www.samajalive.in
Sunday, December 7, 2025
16.1 C
Bhubaneswar

ସମଲେଶ୍ୱରୀ ପୀଠରେ ଦଶହରା: ପ୍ରଥମଥର ପାଇଁ ଭର୍ଚୁଆଲ ଦର୍ଶନ

ସମ୍ବଲପୁର(ସୁକାନ୍ତ କର): ଆସିଛି ଶାରଦୀୟ ନବରାତ୍ର। ଚଳଚଂଚଳ ସମସ୍ତ ଶକ୍ତିପୀଠ। ଜଗଜ୍ଜନନୀ ମା’ଙ୍କ ହେବ ଧରାବତରଣ। କିନ୍ତୁ ଚଳିତ ବର୍ଷ ନଥିବେ ଭକ୍ତ। କେବଳ ରୀତିନୀତି ବିଧିବିଧାନରେ ହେବ ମା’ଙ୍କ ପୂଜାର୍ଚ୍ଚନା। ପଶ୍ଚିମର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀ। ବର୍ଷତମାମ ଲାଗିଥାଏ ଭକ୍ତ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଭିଡ଼। କିନ୍ତୁ କରୋନା ମହାମାରୀ କାରଣରୁ ଗତ ମାର୍ଚ୍ଚ ମାସରୁ ବନ୍ଦ ରହିଛି ସମସ୍ତ ଧାର୍ମିକସ୍ଥଳୀ। ବନ୍ଦ ରହିଛି ସମଲେଶ୍ୱରୀ ପୀଠ। ଶାରଦୀୟ ଓ ଚୈତ୍ର ନବରାତ୍ର ସମୟରେ ଭକ୍ତ ମାନସିକ ଦୀପ ପ୍ରଜ୍ୱଳନ କରି ମା’ଙ୍କ ଆଶୀର୍ବାଦ ଭିକ୍ଷା କରିଥାନ୍ତି। ଚଳିତ ବର୍ଷ ମନ୍ଦିର ବନ୍ଦ ରହିଥିବା ସତ୍ୱେ ଆରମ୍ଭ ହୋଇଯାଇଛି ନବଦିନାତ୍ମକ ପୂଜା। ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ଜଳୁଛି ଭକ୍ତଙ୍କ ମାନସିକ ଦୀପ। ଶ୍ରୀ ଶ୍ରୀ ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡ ଉଦ୍ୟମରେ ଗତ ଅଗଷ୍ଟ ମାସରୁ ଟ୍ରଷ୍ଟ ବୋର୍ଡର ଫେସବୁକ ପେଜ୍‍ରେ ଭକ୍ତ ଲାଇଭ୍‍ ମା’ ସମଲେଶ୍ୱରୀଙ୍କ ସନ୍ଧ୍ୟା ଆଳତୀ ଦର୍ଶନ କରୁଛନ୍ତି। ଚଳିତବର୍ଷ ପ୍ରଥମଥର ପାଇଁ ଶାରଦୀୟ ଦଶହରା ସମୟରେ ମନ୍ଦିର ବନ୍ଦ ରହୁଥିବାରୁ ଭକ୍ତଙ୍କ ସକାଶେ ସକାଳ ଓ ସନ୍ଧ୍ୟାରେ ଫେସବୁକ ପେଜ୍‍ରେ ଭର୍ଚୁଆଲ ଦର୍ଶନ ସୁବିଧା କରାଯାଇଥିବା ଟ୍ରଷ୍ଟବୋର୍ଡ ସଭାପତି ସଞ୍ଜୟ କୁମାର ବାବୁ ସୂଚନା ଦେଇଛନ୍ତି।
ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀ ପୀଠରେ ଅକ୍ଟୋବର ୧୭ ତାରିଖରୁ ଆରମ୍ଭ ହୋଇଛି ଷୋଡ଼ଶ ଉପଚାର ପୂଜା ଓ ମାନସିକ ଦୀପ ପ୍ରଜ୍ୱଳନ। କରୋନା କଟକଣା ଯୋଗୁଁ ଭକ୍ତ ଉପସ୍ଥିତ ନଥିବା ବେଳେ ପୂଜକ ନାମ ଓ ଗୋତ୍ର ପାଠ କରି ମାନସିକ ଦୀପ ପ୍ରଜ୍ୱଳନ କରିଛନ୍ତି। ଶାରଦୀୟ ଦଶହରା ସମୟରେ ଷୋଡ଼ଶ ଉପଚାର ପୂଜା ଆଶ୍ୱିନ ମୂଳାଷ୍ଟମୀରୁ ଆରମ୍ଭ ହୋଇ ମହାନବମୀରେ ଶେଷ ହୋଇଥାଏ। ସମ୍ବଲପୁରର ଚୌହାନ ରାଜା ବଳରାମ ଦେବଙ୍କ ଅମଳରୁ ମା’ ସମଲେଶ୍ୱରୀଙ୍କ ଷୋଡ଼ଶ ଉପଚାର ପୂଜା ପରମ୍ପରା ଚାଲିଆସିଛି। ପୁଅଜିଉଁତିଆ ବା ଆଶ୍ୱିନ ମୂଳାଷ୍ଟମୀ ତିଥିରେ ମାଁ ସମଲେଶ୍ୱରୀଙ୍କୁ ଦୁର୍ଗା ରୂପରେ ପୂଜାର୍ଚ୍ଚନା କରି ଭୋଗନୈବେଦ୍ୟ ଅର୍ପଣ କରାଯାଇଥାଏ। ଷୋହଳ ଜ୍ୟୋତି ରୂପ ଯଥା ଦୁର୍ଗା, ନାରାୟଣୀ, ଈଶାନୀ, ବିଷ୍ଣୁମାୟା, ଶିବା, ସତୀ, ନିତ୍ୟା, ସତ୍ୟା, ଭଗବତୀ, ଶର୍ବାଣୀ, ସର୍ବମଙ୍ଗଳା, ଅମ୍ବିକା, ବୈଷ୍ଣବୀ, ଗୌରୀ, ପାର୍ବତୀ, ସନାତନୀ ଭାବରେ ପୂଜା ପାଇଥାନ୍ତି। ମା’ ସମଲେଶ୍ୱରୀଙ୍କୁ ଭୁବନେଶ୍ୱରୀ ମନ୍ତ୍ରରେ ପୂଜାର୍ଚ୍ଚନା କରିବା ପରମ୍ପରା ରହିଛି। ପ୍ରତିଦିନ ଭିନ୍ନ ଭିନ୍ନ ଭୋଗ ଲାଗି ହୋଇଥାଏ।
ଚଳିତ ବର୍ଷ ମହାଳୟା ପରେ ମଳମାସ ଲାଗିଥିବାରୁ ମୂଳାଷ୍ଟମୀରୁ ମା’ଙ୍କ ଦୁର୍ଗା ଜ୍ୟୋତି ରୂପରୁ ଆରମ୍ଭ କରି ସତ୍ୟା ରୂପ ପର୍ଯ୍ୟନ୍ତ ବିଧି ସମ୍ପନ୍ନ ହୋଇଥିବାବେଳେ ଅକ୍ଟୋବର ୧୭ରେ ମା’ ଭଗବତୀ ରୂପରେ ଦର୍ଶନ ଦେଇଥିବା ସମଲେଶ୍ୱରୀ ମନ୍ଦିରର ମୁଖ୍ୟ ପୂଜକ ଅମ୍ବିକା ପ୍ରସାଦ ରାୟ କହିଛନ୍ତି। ପ୍ରତିଦିନ ସନ୍ଧ୍ୟାରେ ମା’ଙ୍କୁ ଶୃଙ୍ଗାର କରାଯାଇଥାଏ। ପ୍ରତିପଦାରୁ ଆରମ୍ଭ ହୋଇଥିବା ଅଖଣ୍ଡ ଦୀପ ପ୍ରଜ୍ୱଳନ ବିଜୟା ଦଶମୀରେ ଦୀପ ବିସର୍ଜନ ସହ ରଣଜିତା ଶୋଭାଯାତ୍ରା ସହ ଶେଷ ହେବ। ମହାଳୟାରେ ମା’ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ ହୋଇଥିବାବେଳେ କୁମାର ପୂର୍ଣ୍ଣିମା ଦିନ ମା’ଙ୍କ ରାଜରାଜଶ୍ୱେରୀ ବେଶ ଓ ମନ୍ଦିରର ନୂତନ ଧ୍ୱଜାରୋହଣ ସହ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯିବ। ଏହି ପୀଠରେ ଷୋଡ଼ଶ ଉପଚାର ପୂଜା ମା’ ଜଗଦମ୍ବାଙ୍କ ଷୋହଳ ଜ୍ୟୋତିରୂପରେ ହେଉଥିବାରୁ ଦଶ ମହାବିଦ୍ୟା ବା ନବଦୁର୍ଗା ବେଶ ହୋଇ ନଥାଏ।
କୋଭିଡ କଟକଣା ସତ୍ୱେ ମାନୁନାହିଁ ଭକ୍ତର ଆବେଗ। ସମଲେଶ୍ୱରୀ ମନ୍ଦିରର ମୁଖ୍ୟ ଫାଟକ ବନ୍ଦ ରହିଥିବାବେଳେ ନବରାତ୍ରର ପ୍ରଥମ ଦିନରୁ ଜମୁଛି ଭକ୍ତଙ୍କ ଭିଡ଼। ଭକ୍ତ ମା’ଙ୍କୁ ପ୍ରତ୍ୟକ୍ଷ ଦର୍ଶନ କରିନପାରି ମନ୍ଦିର ବାହାରେ ରାସ୍ତା ଉପରେ ପ୍ରଣିପାତ କରୁଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ମୁତୟନ ହୋଇଛନ୍ତି ପୁଲିସ। ଜନସାଧାରଣଙ୍କୁ ଶୃଙ୍ଖଳିତ କରିବା ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ସଚେତନ କରାଯାଉଛି। ଅନ୍ୟପକ୍ଷରେ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସେବାର୍ଥେ ଭକ୍ତ ଓ ଶ୍ରଦ୍ଧାଳୁ ଦାନ କରୁଥିବା ଅର୍ଥ ପାଇଁ ରାସ୍ତା ପାର୍ଶ୍ବସ୍ଥ ସାନ୍‍ଗୁଡ଼ି ନିକଟରେ ଏକ ହୁଣ୍ଡି ବ୍ୟବସ୍ଥା କରାଯାଇଛି। ଏଥିସହ ମାନସିକ ଦୀପ ପ୍ରଜ୍ୱଳନ ସକାଶେ ପୂଜକଙ୍କୁ ଯୋଗାଯୋଗ କରି ହ୍ୱାଟସଆପ୍‍ରେ ନାମ ଓ ଗୋତ୍ର ଏବଂ ଅନ୍‍ଲାଇନରେ ଦେୟ ଦେବାକୁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଅନୁରୋଧ କରାଯାଇଛି। ମନ୍ଦିରରେ ନୀତିନିର୍ଘଂଟ ଅନୁଯାୟୀ ପୂଜାର୍ଚ୍ଚନା ହେବା ସହ ପୂଜକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ପ୍ରତିଦିନ ଦୁଇବେଳା ମନ୍ଦିର ପରିସରକୁ ସାନିଟାଇଜ କରାଯାଉଥିବା ଟ୍ରଷ୍ଟ ବୋର୍ଡ ସଭାପତି ଶ୍ରୀ ବାବୁ କହିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories