www.samajalive.in
Monday, December 8, 2025
20.1 C
Bhubaneswar

ଏସ୍‌ଏସ୍‌ସି ବାହାର କରୁନି ସପ୍ଲିମେଣ୍ଟାରି ଲିଷ୍ଟ, ବଢୁଛି ଚାକରି ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଷ୍ଟାଫ୍ ସିଲେକ୍ସନ କମିଶନ(ଏସ୍‌ଏସ୍‌ସି) ଚାକିରୀ ଅପେକ୍ଷାରେ ଥିବା ଆଶାୟୀଙ୍କ ଭବିଷ୍ୟତକୁ ଅନ୍ଧକାର ଭିତରକୁ ଠେଲିଦେଇଛନ୍ତି। ଏସ୍‌ଏସ୍‌ସି ପକ୍ଷରୁ ବିଭିନ୍ନ ଚାକରି ପାଇଁ ମନୋନୀତ ପ୍ରାର୍ଥୀଙ୍କ ସପ୍ଲିମେଣ୍ଟାରି ଲିଷ୍ଟ ପ୍ରକାଶ କରିବା ନିମୟ ରହିଥିଲେ ଏଥିରେ ଏବେ ବ୍ୟତିକ୍ରମ ଦେଖାଯାଇଛି। ୨୦୧୫ରୁ ୨୦୧୯ ମଧ୍ୟରେ ବିଭିନ୍ନ ଚାକରି ପାଇଁ ଆବେଦନ କରି ମନୋନୀତ ହୋଇଛନ୍ତି। ପ୍ରଥମ ପର୍ଯ୍ୟାୟ ମେରିଷ୍ଟ ଲିଷ୍ଟ ପରେ ସପ୍ଲିମେଣ୍ଟାରି ଲିଷ୍ଟ ପ୍ରକାଶ ପାଇବା ନିୟମ ରହିଛି। ତେବେ ଅଳ୍ପ କେତୋଟି ହାତଗଣତି ପଦ ପାଇଁ ଏସ୍‌ଏସ୍‌ସି ସପ୍ଲିମେଣ୍ଟାରି ଲିଷ୍ଟ ପ୍ରକାଶ କରିଛି। କିନ୍ତୁ ଅନେକ ପଦବୀଗୁଡ଼ିକର ପ୍ରଥମ ପର୍ଯ୍ୟାୟ ଲିଷ୍ଟ ପ୍ରକାଶ ପରେ ଆଉ ସପ୍ଲିମେଣ୍ଟାରି ଲିଷ୍ଟ ପ୍ରକାଶ କରିନାହିଁ। ସେସବୁ ପଦବୀର ସପ୍ଲିମେଣ୍ଟାରି ଲିଷ୍ଟ ପ୍ରକାଶ କରିବାକୁ ଆଶାୟୀ ପ୍ରାର୍ଥୀ ନିବେଦନ କରିଥିଲେ ମଧ୍ୟ ତାହା ଏସ୍‌ଏସ୍‌ସି କର୍ତ୍ତୃପକ୍ଷଙ୍କ ନିକଟରେ କୁମ୍ଭୀର କାନ୍ଦଣା ପାଲଟିଛି। ଫଳରେ ଏହାକୁ ନେଇ ଚାକରି ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଅପରପକ୍ଷରେ ବର୍ତ୍ତମାନ ନୂତନ ମାର୍ଚ୍ଚ ୨୦୨୦ (ନୋଟିଫିକେସନ ତା.୦୩.୦୩.୨୦୨୦)ରେ ପ୍ରକାଶିତ ସରକାରୀ ଇସ୍ତାହାର ଅନୁଯାୟୀ ୨୦୧୫ ନିୟମରେ ପରିବର୍ତ୍ତନ କରିବା ସହିତ ସପ୍ଳିମେଣ୍ଟାରୀ ଲିଷ୍ଟକୁ ବାଦ ଦିଆଯାଇଥିବା ଏସ୍‌ଏସ୍‌ସି କର୍ତ୍ତୃପକ୍ଷ ସଫେଇ ଦେଇଛନ୍ତି। ତେବେ ଏହି ନୋଟିଫିକେସନ୍‌ ପ୍ରକାଶ ପୂର୍ବରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ ମନୋନୀତ ପ୍ରାର୍ଥୀଙ୍କ ସପ୍ଲିମେଣ୍ଟାରି ଲିଷ୍ଟ ପ୍ରକାଶ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ଓଡ଼ିଶା ରାଜ୍ୟ ପାଇକ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।
ନିଖିଳ ଓଡ଼ିଶା ପାଇକ ମହାସଂଘ ରାଜ୍ୟସଭାପତି ଅଶୋକ କୁମାର ପାଲଟାସିଂହ କହିଛନ୍ତି ଯେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନର ଚାକିରି ଆଶାୟୀ ପ୍ରାର୍ଥୀ ଗୋଟିଏ ପରୀକ୍ଷାପାଇଁ ୪ ରୁ ୫ ବର୍ଷ ଅପେକ୍ଷା କରୁଛନ୍ତି। ଏହାଦ୍ୱାରା ଆଶାୟୀ ପ୍ରାର୍ଥିଙ୍କର ବୟସ ଅତିକ୍ରାନ୍ତ କରିବା ସହିତ ନିଯୁକ୍ତିର ଆଶା ମଉଳି ଯାଉଛି। ପୁରାତନ ନିୟମ ଅନୁଯାୟୀ ବିଗତ ବିଜ୍ଞପ୍ତି ଗୁଡ଼ିକରେ ମୌଖିକ ପରୀକ୍ଷା ଓ ଅନ୍ୟାନ୍ୟ ନିୟମ ଲାଗୁ କରାଯାଉଥିବା ସମୟରେ ସଂପୃକ୍ତ ବିଭାଗର ସପ୍ଳିମେଣ୍ଟାରୀ ତାଲିକା ପ୍ରକାଶ କରିବାରେ କୌଣସି ଆନ୍ତରିକତା ପରିଲଖିତ ହେଉନାହିଁ। ଯଦି ଏହାର ଅଧ୍ୟକ୍ଷ ଏହାକୁ ଦୃଷ୍ଟିଦେବା ସହିତ ବିଚାରକୁ ନେଇ ସକାରାତ୍ମକ ପଦକ୍ଷେପ ଗ୍ରହଣ କରନ୍ତି ଆଶାୟୀ ପ୍ରାର୍ଥୀ ଉପକୃତ ହୋଇପାରନ୍ତେ। ତତ୍ସହିତ ଅନ୍ୟ ରାଜ୍ୟପରି ସରକାରୀ ଚାକିରୀ ପାଇଁ ରାଜ୍ୟ ସରକାର ଅବେଦନର ବୟସ ସୀମା ୪୨ ବର୍ଷକୁ ବୃଦ୍ଧିକଲେ ଶିକ୍ଷିତ ଯୁବକମାନେ ନିଯୁକ୍ତି ପାଇ ପାରନ୍ତେ ଏବଂ ରାଜ୍ୟରେ ବେକାରୀ ସମସ୍ୟା କିଛିମାତ୍ରାରେ ହ୍ରାସ ପାଇପାରନ୍ତା। “୫ ଟି” କୁ ନେଇ ରାଜ୍ୟ ସରକାର ଡ଼ିଣ୍ଡିମ ପିଟୁଥିବା ବେଳେ କରୋନା ମହାମାରୀ ସମୟରେ ଦୁଇବର୍ଷ ପର୍ଯ୍ୟନ୍ତ ନୂତନ ନିଯୁକ୍ତି ପାଇଁ ନିଷେଧାଦେଶ ଜାରୀ କରିବା ଏକ ଯୁବମାରଣ ନୀତି ବୋଲି ମନେହୁଏ। ଏହାଦ୍ୱାରା ଆଶାୟୀ ପ୍ରାର୍ଥୀଙ୍କ ବୟସ ଅତିକ୍ରାନ୍ତ କରିବା ସହିତ ବେକାରୀ ସମସ୍ୟା ବଢିବାର ସ୍ପଷ୍ଟ ପ୍ରମାଣ ମିଳେ। ଓଡ଼ିଶାର କୁଶଳୀ, ଯୁବକମାନେ ପେଟ ପାଟଣା ପାଇଁ ଦେଶାନ୍ତର ହୁଅନ୍ତି। ରାଜ୍ୟ ସରକାର ମେକ୍ଇନ ଓଡ଼ିଶା ନାମରେ ଶ୍ଳୋଗାନ ଦିଅନ୍ତି, ଓଡ଼ିଆ ପୁଅ ଦାଦନ ଖଟିବା ପାଇଁ ଅନ୍ୟରାଜ୍ୟକୁ ଯାଏ, ଏହା କେଉଁ ପ୍ରକାର ନିଯୁକ୍ତି ନିୟମ। ନୂତନ ନିଯୁକ୍ତି ନିୟମକୁ “୫ ଟି”ରେ ସାମିଲ କରିବା ସହିତ ସପ୍ଳିମେଣ୍ଟାରୀ ତାଲିକା ପ୍ରକାଶ କରିବା, ଆବେଦନର ବୟସ ସୀମାକୁ ୪୨ ବର୍ଷକୁ ବୃଦ୍ଧି କରିବାକୁ ନିଖିଳ ଓଡ଼ିଶା ପାଇକମହାସଂଘ ରାଜ୍ୟସରକାରଙ୍କ ନିକଟରେ ଦାବି କରିଛି।

କରୋନା ମହାମାରୀ ଯେତେବେଳେ ଜୀବନ, ଜୀବିକାକୁ ଧ୍ୱଂସ କରି ଚାଲିଛି, ଘରୋଇ ଉଦ୍ୟୋଗ କର୍ମଚାରୀମାନଙ୍କୁ ଛଟେଇ କରୁଛନ୍ତି, ବେକାରୀ ସମସ୍ୟା ବଢିଚାଲିଛି, ଅର୍ଥନୀତି ଭୁସୁଡ଼ି ପଡ଼ିଛି, ଜୀବନ ଜୀବିକାର ଦୋଛକିରେ ଯୁବ ସମାଜ ପଥଭ୍ରଷ୍ଟ ହୋଇଥିବାବେଳେ ରାଜ୍ୟ ସରକାର ଶିକ୍ଷିତ, ନିଯୁକ୍ତି ଆଶାୟୀକୁ କବର ଦେଇ ବେକାରୀମାନଙ୍କୁ ନେଇ ଖେଳ ଖେଳିବା ଭଳି ମନେ ହେଉଛି। ଯଦି ରାଜ୍ୟ ସରକାର ଏହା ଉପରେ କୌଣସି ତୁରନ୍ତ ପଦକ୍ଷେପ ଗ୍ରହଣ ନକରନ୍ତି ଆଗାମୀ ଦିନରେ ଓଡ଼ିଶାର ଲକ୍ଷଲକ୍ଷ ବେକାର ଯୁବକ, ଯୁବତୀଙ୍କ ପୁଞ୍ଜିଭୂତ ଅସନ୍ତୋଷ ଉଗ୍ରରୂପ ଧାରଣ କରିବା ସହିତ ରାଜରାସ୍ତାକୁ ଉହ୍ଳାଇବ ବୋଲି ନିଖିଳ ଓଡ଼ିଶା ପାଇକ ମହାସଂଘ ରାଜ୍ୟସଭାପତି ଅଶୋକ କୁମାର ପାଲଟାସିଂହ ଚେତାବନୀ ଦେଇଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories