ଭୁବନେଶ୍ବର: ରାଜଧାନୀବାସୀଙ୍କ ପାଇଁ ଖୁସି ଖବର। ଏବେ ରାଜଧାନୀରେ ପ୍ରତ୍ୟେକ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗୁଛି। ଆଜି ଭୁବନେଶ୍ବର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ତଳକୁ ଖସିଥିବାବେଳେ ସୁସ୍ଥ ହୋଇ ଘରକୁ ଫେରିଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭୬ ବୋଲି ଜଣାପଡ଼ିଛି।
ଆଜି ରାଜଧାନୀ ଭୁବନେଶ୍ୱରରୁ ମୋଟ ୧୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୪୪ ଜଣ କ୍ବାରେଣ୍ଟାଇନ୍ କେସ୍ ହୋଇଥିବାବେଳେ ୧୩୮ଜଣ ଲୋକାଲ୍ କେସ୍ ବୋଲି ଜଣାପଡ଼ିଛି। ଭୁବନେଶ୍ୱରରୁ ଆଜି ୨୭୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।
କ୍ବାରେଣ୍ଟାଇନ୍ କେସ୍ରୁ କରୋନା ଆକ୍ରାନ୍ତ ଚିହ୍ନଟ ବ୍ୟକ୍ତିମାନେ ପୂର୍ବରୁ ଆକ୍ରାନ୍ତ ହୋଇଥିବା କରୋନା ପଜିଟିଭ୍ ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ। ୟୁନିଟ-୧ ଓ ପଟିଆରୁ ୪ ଜଣ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ପୁରୁଣା ଭୁବନେଶ୍ୱର ଓ ଗଜପତି ନଗରରୁ ୩ଜଣ ଲେଖାଏଁ, ବିଜେବି ନଗର, ଘାଟିକିଆ, ଶୈଳଶ୍ରୀ ବିହାର, ଟଙ୍କାପାଣି ରୋଡ, ୟୁନିଟ-୮ରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସେହିପରି ଲୋକାଲ୍ କଣ୍ଟାକ୍ଟ କେସ୍ରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ନୟାପଲ୍ଲୀରୁ ୧୧ ଜଣ, ପଟିଆରୁ ୯ ଜଣ, ୟୁନିଟ-୮, ପାତ୍ରପଡ଼ା, ନିଳାଦ୍ରୀ ବିହାରରୁ ୭ଜଣ ଲେଖାଏଁ, ଡୁମଡୁମା, ଝାରପଡ଼ାରୁ ୬ ଜଣ ଲେଖାଏଁ, ଆଚାର୍ଯ୍ୟ ବିହାର, ଚନ୍ଦ୍ରଶେଖରପୁର, ଟଙ୍କାପାଣି ରୋଡ, ଜୟଦେବ ବିହାରରୁ ୪ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ଭୁବନେଶ୍ବର ମହାନଗର ନିଗମ ଟ୍ବିଟ୍ କରି ସୂଚନା ଦେଇଛି।
ଭୁବନେଶ୍ବରରେ କରୋନା ଆକ୍ରାନ୍ତ ସଂଖ୍ୟା ୨୦୦ ତଳକୁ ଖସିଲା, ଆଜି ୨୭୬ଜଣ କରୋନା ଆକ୍ରାନ୍ତ ସୁସ୍ଥ
Popular Categories



