www.samajalive.in
Thursday, December 11, 2025
26.1 C
Bhubaneswar

ସାଇବର ନିରାପତ୍ତା ଦେଶ ପାଇଁ ବଡ ଆହ୍ୱାନ – ରାଜନାଥ ସିଂହ

ସାଇବର ନିରାପତ୍ତା ଓ ସାମରିକ ଚିକିତ୍ସା ଆଜି ଆମ ପାଇଁ ବଡ ଆହ୍ୱାନ ହୋଇଛି ବୋଲି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ଦଶମ ଆସିଆନ ପ୍ରତିରକ୍ଷାମନ୍ତ୍ରୀମାନଙ୍କ ବୈଠକରେ ଆଜି ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଅଂଶଗ୍ରହଣ କରି ଶ୍ରୀ ସିଂହ କହିଛନ୍ତି ଯେ ଆସିଆନର ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ଯୋଗାଯୋଗ ବୃଦ୍ଧି ଓ ପରେ ସାମିଲ ହୋଇଥିବା ସଦସ୍ୟ ଦେଶମାନଙ୍କ ଉପରେ ଏକ ସଂଜ୍ଞାପତ୍ର ଗୃହୀତ କରିବା ମଧ୍ୟ ଅନ୍ୟତମ ଆହ୍ୱାନ ରହିଛି। ସେ କହିଛନ୍ତି ଜୈବ ଆତଙ୍କବାଦ ଦେଶଦେଶ ମଧ୍ୟରେ ସାମଗ୍ରୀ ଚୋରା ଚାଲାଣ ଏବଂ କରୋନା ସଂକ୍ରମଣ ଭଳି ସମସ୍ୟାଗୁଡ଼ିକର ମଧ୍ୟ ଆମକୁ ସମାଧାନ କରିବାକୁ ହେବ।


ସେ କହିଛନ୍ତି ସଦସ୍ୟ ଦେଶଗୁଡ଼ିକର ସାମରିକ ଅନୁଷ୍ଠାନଗୁଡ଼ିକ ପକ୍ଷରୁ ଆଇନ୍‍କାନୁନ ରକ୍ଷାକାରୀ ସଂସ୍ଥାଗୁଡ଼ିକୁ ସହଯୋଗ ଏ କ୍ଷେତ୍ରରେ ଯଥେଷ୍ଟ ଗୁରୁତ୍ୱ ବହନ କରେ। ମନ୍ତ୍ରୀ କହିଛନ୍ତି ମୌଳିକ ସ୍ୱାଧୀନତା, ସମସ୍ତଙ୍କୁ ବିକାଶ ମଧ୍ୟରେ ସାମିଲ କରିବା ଓ ନିଜନିଜକୁ ଉନ୍ମୁକ୍ତ ରଖିବାରେ ଆମର ଭବିଷ୍ୟତ ଅଧିକ ଉଜ୍ଜ୍ୱଳ ହେବ। ଶ୍ରୀ ସିଂହ କହିଛନ୍ତି ସାମୁଦ୍ରିକ ସୁରକ୍ଷା, ସାଇବର ସୁରକ୍ଷା ଓ ସନ୍ତ୍ରାସବାଦ ଭଳି ବିପଦଗୁଡ଼ିକର ମୁକାବିଲା ମଧ୍ୟ ଆମ ପାଇଁ ସର୍ବଦା ଆହ୍ୱାନ ହୋଇ ରହିଛି। ଏଥିସହିତ କୋଭିଡ-୧୯ ଭଳି ଏକ ବିଶ୍ୱବ୍ୟାପୀ ସଂକ୍ରମଣ ସମଗ୍ର ବିଶ୍ୱର ଜୀବନଶୈଳୀରେ ପରିବର୍ତ୍ତନ ଆଣିଦେବା ସହ ମାନବ ଜାତି ପାଇଁ ଅନେକ ଅସୁବିଧା ସୃଷ୍ଟି ହୋଇଛି। ସେ କହିଛନ୍ତି ଏହାର ଏପର୍ଯ୍ୟନ୍ତ କୌଣସି ସମାଧାନ ନହୋଇ ପାରିବା ମଧ୍ୟ ସମଗ୍ର ବିଶ୍ୱ ପାଇଁ ଦୁର୍ଭାଗ୍ୟଜନକ। ସେ ଦୃଷ୍ଟିରୁ ବିଶ୍ୱ ଅର୍ଥନୀତି କିଭଳି ଅଗ୍ରଗତି ପଥରେ ଆଗେଇ ଚାଲିବା ତାହା ଆମ ସମସ୍ତଙ୍କ ପାଇଁ ଏକ ବଡ ଆହ୍ୱାନ ହୋଇଛି।

- Advertisement -

କରୋନା ପରବର୍ତ୍ତୀ ସମୟରେ ସମସ୍ତେ ଯେପରି ସମାନ ସୁବିଧା ପାଇପାରିବେ ତାହା ନିଶ୍ଚିତ କରିବା ପ୍ରତ୍ୟେକ ଦେଶର ଦାୟିତ୍ୱ ବୋଲି ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି। କରୋନା ଯୋଗୁଁ ଆମର ସ୍ୱାସ୍ଥ୍ୟ ମୌଳିକ ଢ଼ାଞ୍ଚାରେ ଆମୂଳଚୂଳ ପରିବର୍ତ୍ତନ ଅଣାଯାଇଛି ଓ ସମସ୍ତଙ୍କୁ ଯେପରି ସହଜରେ ଓ ଶସ୍ତାରେ ପ୍ରତିଷେଧକ ମିଳିପାରିବ ସେ ଦିଗରେ ପଦକ୍ଷେପ ନିଆଯାଇଛି। ଏହାବ୍ୟତୀତ ଲୋକମାନଙ୍କୁ ସୁବିଧାରେ ଔଷଧପତ୍ର ଯୋଗାଇବା ଓ ଯୋଗାଣ ଶୃଙ୍ଖଳମାନ ସୃଷ୍ଟି କରିବା ମଧ୍ୟ ଆମ ପାଇଁ ଅପରିହାର୍ଯ୍ୟ ହୋଇପଡିଛି। ମନ୍ତ୍ରୀ କହିଛନ୍ତି କୋଭିଡ-୧୯ ସମଗ୍ର ବିଶ୍ୱକୁ ଗ୍ରାସ କରିଥିବାରୁ ଏହାର ମୁକାବିଲା ପାଇଁ ସାମୁହିକ ଉଦ୍ୟମ ଅତ୍ୟନ୍ତ ଜରୁରୀ। ସେ କହିଛନ୍ତି ଆମର ଆସିଆନ ବନ୍ଧୁ ରାଷ୍ଟ୍ରଗୁଡ଼ିକର ଏ କ୍ଷେତ୍ରରେ ଉଦ୍ୟମକୁ ଆମେ ସ୍ୱାଗତ କରୁଛୁ। ସେ କହିଛନ୍ତି ଏହା ସମସ୍ତଙ୍କ ପାଇଁ ଏକ ସାଧାରଣ ଆହ୍ୱାନ ହୋଇପଡିଥିବାରୁ ଆମକୁ ସବୁ ସ୍ତରରେ ଉଦ୍ୟମ ଅବ୍ୟାହତ ରଖିବାକୁ ପଡିବ। କରୋନାର ଦୃଢ଼ ମୁକାବିଲା କରୁଥିବା ସମସ୍ତ ସଂଗଠନ ଓ ସଂସ୍ଥାର ଉଦ୍ୟମ ପ୍ରଶଂସନୀୟ।

ଆସିଆନ ଏଡିଏମଏମ ପ୍ଲସ୍‍ ଆସିଆନ ଦେଶ ଓ ଏହାର ୮ଟି ଭାଗିଦାର ରାଷ୍ଟ୍ର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ସାବ୍ୟସ୍ତ ହୋଇଛି। ସେହି ୮ଟି ଦେଶ ମଧ୍ୟରେ ଅଷ୍ଟ୍ରେଲିଆ, ଚୀନ୍‍, ଭାରତ, ଜାପାନ, ନ୍ୟୁଜିଲାଣ୍ଡ, କୋରିଆ, ରୁଷ୍‍ ଓ ଆମେରିକା ରହିଛି। ଏହି ଅଞ୍ଚଳର ଶାନ୍ତି, ସ୍ଥିରତା ଓ ବିକାଶ ପାଇଁ ନିରାପତ୍ତା ଓ ପ୍ରତିରକ୍ଷା ସହଯୋଗକୁ ସୁଦୃଢ଼ କରିବା ଦିଗରେ ଏଡିଏମଏମ-ପ୍ଲସ୍‍ ମୁଖ୍ୟ ଭୂମିକା ଗ୍ରହଣ କରୁଛି।

Hot this week

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

Related Articles

Popular Categories