www.samajalive.in
Sunday, December 7, 2025
26.1 C
Bhubaneswar

ନିମ୍ନମାନର ସାମଗ୍ରୀରେ ଚାଲିଛି ମଡେଲ ସ୍କୁଲ ନିର୍ମାଣ କାର୍ଯ୍ୟ; ଧାର୍ଯ୍ୟ ସମୟରେ ସମାପ୍ତ ହେବା ନେଇ ପ୍ରଶ୍ନବାଚୀ

ଦ୍ୱାରଶୁଣି : ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଜାମଦାପାଳଠାରେ ନିର୍ମାଣ ହେଉଛି ମଡେଲ ସ୍କୁଲ। ତେବେ କାର୍ଯ୍ୟ ଆରମ୍ଭ ଦିନଠୁ ଏଜାବତ କୌଣସି ଅଗ୍ରଗତି ହେବାର ଦେଖିବାକୁ ମିଳୁ ନାହିଁ। ଶିଳାନ୍ୟାସ ହେବାର ଆଜିକୁ ୩ ବର୍ଷ ସମୟ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ସରୁନାହିଁ କାର୍ଯ୍ୟ। ଦୀର୍ଘ ଦିନ ଧରି ମଡେଲ ସ୍କୁଲ ହେବାର ସ୍ୱପ୍ନ ଦେଖୁଥିବା ଅଂଚଳବାସୀ ଏବେ ପୁଣି ନିର୍ମାଣ କାର୍ଯ୍ୟକୁ ନେଇ ସଂଦେହ ପ୍ରକାଶ କରିବାକୁ ଲାଗି ଲେଣି। ଅନ୍ୟପକ୍ଷେ ନିମ୍ନମାନର କାର୍ଯ୍ୟ ହେଉଥିବା ନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ ବିଭାଗୀୟ ଅଧିକାରୀମାନେ ଠିକାଦାରଙ୍କ ଉପରେ ଚାପ ପକାଉ ନଥିବାର ଦେଖିବାକୁ ମିଳୁଛି। ଫଳରେ ଧାର୍ଯ୍ୟ ସମୟ ମଧ୍ୟରେ ଆଦର୍ଶ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ସମାପ୍ତ ହେବା ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହା ଦେଖି ଆଜି ତାତିଛନ୍ତି ବାଙ୍ଗିରିପୋଷି ଠିକାଦାର ସଂଘ। ନିମ୍ନମାନର କାର୍ଯ୍ୟ ଯୋଗୁଁ ନିଜ ଅଂଚଳର ପିଲାଙ୍କ ଜୀବନ ସହ ଖେଳୁଥିବା ଠିକଦାରଙ୍କୁ ଆଉ ବରଦାସ୍ତ କରାଯିବ ନାହିଁ ବୋଲି ଦାବୀ କରି ଆଜି ସଂଘର ସଭାପତି ମୋତିଲାଲ ଦାଶଙ୍କ ନେତୃତ୍ୱରେ ସଂପାଦକ କମଳାକାନ୍ତ ବାରିକ, ଉପ-ସଭାପତି ଧିରେନ୍ଦ୍ର କୁମାର ପୁଟୀ, କୋଷାଧ୍ୟକ୍ଷ ସନ୍ଦୀପ ମହାନ୍ତ, ଛତିଶ ଚନ୍ଦ୍ର ସେଠୀ, ସନ୍ତୋଷ କୁମାର ଦାସ, ଦିଲ୍ଲିପ କୁମାର ସାହୁ, ପବିତ୍ର ମୋହନ ମହାନ୍ତି, ଶିବ ଚରଣ ବିନ୍ଧାଣୀ ପ୍ରମୁଖ ଠିକାଦାର ଏବଂ ଗ୍ରାମବାସୀ ମିଶି କାର୍ଯ୍ୟକୁ ବନ୍ଦ ରଖିଛନ୍ତି। ନିମ୍ନମାନର ଲୁହାଛଡ ସହ ନିମ୍ନମାନର ଇଟା, ବାଲି ଏବଂ ୨୦ ଏମଏମ୍ ଚିପ୍ସ ପରିବର୍ତ୍ତେ ୪୦ ଏମଏମ୍ ଚିପ୍ସ ବ୍ୟବହାର କରାଯାଉଥିବା ନେଇ ସଂଘର ସଭାପତି ଶ୍ରୀ ଦାଶ ଅଭିଯୋଗ କରିଛନ୍ତି।  ଅପରପକ୍ଷେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ପଚାରିଲେ ଠିକାଦାର ତାଙ୍କ କଥା ଶୁଣୁନଥିବା କହି ହାତ ଟେକି ଦେଇଛନ୍ତି। ତେବେ ଏଥିନେଇ ବାଙ୍ଗିରିପୋଷି ଠିକାଦାର ସଂଘ ମୁଖ୍ୟ ନିର୍ବାହୀ ଯନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ କରିବେ ବୋଲି ପ୍ରକାଶ କରିବା ସହ ଭିଜିଲାନ୍ସରେ ମଧ୍ୟ ଅଭିଯୋଗ କରାଯିବ ବୋଲି କହିଛନ୍ତି।

ପ୍ରକାଶ ଯୋଗ୍ୟ, ପୂର୍ବରୁ ଦିଘୀଠାରେ ମଡେଲ ସ୍କୁଲ ନିର୍ମାଣ ହେବ ବୋଲି ସ୍ଥାନ ନିରୁପଣ ହୋଇଥିଲା। ତେବେ ସ୍କୁଲ ହେବା ପାଇଁ ପର୍ଯ୍ୟପ୍ତ ପରିମାଣର ସରକାରୀ ଯାଗା ନ ଥିବାରୁ ବଣକାଟୀ ପଂଚାୟତ ଅନ୍ତର୍ଗତ ଜାମଦାପାଳ ଠାରେ ମଡେଲ ସ୍କୁଲ ପାଇଁ ସରକାରୀ ସ୍ତରରୁ ସ୍ଥାନ ନିରୁପଣ କରାଯାଇଥିଲା। ଗତ ୨୦୧୮ ଜାନୁଆରୀ ୫ ତାରିଖ ଶୁକ୍ରବାର ଦିନ ବଣକାଟୀ ପଂଚାୟତ ଅନ୍ତର୍ଗତ ଜାମଦାପାଳଠାରେ ସ୍ଥାନୀୟ ବିଧାୟକ ତଥା ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଦର୍ଶ ବିଦ୍ୟାଳୟ ପାଇଁ ଶିଳାନ୍ୟାସ କରିଥିଲେ। ଆଦର୍ଶ ବିଦ୍ୟାଳୟଟି ଗ୍ରାମ୍ୟ ଉନ୍ନୟନ ବିଭାଗ ବାଙ୍ଗିରିପୋଷି ଦ୍ୱାରା ନିର୍ମାଣ ହେଉଥିବା ବେଳେ ଠିକାଦାର ଗୋବିନ୍ଦ ଚନ୍ଦ୍ର ସାହୁ କାର୍ଯ୍ୟ କରିବେ ବୋଲି ସ୍ୱୀକୃତି ପତ୍ର ପାଇଛନ୍ତି। ୯ ଏକର ପରିମିତ ଯାଗାରେ ନିର୍ମାଣ ହେବାକୁ ଥିବା ଆଦର୍ଶ ବିଦ୍ୟାଳୟର ବ୍ୟୟ ଅଟକଳ ୩୮୬.୬୬ ଲକ୍ଷ ଟଙ୍କା ହୋଇଥିବା ବେଳେ ୧୦୦ ଶଯ୍ୟା ବିଶିଷ୍ଠ ଆଦିବାସୀ ଛାତ୍ରୀବାସ ପାଇଁ ବ୍ୟୟ ଅଟକଳ ୨୦୪.୯୫ ଲକ୍ଷ ଟଙ୍କାର କୋଠା ନିର୍ମାଣ ହେବ। ଏଥିରେ ଷଷ୍ଠ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢାଯିବାର ବ୍ୟବସ୍ଥା ରହିଥିବାର ଜଣାପଡିଛି। ତେବେ ଉକ୍ତ ଠିକାଦାର ଜଣକ ଗୋଟିଏ କାର୍ଯ୍ୟ ସମାପ୍ତ କରି ନଥିବା ବେଳେ ବ୍ଳକରେ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ତାଙ୍କୁ ପୁଣି ବାରମ୍ବାର ନୂତନ କାର୍ଯ୍ୟ ସହିତ ମରାମତି କାର୍ଯ୍ୟ ବଂଟନ କରାଯାଉ ଥିବାର ଜଣାପଡିଛି। ଫଳରେ ଏହି ଆନୁଗତ୍ୟ ପଛର ରହସ୍ୟ କଣ ବୁଝାପଡୁ ନାହିଁ। ତେଣୁ ଆଗକୁ ଯଦି ପ୍ରଶାସନ ଏଥିପ୍ରତି ଦୃଷ୍ଟି ନଦିଏ ତେବେ ପୁଣି ଥରେ ଅଂଚଳବାସୀଙ୍କ ମଧ୍ୟରେ ଅସନ୍ତୋଷର ବହ୍ନି ଜଳିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories