ମୁମ୍ବଇ : ପ୍ରକାଶ ପାଇଛି ଦେଶର ଧନୀ ମହିଳାଙ୍କ ଲିଷ୍ଟ। କୋଟକ ୱେଲଥ ଏବଂ ହୁରୁନ ଇଣ୍ଡିଆ ପକ୍ଷରୁ ୨୦୨୦ ମିସିହା ପାଇଁ ଦେଶର ୧୦୦ ଧନୀ ମହିଳାଙ୍କ ତାଲିକା ଜାରି କରାଯାଇଛି । ଏହି ତାଲିକାରେ ସବୁଠୁ ଆଗରେ ଅଛନ୍ତି ସୂଚନା ପ୍ରଯୁକ୍ତିବିଦ୍ୟା ସେକ୍ଟରର କମ୍ପାନୀ ଏଚସିଏଲ ଟେକ୍ନୋଲୋଜିର ଚେୟାରମ୍ୟାନ ରୋଶନୀ ନଡାର ମାଲହୋତ୍ରା। ଏଚସିଏଲ ଟେକ୍ନୋଲୋଜିର ଚେୟାରମ୍ୟାନ ରୋଶନୀ ନଡାର ମାଲହୋତ୍ରାଙ୍କ ପାଖରେ ମୋଟ୍ ୫୪ ହଜାର ୮୫୦ କୋଟି ଟଙ୍କାର ସମ୍ପତ୍ତି ରହିଛି। ୩୮ ବର୍ଷିୟ ରୋଶନୀଙ୍କୁ ଗତବର୍ଷ ଫୋବର୍ସ ପକ୍ଷରୁ ବିଶ୍ୱର ଶକ୍ତିଶାଳୀ ମହିଳାଙ୍କ ତାଲିକାରେ ୫୪ତମ ସ୍ଥାନ ମିଳିଥିଲା ।
ଦେଶର ଧନୀ ମହିଳା ତାଲିକାର ଦ୍ୱିତୀୟ ସ୍ଥାନରେ ବାୟୋକନର ପରିଚାଳନା ନିର୍ଦ୍ଦେଶକ କିରଣ ମଜୁମଦାର-ଶ’ ଅଛନ୍ତି । ତାଙ୍କ ମୋଟ ୩୬ହଜାର ୬୦୦ କୋଟି ଟଙ୍କାର ସମ୍ପତ୍ତି ରହିଛି। ସେହିପରି ମୁମ୍ବାଇ ସ୍ଥିତ ଫାର୍ମା କମ୍ପାନୀ USV Pvt ଲିମିଟେଡର ଲୀନା ଗାନ୍ଧୀ ତିୱାରୀ ଦେଶର ଧନୀ ମହିଳା ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି। ତାଙ୍କ ପାଖରେ ୨୧ ହଜାର ୩୪୦ କୋଟି ଟଙ୍କାର ସମ୍ପତ୍ତି ରହିଛି।ଏହି ସୂଚୀରେ ପ୍ରାୟ ୧୦୦ କୋଟି ଟଙ୍କା ସମ୍ପତ୍ତିର ଅଧିକାରୀ ୧୦୦ ମହିଳାଙ୍କୁ ସାମିଲ କରାଯାଇଛି । ରିପୋର୍ଟରେ ଦର୍ଶାଯାଇଛି କି ଏହି ତାଲିକାରେ ଏଭଳି ୩୧ ମହିଳା ଅଛନ୍ତି , ଯେଉଁମାନେ ଆତ୍ମନିର୍ଭରଶୀଳ ଅର୍ଥାତ ନିଜ ଦମରେ ଏହି ସଫଳତା ହାସଲ କରିଛନ୍ତି। ଏଥିରେ ୬ ବୃତ୍ତିଗତ/ପ୍ରଫେସନାଲ ପରିଚାଳକ ଏବଂ ୨୫ ଉଦ୍ୟୋଗପତି ଅଛନ୍ତି ।
ଜାଣନ୍ତୁ ଦେଶର ଧନୀ ମହିଳା ରୋଶନୀ ନଡାର କିଏ ?
ସୂଚନା ପ୍ରଯୁକ୍ତିବିଦ୍ୟା ସେକ୍ଟରର କମ୍ପାନୀ ଏଚସିଏଲ ଟେକ୍ନୋଲୋଜିର ପ୍ରତିଷ୍ଠାତା ଶିବ ନଡାରଙ୍କ ଏକ ମାତ୍ର ଝିଅ ହେଉଛନ୍ତି ରୋଶନୀ ନଡାର। ଛୋଟବେଳୁ ଦିଲ୍ଲୀରେ ବଡ ହୋଇଥିବା ରୋଶନୀ ଦିଲ୍ଲୀର ବସନ୍ତ ବୋଲୀ ସ୍କୁଲରୁ ନିଜ ସ୍କୁଲିଂ ସାରିଥିଲେ। ଏହାପରେ ରୋଶନୀଙ୍କର ସାମ୍ବାଦିକତା ପ୍ରତି ରୁଚି ବଢିଥିଲା। ରୋଶନୀ ଆମେରିକାର ନର୍ଥ ୱେଷ୍ଟର୍ଣ୍ଣ ୟୁନିଭର୍ସିଟିରୁ ମାସ କମ୍ୟୁନିକେସନରେ ସ୍ନାତକ ହାସଲ କରିଥିଲେ । ମାସ କମ୍ୟୁନିକେସନରେ ସ୍ନାତକ ପରେ ସିଏନ୍ବିସି ଚ୍ୟାନେଲରେ ଇଣ୍ଟନ୍ କରିଥିଲେ । ଏହାପରେ ଲଣ୍ଡନର ସ୍କାଏ ନ୍ୟୁଜରେ କାର୍ଯ୍ୟ କରିଥିଲେ। ସାମ୍ବାଦିକତା କରୁଥିବା ବେଳେ ପିତାଙ୍କ ନିର୍ଦ୍ଦେଶରେ ୨୦୦୮ରେ ଭାରତକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଭାରତ ପତ୍ୟାବର୍ତ୍ତନ ପରେ ବାପାଙ୍କ କମ୍ପାନୀକୁ ଚଳାଇବା ପାଇଁ ଆମେରିକାର କେଲେଜ ସ୍କୁଲ ଅଫ୍ ମ୍ୟାନେଜମେଣ୍ଟରୁ ମ୍ୟାନେଜମେଣ୍ଟ ପାଠ ପଢିଥିଲେ। ରୋଶନୀ ତାଙ୍କ ବାପାଙ୍କ କମ୍ପାନୀ ଏଚସିଏଲ ଟେକ୍ନୋଲୋଜିରେ ଯୋଗଦେବା ପୂର୍ବରୁ ଅନ୍ୟ କମ୍ପାନୀଗୁଡିକରେ ମଧ୍ୟ କାର୍ଯ୍ୟ କରିଥିଲେ ।
ଶିବ ନଡାରଙ୍କ ଝିଅ ରୋଶନୀ ନଡାର ୨୦୦୯ରେ ଏଚସିଏଲ ଟେକ୍ନୋଲୋଜିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଓ ସିଇଓ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ଆରମ୍ଭରୁ କମ୍ପାନୀର ରଣନୀତିକ ନିଷ୍ପତ୍ତିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ରୋଶନୀଙ୍କୁ ମାତ୍ର ୨୮ ବର୍ଷ ବୟସରେ ସିଇଓ କରାଯାଇଥିଲା। କେବଳ ସେତିକି ନୁହେଁ ଏକ ନାମୀ ଆଇଟି କମ୍ପାନୀକୁ ସମ୍ଭାଳୁଥିବା ଦେଶର ପ୍ରଥମ ମହିଳା ଭାବରେ ଉଭା ହୋଇଥିଲେ ରୋଶନୀ । ୨୦୧୦ ମସିହାରେ ରୋଶନୀ ନିଜ କମ୍ପାନୀର ହେଲ୍ଥକେୟାର ଚେୟାରମ୍ୟାନ ଶିଖର ମଲହୋତ୍ରାଙ୍କୁ ବିବାହର କରିଥିଲେ । ଏହାପରେ ରୋଶନୀଙ୍କ ଜୀବନର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଥିଲା । ତାଙ୍କ ତତ୍ତ୍ୱାବଧାନରେ ଏଚସିଏଲ ଉନ୍ନତି ପଥରେ ଆଗେଇବାକୁ ଲାଗିଲା ।
୨୦୧୩ ରେ ଏଚସିଏଲ ଟେକ୍ ବୋର୍ଡର ଅତିରିକ୍ତ ଚେୟାରମ୍ୟାନ୍ ହେବା ପୂର୍ବରୁ ମଧ୍ୟ ରୋଶନୀ କମ୍ପାନୀର ନିଷ୍ପତ୍ତିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି। ତାଙ୍କ ସ୍ୱାମୀ ଶିଖର ମାଲହୋତ୍ରା ଏଚସିଏଲ ସ୍ୱାସ୍ଥ୍ୟସେବାର ଉପାଧ୍ୟକ୍ଷ ଅଟନ୍ତି। ଆଇଆଇଏଫଏଲ୍ ୱେଲଥ ଅନୁଯାୟୀ ୨୦୧୯ରେ ରୋଶନୀଙ୍କ ମୋଟ ସମ୍ପତ୍ତି ୩୬,୮୦୦ କୋଟି ଥିଲା। ଫୋର୍ବସ୍ ତାଲିକାରେ ମଧ୍ୟ ରୋଶନୀ ୨୦୧୭-୨୦୧୮ ଏବଂ ୨୦୧୯ରେ ବିଶ୍ଵର ୧୦୦ ଶକ୍ତିଶାଳୀ ମହିଳାଙ୍କ ମଧ୍ୟରେ ସ୍ଥାନିତ ହୋଇଥିଲେ। ସାମ୍ବାଦିକତା କ୍ଷେତ୍ରରୁ ସୂଚନା ପ୍ରଯୁକ୍ତିବିଦ୍ୟା ସେକ୍ଟରର କମ୍ପାନୀ ଏଚସିଏଲ ଟେକ୍ନୋଲୋଜିର ଚେୟାରମ୍ୟାନ ରୋଶନୀଙ୍କ ଯାତ୍ରା ଏକ ଚ୍ୟାଲେଞ୍ଜିଂ ଯାତ୍ରା ଥିଲା।



