www.samajalive.in
Monday, December 8, 2025
27.1 C
Bhubaneswar

ଭାରତ ଆଜି ଆୟୋଜନ କରୁଛି ସାଙ୍ଘାଇ ସହଯୋଗ ସଙ୍ଗଠନ ପରିଷଦ ସଦସ୍ୟ ରାଷ୍ଟ୍ରମୁଖ୍ୟମାନଙ୍କର ବୈଠକ

ନୂଆଦିଲ୍ଲୀ : ଭାରତ ଆଜି ସାଙ୍ଘାଇ ସହଯୋଗ ସଙ୍ଗଠନ ପରିଷଦ ସଦସ୍ୟ ରାଷ୍ଟ୍ରମୁଖ୍ୟମାନଙ୍କର ବୈଠକ ଆୟୋଜନ କରୁଛି। ଭର୍ଚୁଆଲ୍‍ ମାଧ୍ୟମରେ ଆୟୋଜିତ ହେଉଥିବା ଏହି ବୈଠକରେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଅଧ୍ୟକ୍ଷତା କରିବେ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି, ସଙ୍ଗଠନରେ ସମସ୍ତ ସଦସ୍ୟ ରାଷ୍ଟ୍ର ଯୋଗଦେବା ପରେ ୨୦୧୭ ମସିହା ପରେ ପ୍ରଥମ ଥରପାଇଁ ସାଙ୍ଘାଇ ସହଯୋଗ ସଙ୍ଗଠନ ପରିଷଦର ଶିଖର ବୈଠକ ଭାରତର ଅଧ୍ୟକ୍ଷତାରେ ଆୟୋଜିତ ହେଉଛି।
ପ୍ରତିବର୍ଷ ଆୟୋଜିତ ହେଉଥିବା ଏହି ବୈଠକରେ ସଦସ୍ୟ ରାଷ୍ଟ୍ରର ପ୍ରଧାନମନ୍ତ୍ରୀମାନେ ଯୋଗଦେଇ ସଙ୍ଗଠନର ବାଣିଜ୍ୟ ଓ ଆର୍ଥିକ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିଥା’ନ୍ତି।

ଗତବର୍ଷ ନଭେମ୍ବର ମାସ ୨ ତାରିଖରେ ଭାରତ ଏହି ସଙ୍ଗଠନର ଅଧ୍ୟକ୍ଷ ରାଷ୍ଟ୍ର ଦାୟିତ୍ୱ ପାଇଥିଲା। ପର୍ଯ୍ୟାୟକ୍ରମେ ଅଧ୍ୟକ୍ଷତା ପ୍ରଦାନ କରାଯାଉଥିବା ଏହି ସଙ୍ଗଠନର ଅଧ୍ୟକ୍ଷ ଦାୟିତ୍ୱ ପୂର୍ବରୁ ଉଜବେକିସ୍ତାନ ପାଖରେ ଥିଲା, ଯାହା ଆଜି ଶେଷ ହେଉଛି। ସାଙ୍ଘାଇ ସହଯୋଗ ସଙ୍ଗଠନ ଏକ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ସଙ୍ଗଠନ, ଯାହା ଶାନ୍ତି, ନିରାପତ୍ତା, ବାଣିଜ୍ୟ, ଅର୍ଥନୈତିକ ଓ ସାଂସ୍କୃତିକ କ୍ଷେତ୍ରରେ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗ ବୃଦ୍ଧି କରିବାରେ ସହାୟକ ହୋଇଥାଏ ବୋଲି ଭାରତ ବିଶ୍ୱାସ କରେ। ଭାରତ ଏହି ସଙ୍ଗଠନକୁ ଦୃଢ଼ତା ପ୍ରଦାନ କରି ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗକୁ ବିକଶିତ କରିବାପାଇଁ
ପ୍ରତିଶ୍ରୁତିବଦ୍ଧ।

- Advertisement -

ଭାରତର ଅଧ୍ୟକ୍ଷତାରେ ସଙ୍ଗଠନର ୧୯ତମ ବୈଠକ ପରେ ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ବାଣିଜ୍ୟ, ଆର୍ଥିକ ଓ ସାଂସ୍କୃତିକ ସହଯୋଗ କ୍ଷେତ୍ରରେ ସହଯୋଗ ଅଧିକ ଦୃଢ଼ତର ହେବ ସହିତ ଅଞ୍ଚଳରେ ଶାନ୍ତି ଓ ସମୃଦ୍ଧି ପ୍ରତିଷ୍ଠିତ ହୋଇପାରିବ ବୋଲି ଭାରତ ଆଶାବାଦୀ। ଏହି ଶିଖର ବୈଠକରେ ରୁଷ୍‍, ଚୀନ୍‍, କାଜାଖ୍‍ସ୍ତାନ, କିର୍‍ଗୀଜ୍‍ସ୍ତାନ, ତାଜିକ୍‍ସ୍ତାନ ଓ ଉଜ୍‍ବେକିସ୍ତାନର
ପ୍ରଧାନମନ୍ତ୍ରୀ ଯୋଗ ଦେବେ। ପାକିସ୍ତାନପାଇଁ ସେଦେଶର ବୈଦେଶିକ ମନ୍ତ୍ରଣାଳୟର ସଂସଦୀୟ ସଚିବ ପ୍ରତିନିଧିତ୍ୱ କରିବେ। ସାଙ୍ଘାଇ ସହଯୋଗ ସଙ୍ଗଠନ ସଦସ୍ୟ ରାଷ୍ଟ୍ର ବ୍ୟତୀତ ଅନ୍ୟ ୪ଟି ଦେଶର ନେତୃବୃନ୍ଦ ମଧ୍ୟ ଏଥିରେ ଯୋଗ ଦେଉଛନ୍ତି। ସେମାନେ ହେଲେ ଆଫଗାନିସ୍ତାନର ରାଷ୍ଟ୍ରପତି, ଇରାନ୍‍ର ଉପରାଷ୍ଟ୍ରପତି, ବେଲାରୁସ୍‍ର ପ୍ରଧାନମନ୍ତ୍ରୀ ଏବଂ ମଙ୍ଗୋଲିଆର
ଉପପ୍ରଧାନମନ୍ତ୍ରୀ। ଏହାବ୍ୟତୀତ ତୁର୍କମେନୀସ୍ତାନକୁ ଭାରତ ସ୍ୱତନ୍ତ୍ର ନିମନ୍ତ୍ରଣ କରିଛି। ତୁର୍କମେନିସ୍ତାନର କ୍ୟାବିନେଟ୍‍ ମନ୍ତ୍ରୀମାନଙ୍କ ଉପାଧ୍ୟକ୍ଷ ସ୍ୱତନ୍ତ୍ର ଅତିଥି ଭାବେ ଏଥିରେ ଯୋଗ ଦେବେ। ଏହି ବୈଠକର ଅବ୍ୟବହିତ ପୂର୍ବରୁ ସଙ୍ଗଠନର ମହାସଚିବ ଭ୍ଲାଦିମିର୍‍ କହିଛନ୍ତି, ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ କୋଭିଡ଼୍‍-୧୯  ମହାମାରୀ କାରଣରୁ ଉପୁଜିଥିବା ବିଭିନ୍ନ ସମସ୍ୟାର ସମାଧାନ କ୍ଷେତ୍ରରେ ଆଲୋଚନା ହେବ। ଏହି ବୈଠକ ଆର୍ଥିକ ଓ ପୁଞ୍ଜିନିବେଶ କ୍ଷେତ୍ରକୁ ସୁଦୃଢ଼ କରିବାରେ ସହାୟକ ହେବ ବୋଲି ଆଶାବାଦୀ ଥିବା ସେ କହିଛନ୍ତି। ପାରମ୍ପରିକ ଔଷଧ କ୍ଷେତ୍ରରେ ଏକ ଟିମ୍‍ ଗଠନ କରିବା ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ପ୍ରସ୍ତାବ କଥା ଉଲ୍ଲେଖ କରିଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories