ରାୟଗଡା: ମଧୁର ଜଳରେ ଚାଷ ହେଉଛି ଟନ୍ ଟନ୍ ମାଛ। ସ୍ବାବଲମ୍ବୀ ହେଉଛନ୍ତି ଚାଷୀ। ଆଉ ରାୟଗଡା ଜିଲାର ମାଛ ରାଜ୍ୟ ବାହାର ରାଜ୍ୟ ଏପରିକି ବିଦେଶରେ ମଧ୍ୟ ବିକ୍ରି ହେଉଛି। ମଧୁରଜଳରେ ମାଛ ଉତ୍ପାଦନ ହେଉଥିବାରୁ ଜିଲାର ମାଛର ଚାହିଦା ଏବେ ନେପାଳରେ ବେଶ୍ ରହିଥିବା ଜଣାପଡିଛି। ବାହାର ରାଜ୍ୟର ବେପାରୀ ଜିଲାକୁ ଆସି ଚାଷୀଙ୍କଠାରୁ ମାଛ ନେବା ଶହ ନେପାଳକୁ ରତ୍ପାନୀ କରୁଛନ୍ତି। ରାୟଗଡା ଜିଲାର ସଦର ବ୍ଲକ ଓ ଗୁଣପୁର ଉପଖଣ୍ଡ ଅଧୀନରେ ଥିବା ଅନେକ ବ୍ଲକର ଚାଷୀ ଏବେ ମାଛ ଚାଷକୁ ଆପଣାଇ ନେଇଛନ୍ତି। ପୋଖରୀ ନିକଟକୁ ବେପାରୀ ଆସୁଥିବାରୁ ସେମାନେ ଉତ୍ପାଦନ କରିଥିବା ମାଛ ସହଜରେ ବିକ୍ରି ହେଉଯାଉଛି । ଗୋଟିଏ ହେକ୍ଟରରୁ ଚାଷୀ ହଜାର ହଜାର ଟଙ୍କା ରୋଜଗାର କରି ସ୍ବାବଲମ୍ବୀ ହୋଇପାରିଛନ୍ତି। ଏହି ମାଛ କରିବା ପାଇଁ ଜିଲାର ଅନେକ ଚାଷି ଏବେ ଆଗ୍ରହ ପ୍ରକାଶ କରୁଛନ୍ତି। ଜିଲାରେ ଉତ୍ପାଦନ ହେଉଥିବା ମାଛକୁ ବିଶେଷ କରି ଆନ୍ଧ୍ର ଓ ଦିଲ୍ଲୀ ଦେଇ ବାହାର ଦେଶକୁ ପଠାଯାଉଛି ।

ରାୟଗଡା ଜିଲାର ଗୁଣପୁର, ପଦ୍ମପୁର, ରାମନାଗୁଡା, ରାୟଗଡା ସଦର ବ୍ଲକ ସମେତ ଜିଲାର ଅନେକ ସ୍ଥାନରେ ଚାଷୀ ରୋହି, ଭାକୁର ଓ ମିରିକାଳି ପରି ଭଳିକି ଭଳି ମାଛ ଚାଷ କରୁଛନ୍ତି। ରାୟଗଡା ଜିଲାରେ ୩୦ ହେକ୍ଟର ପାଣିଥିବା ସ୍ଥାନରେ ବିଭିନ୍ନ କିସମର ମାସ ଚାଷ ହେଉଥିବା ବେଳେ ଚଳିତବର୍ଷ ମାର୍ଚ୍ଚ ମଧ୍ୟରେ ପ୍ରାୟ ୪୪ ହେକ୍ଟର ପାଣି ସ୍ଥାନରେ ମାଛ ଚାଷ ପାଇଁ ମତ୍ସସମ୍ପଦ ବିଭାଗପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ଜିଲାର ପଦ୍ମପୁର ବ୍ଲକ ଅନ୍ତର୍ଗତ ମୁଚୁକିପଦର ଓ ଗୁଣପୁର ବ୍ଲକର ବିକ୍ରମପୁରରେ ରହିଛି ଜାଆଁଳା କେନ୍ଦ୍ର। ଉକ୍ତ କେନ୍ଦ୍ରରେ ଇଣ୍ଡିଆନ୍ ମେଜର୍ କ୍ରୋପ୍ ବା ଉନ୍ନତ କିସମର ଜାଁଳା ରହିଛି। ଜିଲାର ଚାଷୀମାନେ ଉକ୍ତ ଜାଁଳା କେନ୍ଦ୍ରରୁ ଜାଁଳା ନେଇ ଚାଷ କରୁଛନ୍ତି। ଚାଷୀ କମ୍ ସମୟରେ ଏଥିରୁ ଅଧିକ ଲାଭବାନ ହେଉଛନ୍ତି। ଗୋଟିଏ ଗୋଟିଏ ହେକ୍ଟର ପୋଖରୀ, ଡ୍ୟାମ୍ ବା ପାଣିଥିବା ସ୍ଥାନରୁ ପାଖାପାଖି ୨ରୁ ୫ଟନ୍ ପର୍ଯ୍ୟନ୍ତ ମାଛ ଉତ୍ପାଦନ ହୋଇପାରୁଛି। ଜିଲାରେ ପ୍ରାୟ ୫୭ଜଣ ଚାଷୀ ରହିଥିବାବେଳେ ସେମାନଙ୍କୁ ସରକାରଙ୍କପକ୍ଷରୁ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି। କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ମତ୍ସସମ୍ପଦ ଯୋଜନା ଓ ରାଜ୍ୟ ସରକାରଙ୍କ ମାଛ ଚାଷପୋଖରୀ ଯୋଜନା ମାଧ୍ୟମରେ ଚାଷୀଙ୍କ ସହାୟତା ପ୍ରଦାନ କରାଯାଉଛି।
ପ୍ରଧାନମନ୍ତ୍ରୀ ମତ୍ସ୍ୟସମ୍ପଦ ଯୋଜନାରେ ଆଦିବାସୀ, ପଛୁଆବର୍ଗ ଓ ମହିଳାଙ୍କୁ ୬୦ ପ୍ରତିଶତ ରିହାତି ମିଳୁଥିବା ବେଳେ ସାଧାରଣବର୍ଗର ଚାଷୀଙ୍କୁ ୪୦ ପ୍ରତିଶତ ରିଆତି ମିଳୁଛି। ରାଜ୍ୟ ସରକାରଙ୍କ ମାଛ ପୋଖରୀ ଯୋଜନାରେ ଆଦିବାସୀ, ପଛୁଆବର୍ଗ ଓ ମହିଳାଙ୍କୁ ୫୦ ପ୍ରତିଶତ ରିହାତି ମିଳୁଥିବା ବେଳେ ସାଧାରଣବର୍ଗର ଚାଷୀଙ୍କୁ ୪୦ ପ୍ରତିଶତ ରିଆତି ମିଳୁଛି।
ଫଳରେ ଜିଲାର ଚାଷୀ ଅଧିକରୁ ଅଧିକ ପରିମାଣର ମାଛ ଚାଷ ଉପରେ ଆକୃଷ୍ଟ ହେଉଛନ୍ତି। ଜିଲାର ଅନେକ ଆଦିବାସୀ ଚାଷୀ ଜାଁଳା ଉତ୍ପାଦନ କରି ଲାଭବାନ ହୋଇଥିବା ଜିଲା ମତ୍ସ୍ୟସମ୍ପଦ ଅଧିକାରୀ ଚୁଳକାନ୍ତି ତାଜନ୍ କହିଛନ୍ତି। ପୂର୍ବରୁ ମାଚଚାଷ ପ୍ରତି ଚାଷୀମାନେ ସେତେଟା ଆଗ୍ରହୀ କରୁ ନ ଥିଲେ। ରାୟଗଡ଼ା ଜିଲାର ପାଣି ମଧୁରଜଳ ହୋଇଥିବାରୁ ଜାଁଳା ଖୁବଶିଘ୍ର ପାଣିରେ ବଢ଼ିବା ସହ ସ୍ବାଦିଷ୍ଟ ମଧ୍ୟ ହୋଇଥା’ନ୍ତି। ସେଥିପାଇଁ ମାଛର ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି।



