ପକ୍ଷରୁ ରାସ୍ତା ରୋକ ଆନ୍ଦୋଳନ କରାଯାଇଛି। କୁଚିଣ୍ଡା ଉପଖଣ୍ଡୀୟ ମହୁକୁମାଦେଇ ଯାଇଥିବା ୪୯ନଂ ଜାତୀୟ ରାଜପଥକୁ ସଂପୂର୍ଣ୍ଣ ଅଚଳ କରିଦେଇଥିଲେ। ବକ୍ସମା ରାସ୍ତା, ସାତକମା ରାସ୍ତା, କୁସୁମୀ ରାସ୍ତା , କବ୍ରିବାହାଲ ରାସ୍ତା,ବାମରା ରାସ୍ତା ଜମନକିରା ରାସ୍ତା ଉପରେ ଆନ୍ଦୋଳନକାରୀ ମାନେ ଧାରଣା ଦେବା ଯୋଗୁଁ ଶହ ଶହ ମାଲବୋଝଇ ଟ୍ରକ ସମେତ ବିଭିନ୍ନ ଯାନବାହାନ ଛିଡା ହୋଇରହିଥିବା ଦେଖାଯାଇଛି। ଯାତ୍ରୀବାହୀ ବସ ଚଳାଚଳ ବନ୍ଦ ରହିବାରୁ ଲୋକେ ନାହିଁନଥିବା ଅସୁବିଧା ପାଇଥିବା ଦେଖାଯାଇଛି। ଷଣ୍ଢପଥର ଠାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ପୂର୍ବତନ ବିଧାୟକ ରବିନାରାୟଣ ନାଏକ, ରେଙ୍ଗାଲୀ ବିଧାୟକ ନାଉରୀ ନାଏକ, କୃଷକ ମୋର୍ଚ୍ଚା ଜିଲା ସଭାପତି ସମେତ ବହୁ ପଦାଧିକାରୀ ଯୋଗ ଦେଇ ସରକାରୀ କାର୍ଯ୍ୟର କଠୋର ସମାଲୋଚନା କରିଥିଲେ। ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ରଖିବାକୁ ଜିଦ ରଖିବା ପରେ ଉପଜିଲାପାଳ ବିଶ୍ୱରଂଜନ ନାଏକ, ଉପଖଣ୍ଡ ପୁଲିସ ଅଧିକାରୀ ରାଜକିଶୋର ମିଶ୍ର, ଜମନକିରା ତହସିଲଦାର ପ୍ରମୁଖ ଗସ୍ତ କରି ଅନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ମାତ୍ର ଉପଖଣ୍ଡ ପ୍ରଶାସନର ଅନୁରୋଧକୁ ପ୍ରତ୍ୟାଖାନ କରିଥିବା ଜଣାଯାଇଛି। ରିପୋର୍ଟ ଲେଖାହେବା ଯାଏଁ ଆନ୍ଦୋଳନ ଚାଲୁଥିବା ବେଳେ ଜିଲା ବା ରାଜ୍ୟ ସ୍ତରରେ କୋଣସି ପଦାଧିକାରୀ ଆନ୍ଦୋଳନକାରୀଙ୍କ ସହ ଆଲୋଚନା ଏବଂ ନିର୍ଭରପ୍ରତିଶୃତି ଦେଇନଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories